ଯାଜପୁର, ୧୫/୦୯/୨୦୨୧ (ସନ୍ଧାନ ନିଉଜ) : ଚଣ୍ଡୀଖୋଲ-ଡୁବୁରୀ ୫୭ ନଂବର ଜାତୀୟ ରାଜପଥରେ ଲୋକେ ଯାତାୟତ କଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥାନ୍ତି । ହେଲେ ଏବେ ସେହି ରାସ୍ତା ମରଣର ଯନ୍ତା ହୋଇଛି । ଏହି ରାସ୍ତାର ଦୂରାବସ୍ଥା ନେଇ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ ହୋଇଥିଲା । ଅନୁଧ୍ୟାନର ତାରିଖ ନିର୍ଣ୍ଣୟର ମାତ୍ର ୨୪ ଘଂଟା ଭିତରେ ପୁଣି ଅନୁଧ୍ୟାନକୁ ବାତିଲ କରାଗଲା । ଠିକାଦାରଙ୍କ ଚାପରେ ପ୍ରଶାସନ ଚେପା ହୋଇ ଜୀବନ ସହ ଖେଳ ଖେଳା ଯାଉଥିବା ସାଧାରଣରେ ମତ ପ୍ରକାଶ ପାଇ ଘୋର ଉଦବେଗ ପ୍ରକାଶ ପାଉଛି । ୫୭ ନଂବର ଜାତୀୟ ରାଜପଥରେ ଲୋକେ ଏବେ ଚାଲି ଚାଲି ଯିବା ବି କାଠିକର ପାଠ ହେଉଛି । ରାସ୍ତା ଯାକ ବଡ ବଡ ଖାଲ ହୋଇ ଯାଇଛି । କୌଣସି ମୋଟର ଯାନ ୩୦ କିଲୋମିଟର ବେଗରେ ଯିବା ସମ୍ବବ ହେଉନାହିଁ । ରାସ୍ତାରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ରାସ୍ତାରେ ହିଁ ଜୀବନ ଚାଲି ଯାଉଛି । ରାତି ପାହିଲେ ଲୋକେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ମରୁଛନ୍ତି । ବଡ ବଡ ଟ୍ରକ ଗୁଡିକ ରାସ୍ତାରେ ଥିବା ଖାଲକୁ ଅତିକ୍ରମ କରିବା ବେଳେ ମନୋମୁଖୀ ଭାବେ ଗାଡିକୁ ଏଣେତେଣେ କାଟି ଦେଉଥିବାରୁ କଡରେ ଥିବା ଅନ୍ୟ ଗାଡି ଉପରେ ଚଢି ଯାଉଛି । ଏଥିନେଇ ବାରମ୍ବାର ସଡକ ସୁରକ୍ଷା ବୈଠକରେ ଠିକା ସଂସ୍ଥାକୁ ତାଗିଧ କରାଯାଉ ଥିବା ବେଳେ ଏହାକୁ ଠିକା ସଂସ୍ଥା ଖାତିର କରୁନାହିଁ । ଏଥିନେଇ ବାରମ୍ବାର ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆବଶ୍ୟକ ପଦକ୍ଷେପ ପାଇଁ ଆସିଥିବା ନିଦେ୍ର୍ଦଶକୁ ବି ଠିକା ସଂସ୍ଥାକୁ ସୁରକ୍ଷା ଦେବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ମାଡି ବସିଛନ୍ତି । ତେବେ ଏଥିନେଇ ସଡକ ସୁରକ୍ଷା କମିଟି ବୈଠକରେ ସଭ୍ୟ ସତୀଶ ବିଶ୍ୱାଳ ବାରମ୍ବାର ଘୋର ଉଦବେଗ ପ୍ରକାଶ କରୁଥିବା ବେଳେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ନିଦେ୍ର୍ଦଶକ୍ରମେ ଏକ କମିଟି ସଡକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଆସନ୍ତା ତା୧୬.୦୯.୨୧ ରିଖରେ କମିଟି ଏହି ରାସ୍ତା ଅନୁଧ୍ୟାନ କରିବ ବୋଲି ଚଣ୍ଡୀଖୋଲ ଆର.ଟି.ଓ ପତ୍ର ନଂ-୨୦୮୭ ତା୧୪.୦୯.୨୧ ପ୍ରଦାନ କରିଥିଲେ । ହେଲେ ଏହି ପତ୍ର ଦିଆଯିବାର ୨୪ ଘଂଟା ଭିତରେ ପ୍ରଶାସନ ପୁଣି କଡ ଲେଉଟାଇ ଏହି ଅନୁଧ୍ୟାନକୁ ବାତିଲ କରିଛି । ଏଥିନେଇ ପତ୍ର ନଂ-୨୧୦୬ ତା୧୫.୦୯.୨୧ ପ୍ରଦାନ କରାଯାଇ ଏହି ଅନୁଧ୍ୟାନକୁ ବାତିଲ କରାଯାଇଛି । ଯଦିଓ ଏହି ବାତିଲ ନେଇ କୌଣସି କାରଣ ଦର୍ଶା ଯାଇନାହିଁ । ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ଖବରରୁ ପ୍ରକାଶ, ଏବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ବେଳେ ମନୋମୁଖୀ ଭାବେ ନିର୍ମାଣ କରାଯାଇ ଥିବାରୁ ଠାଏ ଠାଏ ରାସ୍ତା ଉପରେ ନଦୀ ପରି ପାଣି ଚାଲିଛି । ଲୋକେ ଜାତୀୟ ରାଜପଥରେ ଯାତାୟତ କରି ନପାରି ଜାତୀୟ ରାଜପଥ କଡରେ ଥିବା ଅନ୍ୟ ଗ୍ରାମ୍ୟ ରାସ୍ତାରେ ଯାତାୟତ କରୁଛନ୍ତି । ରାସ୍ତାର ଏଭଳି ଦୟନୀୟ ଅବସ୍ଥାକୁ ଘଂଟ ଘୋଡାଇବା ପାଇଁ ଏହି ଅନୁଧ୍ୟାନକୁ ବାତିଲ କରାଯାଇଛି । ଏଥିନେଇ ଏହି ଅନୁଧ୍ୟାନକାରୀ ଟିମରେ ଥିବା ସତୀଶ ବିଶ୍ୱାଳ ଘୋର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏହି ଅନୁଧ୍ୟାନକୁ ବାତିଲ କରାଯିବା ଦ୍ୱାରା ଠିକାଦାରଙ୍କୁ ସୁରକ୍ଷା ଦିଆଯାଇ ପାରେ ହେଲେ ଏହା ଲୋକଙ୍କ ଜୀବନ ସହ ଖେଳ । ଜାତୀୟ ରାଜପଥ ନିର୍ମାଣ ଆଳରେ ଚାଲିଥିବା ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ସତେ ଯେମିତି ରାବଣରାଜର ସଂକେତ ହୋଇଛି । ଅନ୍ତତ ଆମ ଜିଲ୍ଲାର ଦକ୍ଷ ଏବଂ ନିଷ୍ଠାପର ଜିଲ୍ଲାପାଳ ଏ କ୍ଷେତ୍ରରେ ଠିକଣା ପଦକ୍ଷେପ ଗ୍ରହଣ କରିବେ ବୋଲି ସମସ୍ତଙ୍କ ଆଶା ଓ ଭରସା ରହିଛି । ନଚେତ ଏଥିନେଇ କୋର୍ଟର ଆଶ୍ରୟ ନିଆଯିବ । ଠିକାଦାରଙ୍କ ଚାପରେ ପ୍ରଶାସନ ଚେପା ହୋଇଗଲା ବୋଲି ସାଧାରଣରେ ସୃଷ୍ଟି ହୋଇଥିବା ଧାରଣା ଆମ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନରେ ଗ୍ରହଣୀୟ ନୁହେଁ । ଏଥିନେଇ ମଧ୍ୟ ସତୀଶ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।
ଜାତୀୟ ରାଜପଥ ନେଇ ଜୀବନ ସହ ଖେଳ
|
September 16, 2021 |