ଓଡ଼ିଆ ଶିଶୁ ସାହିତ୍ୟର ଅନନ୍ୟ ରୂପକାର : ସାହିତ୍ୟିକ ତ୍ରିଲୋଚନ ମଥାନ

Spread the love
କଟକ  : ସହିତରେ ଥାଇ ସମ୍ୟକ ରୂପେ ହିତ ସାଧନ ହେଲେ ତାକୁ ସାହିତ୍ୟ କୁହାଯାଏ, ଏବଂ ଜଣେ ସାହିତ୍ୟ ସାଧକ ସମାଜ ଉନ୍ନତି,ସଭ୍ୟତାର ବିକାଶ ଦିଗରେ ସର୍ବଦା ସାଧନା ରତ। ସେହିଭଳି ଆମ ସମୟର ଜଣେ ସାହିତ୍ୟ ଜଗତର ବରେଣ୍ୟ ସ୍ରଷ୍ଟା,ଅଦ୍ୱିତୀୟ ପ୍ରତିଭା,ଅନନ୍ୟ ଆଦର୍ଶର ପ୍ରତୀକ,ଓଡ଼ିଆ ଶିଶୁ ସାହିତ୍ୟ ଜଗତର ଅନନ୍ୟ ମାର୍ଗଦର୍ଶକ କବି ତ୍ରିଲୋଚନ ମଥାନ ଅନ୍ୟତମ । ପିତା ସ୍ଵର୍ଗତ ପଦ୍ମ ଚରଣ ମଥାନ,ମାତା ହରାମଣୀ ଦେବିଙ୍କ କୋଳ ମଣ୍ଡନ କରି ଗ୍ରାମ ସତାଘରିଆ,ପୋଷ୍ଟ ଓଳାଭର ଜିଲ୍ଲା କେନ୍ଦ୍ରାପଡ଼ାରେ ୧୯୪୯ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଅଧୁନା କୋଏଲ ନଗର ରାଉରକେଲାଠାରେ ଅବସ୍ଥାପିତ । ରାଜେନ୍ଦ୍ର ନାରାୟଣ ଉଚ୍ଚ ଇଂରାଜୀ ବିଦ୍ୟାଳୟ ରାଜକନିକାରୁ ମାଟ୍ରିକ ପାସ୍ ପରେ କଳା ଓ ଆଇନିରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସ୍ନାତକତା ସାରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଠାରେ ଟାଉନ୍ ଇଞ୍ଜିନିୟରିଂ ବିଭାଗରେ ଦୀର୍ଘ ୪୧ ବର୍ଷ ୬ ମାସ କାର୍ଯ୍ୟକରି ବର୍ତ୍ତମାନ ଅବସର ଗ୍ରହଣ ପରେ ସାହିତ୍ୟ ସେବା,ସଂସ୍କୃତିର ବିକାଶ ଆଉ ସମାଜସେବାରେ ସମ୍ପୂର୍ଣ ସମର୍ପିତ । ସେ ଅନେକ ସଂଗଠନ ସହ ଜଡ଼ିତ ହୋଇ ସେବା କାର୍ଯ୍ୟରେ ଯୋଗଦାନ ପୁର୍ବକ ଇସ୍ପାତ ସାହିତ୍ୟ ସଂସଦରେ ସଭାପତି ଓ ସାଧାରଣ ସଂପାଦକ ଭାବେ ଦୀର୍ଘ ତିନି ଦଶନ୍ଧି ଧରି କାର୍ଯ୍ୟ କରିବା ସହ ନିଜ ଗ୍ରାମ ବିକାଶ ଦିଗରେ ବ୍ୟସ୍ତ ମଣିଷ । ସେବାକୁ ପ୍ରାଧାନ୍ୟ ଦେଉଥିବା ତ୍ରିଲୋଚନ ବହୁ ଗଠନ ମୂଳକ କାର୍ଯ୍ୟରେ ସାଧନା ଜାରୀ  ରଖିଛନ୍ତି । ଶିଶୁ ସାହିତ୍ୟ,ବୌଦ୍ଧିକ ସାହିତ୍ୟ,ବ୍ୟଙ୍ଗ,ପ୍ରବନ୍ଧ ଆଉ ଜୀବନୀ(ସ୍ମୃତି ଅନୁଭୁତି) ଉପରେ ୨୦ଟି ପୁସ୍ତକ ପ୍ରକାଶିତ ହୋଇଛି ଏବଂ ଅନେକ ପାଠାଗାର ମାନଙ୍କୁ ସେ ତାଙ୍କ ପୁସ୍ତକ ଦାନ କରିଛନ୍ତି ଯାହାକି ଏକ ମହାନ୍ ଆଦର୍ଶ ସାହିତ୍ୟିକର ପରିଚୟ ପ୍ରଦାନ କରେ । ତାଙ୍କର ୮ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ମନୋନୀତ ହୋଇ ରାଜା ରାମ ମୋହନ ରାୟ ପାଠାଗାରକୁ ପଠା ଯାଇଛି । ତାଙ୍କ ବହୁମୁଖୀ ପ୍ରତିଭାକୁ ସ୍ଵୀକୃତି ସ୍ଵରୁପ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପୁରସ୍କାର ଲାଭ କରିଛନ୍ତି ପୁଣି ବହୁ ସାହିତ୍ୟ ସଭା,ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ନିଜ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ଏହା ପ୍ରେରଣା ଦାୟୀ  । ଏହି ନୀରବ ସାଧକ ଜଣକଙ୍କ ଲକ୍ଷ୍ୟ ଆଉ ମହତ୍ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷା ସବୁ ଓଡ଼ିଶାବାସୀଙ୍କ ହୃଦୟର ଭାଷା ହେଉ ସମସ୍ତେ ନିଜ କଳା,ସଂସ୍କୃତି ଓ ପରମ୍ପରାକୁ ଭଲ ପାଆନ୍ତୁ ଏଥିସହ ମା ମାଟି,ସଂସ୍କୃତି,ମାତୃଭାଷାକୁ ପୂଜା କରନ୍ତୁ ଆଉ ଏହାର ବିକାଶ ଦିଗରେ ସଦା ତତ୍ପର ରୁହନ୍ତୁ ପୁଣି ସମାଜରୁ କୁସଂସ୍କାର,ଅନ୍ଧ ବିଶ୍ବାସକୁ ଦୂର କରିବାରେ ତାଙ୍କ ସାଧନା ସୁଦୂର ପ୍ରସାରୀ । ସାହିତ୍ୟ ପ୍ରତି ରୁଚି ଥିବା ଏହି ପ୍ରତିଭା ବିଭିନ୍ନ ପତ୍ରପତ୍ରିକା ମାନଙ୍କରେ ଲେଖନୀ ଚାଳନା କରି ଅନ୍ୟୁନ ୨୦୦୦ ରୁ ଉର୍ଦ୍ଧ କବିତା, ପ୍ରବନ୍ଧ ପ୍ରକାଶିତ ଯାହାକି ଖୁବ ପାଠକୀୟ ସ୍ଵୀକୃତି ଲାଭ କରିଛି ଏବଂ ତାଙ୍କ ଲେଖାରେ ଦେଖିବାକୁ ମିଳେ ଶିଶୁ ସୃଜନ ଅନନ୍ୟ ଅନବଦ୍ୟ ସ୍ଵର,ପ୍ରକୃତିର ସୁନ୍ଦର ରୂପ,ପରିବେଶ ସୁରକ୍ଷା ଉପରେ ବାର୍ତ୍ତା, ବଡ଼ ଲୋକଙ୍କ ଜୀବନୀ ପାଠ,କୁସଂସ୍କାର ବିରୋଧରେ ଲଢେ଼ଇ ଓ ଜନ ସଚେତନତା ।

Related Posts

About The Author

Add Comment