ଭୋଗରାଇ, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଭୋଗରାଇ ବ୍ଲକ ଦୁଡ଼ିପଳ ପଞ୍ଚାୟତ ବାହାର୍ଭା ସମବାୟ ସମିତି ଅଧୀନ ସରକାରୀ ଧାନ କ୍ରୟ କେନ୍ଦ୍ରରେ ଓଜନରେ ଠକେଇ ଅଭିଯୋଗ ହୋଇଛି। ଆଜି ଏହି କ୍ରୟ କେନ୍ଦ୍ରରେ ଚାଷୀମାନଙ୍କ ଠାରୁ ଧାନ କିଣିବା ବେଳେ ଓଜନରେ ଠକେଇ ହେଉଥିବା ଧରାପଡ଼ିଥିଲା। ଏହାକୁ ନେଇ ସ୍ଥାନୀୟ – ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟେକ୍ତ ଚାଷୀମାନେ ଏହି କେନ୍ଦ୍ରରେ ଚାଲିଥିବା ଠକେଇରେ ସମିତି ସମ୍ପାଦକ ଓ ମିଲରର ଅସାଧୁ ମେଣ୍ଟକୁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ସୂଚନା ଅନୁସାରେ, ସମବାୟ ସମିତିରେ ପ୍ରାୟ ୨୦ରୁ ଅଧିକ ଦିନ ଧରି ସରକାରଙ୍କ ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ଏସଏନଏମ ନାମକ ମିଲର ଜରିଆରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ହେଉଥିବା ବେଳେ ସମିତିର ସମ୍ପାଦକ ପରିମଳ ଦାସ ଧାନମଣ୍ଡି ଦାୟିତ୍ବରେ ରହିଛନ୍ତି। ତେବେ ଆଜି ଦୟାନିଧି ପରିଡ଼ା ଓ ଗୌରହରି ଦାସ ନାମକ ଚାଷୀ ଧାନ ବିକ୍ରି କରିବାକୁ ଆସିଥିଲେ । ଦୟାନିଧି ଘରୁ ଓଜନ କରି ୧ ଦ୍ବିଣ୍ଟାଲ ଧାନ ଆଣି ସମିତିରେ ଥିବା କମ୍ପ୍ୟୁଟର ଓଜନକଣ୍ଟାରେ ଓଜନ କରିବା ବେଳେ ଧାନର ଓଜନ ୮୭ କେଜି ହୋଇଥିଲା । ସେହିଭଳି ପ୍ରତି ଦ୍ବିଣ୍ଟାଲରୁ ୧୩ କେଜି ଓଜନ କମ୍ ରହୁଥିବାରୁ , କମ୍ପ୍ୟୁଟର ନିକିତିକୁ ନେଇ ସନ୍ଦେହ ଉପୁଜିଥିଲା। ପରେ ଅନ୍ୟ ଚାଷୀମାନେ ମଧ୍ୟ ଓଜନ, କରିବାରୁ ଓଜନ କମ୍ ହେଉଥିବା ଜଣାପଡ଼ିଥିଲା । ଏହାକୁ ନେଇ ପୂର୍ବରୁ ମଣ୍ଡିରେ ଧାନବିକ୍ରି କରିଥିବା ଚାଷୀମାନଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ପହଞ୍ଚି ସମ୍ପାଦକ ଶ୍ରୀ ଦାସଙ୍କୁ ଏହାର କାରଣ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଅସନ୍ତୋଷ ସୃଷ୍ଟି ହେବା ସହ ଚାଷୀମାନେ ଆଜିପର୍ଯ୍ୟନ୍ତ ଉକ୍ତ ମଣ୍ଡିରେ ଯେତିକି ଚାଷୀମାନଙ୍କ ଠାରୁ ଧାନ କିଣାଯାଇଛି ତା’ର ହିସାବ କରାଯାଇ କ୍ଷତିପୂରଣ ପ୍ରଦାନ କରିବା ସହ ତୁରନ୍ତ ଏହି ଠକାମିରେ ସମ୍ପୃକ୍ତ ଥିବା ସମିତିର ସମସ୍ତ କର୍ମଚାରୀଙ୍କୁ ନିଲମ୍ବନ କରିବା ଦାବିରେ କମର୍କା – ବାଲିଆପାଳ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବରପାଇ ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ବସନ୍ତ କୁମାର ଗିରି ଓ କମର୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପକ୍ଷରେ ଦୁଡ଼ପଳ ସରପଞ୍ଚ ଅନାଦି ପାଳଙ୍କ ସହ ନରେନ୍ଦ୍ର ଦାସ, ନିଶିକାନ୍ତ ମହାନ୍ତି, ପ୍ରଫୁଲ୍ଲ ରାଉତଙ୍କ ସମେତ ଶତାଧିକ ଚାଷୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାପଡ଼ିଛି।
ଧାନ ଓଜନରେ ଠକେଇକୁ ନେଇ ତାତିଲେ ଚାଷୀ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରେ ବସିଲେ
|
January 5, 2021 |


