ବାରିପଦା-୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବାଙ୍ଗିରିପୋଷିରେ ବିଏସ୍ ଏନ୍ ଲ (ଭାରତ ସଞ୍ଚାର ନିଗମ ଲିମିଟେଡ) ସେବା ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହୋଇଛି। ଏନେଇ ଉପଭୋକ୍ତମାନେ ଅଭିଯୋଗ କରିବା ସହ ଏହି ସେବାକୁ ତୂରନ୍ତ ତୂରାନ୍ବିତ କରିବା ପାଇଁ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ସେବାରେ ବାରମ୍ବାର ବିଭ୍ରାଟ ଦେଖାଯାଉଥିବାରୁ ବିଭିନ୍ନ ଅଫିସ୍ ,ଅନୁଷ୍ଠାନରେ ଏହି ସେବା ଏକପ୍ରକାର ଅକମୀ ହୋଇପଡିଛି ବୋଲି ଅଭିଯୋଗ ଉଠିଛି। ଅଭିଯୋଗ ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ ଅଫିସ୍ ନିକଟରେ ବିଏସ୍ ଏନ୍ ଲ ଟେଲିକମ୍ କମ୍ପାନିର ଏକ ଟେଲିଫୋନ ଏକ୍ସଚେଞ୍ଜ ଦୀର୍ଘବର୍ଷ ଧରିଲୋକଙ୍କୁ ଲ୍ୟାଣ୍ଡମାଇନ ବ୍ରଡବ୍ୟାଣ୍ଡ ଓ ମୋବାଇଲ୍ ସେବା ଯୋଗାଇ ଆସୁଛି। ଏଠାରେ କୈାଣସି ଅଧିକାରୀ ରହୁନାହାନ୍ତି।ବହୁ ସମୟ ଧରି ବିଏସ୍ ଏନ୍ ଏଲ୍ ର ସମସ୍ତ ସେବା ବ୍ୟାହତ ହେଉଥିବା ଦେଖିବାକୁ ମିଳୁଛି।ଗତ କିଛିଦିନ ହେବ ବିଭାଗୀୟ କର୍ମଚାରୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଉପଭୋକ୍ତା ବାଙ୍ଗିରିପୋଷି ବିଏସ୍ ଏନ୍ ଏଲ୍ ଏକ୍ସଚେଞ୍ଜ ଅଫିସ୍ ମାତ୍ର ୨ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଚାଲିଛି। ସେମାନେ କାର୍ୟ୍ୟ ବନ୍ଦ କରିଥିବାରୁ ମୋଟ ଉପରେ କହିବାକୁ ଗଲେ ବର୍ତ୍ତମାନ ଏକ୍ସଚେଞ୍ଜ ଅଫିସ୍ ରେ କାମ ସମ୍ପୁର୍ଣ୍ଣ ରୂପେ ବନ୍ଦହୋଇଯାଇଛି।ଗୋଟିଏପଟେ ବିଏସ୍ ଏନ୍ ଏଲ୍ ଅଫିସରେ କୈାଣସି କାର୍ୟ୍ୟ ହେଉ ନ ଥିବାରୁ ବାଙ୍ଗିରିପୋଷିରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବ୍ୟାଙ୍କ,ପୋଷ୍ଟ ଅଫିସ୍ ,ଜନସେବା କେନ୍ଦ୍ର ଏବଂ ଛୋଟବଡ ଆନ୍ଦୋଳନ ଆବେଦନ କେନ୍ଦ୍ରମାନଙ୍କରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେଉଛି।ହିତାଧିକାରୀମାନେ ବୁକ୍ ଠାରୁ ୩୦/୩୫ କିଲୋମିଟର ଦୂରତା ଗ୍ରାମଗୁଡିକରୁ ଆସି ଅପେକ୍ଷା କରି କରି ହଟହଟା ହୋଇ ଫେରୁଛନ୍ତି। ବ୍ରଡବ୍ୟାଣ୍ଡ ସେବା ଫେଲ ମାରିବା ଦ୍ବାରା ବ୍ୟାଙ୍କି ଏବଂ କିଓସ୍କୋ ସର୍ଭିସ୍ ଗୁଡିକରେ ହେଉଥିବା ବିଭିନ୍ନ ନେଣବେଶ ମଧ୍ୟ ପ୍ରଭାବିତ ହେଉଛି। ଚାକିରି ଅନୋଷଣ କରୁଥିବା ଯୁବକ ଯୁବତୀ ତଥା ଉଚ୍ଚ ଶିକ୍ଷା ପାଇଁ ଅନଲାଇନ୍ ଫର୍ମ ଆବେଦନ କରୁଥିବା ଛାତ୍ରଛାତ୍ରୀ ଠିକ୍ ସମୟରେ ଆବେଦନ କରିପାରୁ ନାହାନ୍ତି। ବାଙ୍ଗିରିପୋଷି ଅଞ୍ଚଳରେ ବିଏସ୍ ଏନ୍ ଏଲ୍ ବ୍ୟତୀତ ଅନ୍ୟ କୌଣସି ଟେଲିକମ୍ କମ୍ପାନିର ବ୍ରଡବ୍ୟାଣ୍ଡ ଚାଲୁ ନ ଥିବାରୁ ଫର୍ମ ଆବେଦନଠାରୁ ଆରମ୍ଭ ରେଲୱେଟିକେଟ୍ ବୁକିଂ ଆଦି ଇଣ୍ଟରନେଟ ସେବା ଠପ୍ ହୋଇ ପଡୁଛ । ଏହାଛଡା ଲିଜ୍ ଲାଇନ୍ ମଧ୍ୟ ଖରାପ ହୋଇ ପଡିଛି । ଅଗ୍ନିଶମ, ଆମ୍ବୁଲାନ୍ସ, ପୋଲିସ ଆଦି ଜରୁରୀକାଳୀନ ସେବା ପାଇବାରୁ ଲୋକେ ବଞ୍ଚିତ ହୋଇଛନ୍ତି ।
ଏବାବଦରେ ଟେଲିଫୋନ ଏକ୍ସଚେଞ୍ଜରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ପଚାରିଲେ ସେମାନେ କହନ୍ତି, ଆମେ ୨୦ ରୁ ୨୫ ବର୍ଷ ଧରି ଏହି ଅଫିସରେ କାର୍ୟ୍ୟ କରୁଛୁ । କିନ୍ତୁ ଆଜି ପର୍ୟ୍ୟନ୍ତ ଆମକୁ ସରକାରୀ କର୍ମଚାରୀ ଭାବେ ପରିଗଣିତ କରାଯାଉ ନାହିଁ । ସେହି ଅନୁସାରେ ଦରମା ମଧ୍ୟ ଦିଆଯାଉ ନାହିଁ । ୧୨ ମାସ ହେଲାଣି ବକେୟା ଦରମା ମିଳି ନାହିଁ । ଇସିଏଫ୍ ଓ ଇଏସ୍ଆଇ ମଧ୍ୟ ଜମା ହେଉନି । କମ୍ ଟଙ୍କାରେ ଆଉ ବିନା ଦରମାରେ କେତେଦିନ ଏମିତି ଆମେ ରାତିଦିନ ଖଟିବୁ ବୋଲି ସେମାନେ କହିଛନ୍ତି । ତେଣୁ ଦରମା ନାହିଁ ତ କାମ ନାହିଁ ବୋଲି କହି ସମଗ୍ର ଜିଲ୍ଲାରେ ବିଏସ୍ଏନ୍ଏଲ୍ କର୍ମଚାରୀ ମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି କଖିଛନ୍ତି ।
ଅନ୍ୟପକ୍ଷେ ଏହି ଆନ୍ଦୋଳନକୁ ଆଳିତୁ ୨୨ ଦିନ ଅତିକ୍ରାନ୍ତ ହେବାକୁ ବସିଲାଣି,ଅଥଚ ଉପରିସ୍ଥ ଅଧିକାରୀମାନେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଅସ୍ଥାୟୀ କର୍ମଚାରୀଙ୍କ ପାଖରେ ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେମାନେ ଅସହାୟତା ପ୍ରକାଶ କରିଛନ୍ତି । ମାସ ମାସ ଧରି ଦରମା ନ ମିଳିବା ଯୋଗୁଁ ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କିପରି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଆଗକୁ ଯଦି ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ସମସ୍ୟାରେ ହସ୍ତକ୍ଷେପ ନ କରନ୍ତି କାର୍ୟ୍ୟବନ୍ଦ ଆନ୍ଦୋଳନ ଅଧିକ ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ବାଙ୍ଗିରିପୋଷିରେ ବିଏସ୍ଏନ୍ଏଲ୍ ସେବା ଠପ୍
|
July 25, 2020 |
