ଭୁବନେଶ୍ୱର:୧୭/୦୭ (ସନ୍ଧାନ ନ୍ୟୁଜ୍)-: ରାଜଧାନୀ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବେଆଇନ ଭାବେ ୧୨ଏକର ସରକାରୀ ଜମି ଦଖଲ କରାଯାଇଛି ବୋଲି ଅଭିଯୋଗ କରି ସୂଚନାକର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଏହି ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ ସରକାରଙ୍କ ଇଷ୍ଟେଟ୍ ନିର୍ଦ୍ଦେଶକ ଓ କିଟ୍ ସମ୍ପାଦକ ଆରଏନ୍ ଦାଶଙ୍କୁ ନୋଟିସ୍ ଜାରି କରିଛନ୍ତି। ୬ ସପ୍ତାହ ସୁଦ୍ଧା ଏହି ନୋଟିସର ଜବାବ ଦାଖଲ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବାବେଳେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୧ତାରିଖକୁ ଧାର୍ଯ୍ୟ କରିଛନ୍ତି।
ସୂଚନାକର୍ମୀ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଗତ ୬ବର୍ଷ ଧରି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ସୂଚନା ଅଧିକାର ଆଇନ ବଳରେ କିଟ୍ ନେଇଥିବା ଜମି ସମ୍ପର୍କରେ ତଥ୍ୟ ମଗାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳୁନଥିଲା।
ତେବେ ରାଜ୍ୟ ସୂଚନା କମିଶନଙ୍କ ହସ୍ତକ୍ଷେପ ପରେ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ମୂଲ୍ୟବାନ ୧୨ ଏକର ଜମି ବେଆଇନ଼ ଭାବେ ରାଜ୍ୟ ପ୍ରଶାସନର ଜାଣତରେ କିଟ୍ ଜବରଦଖଲ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବୋଲି ଶ୍ରୀ ପ୍ରଧାନ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିବା ସୂଚନା ଦେଇଛନ୍ତ.


