ଲିଙ୍ଗରାଜ ପଣ୍ଡା
ଫୁର୍ କିନା ଉଡି ଯିବାକୁ ଇଚ୍ଛା ହୁଏ,
ସ୍ମୁତିର ଭଂଗା ଡେଣାରେ
ପିଲାଦିନର ମୋ ଦୂରନ୍ତ ଗାଁ ଆଡେ
ଇଚ୍ଛାହୁଏ ଶୋଇ ପଡିବାକୁ
ଜେଜେଙ୍କ ନଡିଆ ବାହଂଗା ଚାଚରାରେ
ଫଗୁଣର ଆମ୍ବ ତୋଟାରେ
ଏକ ଝାଞ୍ଜି ଅପରାହ୍ନରେ ।
ଇଚ୍ଛାହୁଏ ଖାଇ ବସିବାକୁ
ଲମ୍ବା ଫଗତରେ, କଦଳି ପତ୍ରରେ
ସୁଲୁସୁଲୁ ପବନରେ, ଗାଁ ସଂଜରେ
ଇଚ୍ଛା ହୁଏ ପଶିଯିବାକୁ
ଆଇର ନିରାପଦ କୋଳରେ
ଅପଦେବତାଙ୍କ ନଜର ଆଢୁଆଳରେ
ଏକ ବୟସ୍କ ଶୀତ ରାତିରେ
ଇଚ୍ଛାହୁଏ ବୁଡି ପଡିବାକୁ
ମୋ ଗାଁ ଦେଇ ବୋହିଯାଇଥିବା
ସାଳନ୍ଦୀ ଛାତିରେ
ନିଧୂମ୍ ଖରାବେଳେ, ଚିକ୍ ଚିକ୍ ପାଣିରେ
କିନ୍ତୁ ହାୟ,
ମୋ କଟା ଡେଣା ଥୁଆ ହୋଇଥାଏ
ଜେଲ୍ କୋଠରୀରେ,
ନିର୍ବୋଧ ଇଚ୍ଛାମାନେ କବର ନିଅନ୍ତି
ବିଚାର ଓ ବ୍ୟସ୍ତତାର ଗଣ୍ଡିତଳେ
ମୋତେ ନିଦ ହୁଏନି ଦୁଇଖଣ୍ଡ କମଳରେ
ଦୁଇ ଓଳି ଭାତ ଖାଏ ମୁଁ ପୁଣି ରସର ଥାଳିରେ
ଦିନରାତି କଟିଯାଏ ମୋର ବନ୍ଦୀ କୋଠରୀରେ
ସାଳନ୍ଦୀକୁ ପୋତି ଦିଆଯାଏ ବିଗ୍ ବଜାରରେ ।
Related Posts
About The Author
Add Comment