କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ତୀବ୍ର ବିରୋଧ

Spread the love

ବାଲେଶ୍ୱର, ୧୪/୦୧/୨୧ (ସନ୍ଧାନ ନିଉଜ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ୪୯ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବୁଧବାର ଦିନ ନୂତନ ଆଇନର ପ୍ରତିଲିପିକୁ ପୋଡ଼ା ଯାଇଛି। ସ୍ଥାନୀୟ ଫାଣ୍ଡିଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେମ ରଞ୍ଜନ ପାତ୍ର, କ୍ଷେତ ମୂଲିଆ ନେତା ଶିଶିର ହୁଇ, କୃଷକ ସଭା ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଭାଗବତ ପ୍ରତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ଶୀତାଂଶୁ ସେନାପତି, ବିଜୟ ପାତ୍ର, ଦୀପ୍ତିମାନ ଆଚାର୍ଯ୍ୟ, ଶ୍ୟାମସୁନ୍ଦର ଜେନା, ବିକାଶ ଦାସ, ପ୍ରଦୀପ ସ, ଜୀବନ ପରିଡ଼ା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ଦୃଢ ସମାଲୋଚନା କରିଥିଲେ। କୃଷକମାନେ ନୂତନ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁପ୍ରିମ କୋର୍ଟ ଆଇନ କାର୍ଯ୍ୟକାରୀକୁ ସ୍ଥଗିତ ରଖି ଆଲୋଚନା ନିମନ୍ତେ ୪ ଜଣିଆ କମିଟି ଗଠନ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେମାନେ କହିଥିଲେ। ନୂତନ ଆଇନକୁ ସମର୍ଥନ କରୁଥିବା ୪ଜଣ ବ୍ୟକ୍ତିଙ୍କୁ ଏହି କମିଟିରେ ରଖାଯିବା କେଉଁ ନ୍ୟାୟରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର ନ ହୋଇଛି, ସେ ପର୍ଯ୍ୟନ୍ତ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସେମାନେ ନୂତନ କୃଷି ଆଇନର ପ୍ରତିଲିପିକୁ ପୋଡ଼ି ବିରୋଧ ପ୍ରଦର୍ଶନ କରିଥିଲେ।

Related Posts

About The Author

Add Comment