ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳରେ ଦୁର୍ଘଟଣା: ଟ୍ରାକ୍ଟର ଡାଲା ତଳେ ଚାପିହୋଇ ଶ୍ରମିକ ମୃତ

Spread the love

ବାଲେଶ୍ୱର, ୨୫/୦୬/୨୦ (ସନ୍ଧାନ ନିଉଜ) : ନିର୍ମାଣଧୀନ ଅଙ୍ଗାରଗଡ଼ିଆ ରେଳ ଓଭରବ୍ରିଜ୍‌ଠାରେ ଓଜନିଆ କଂକ୍ରିଟ୍ ବିମ୍ ବୋଝେଇ ଟ୍ରାକ୍ଟର ଡାଲା ଓଲଟିପଡ଼ିବା ଫଳରେ ଏଥିରେ ଚାପିହୋଇ କାର୍ଯ୍ୟରତ ଜନୈକ ଠିକାଶ୍ରମିକଙ୍କର ଆଜି ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ତେଲେଙ୍ଗାସାହି ଅଞ୍ଚଳର ସୁନା ସୋରେନ୍ (୨୯)। ସେ ଅଙ୍ଗାରଗଡ଼ିଆ ରେଳ ଓଭରବ୍ରିଜ୍ ନିର୍ମାଣ କରୁଥିବା ଠିକାସଂସ୍ଥାରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ନିର୍ମାଣସ୍ଥଳରୁ ପ୍ରାୟ ୪ଟନ୍ ଓଜରନର ଏକ ଅନାବଶ୍ୟକ କଂକ୍ରିଟ୍ ବିମ୍‌କୁ ସ୍ଥାନାନ୍ତର କରାଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କ୍ରେନ୍ ଯୋଗେ ବିମ୍‌କୁ ଟ୍ରାକ୍ଟର ଡାଲାରେ ଲୋଡ଼ କରାଯିବା ସମୟରେ ସୁନା ସୋରେନ୍ ସେଠାରେ ଉପସ୍ଥିତ ଥିଲା। ଲୋଡ଼ କରିବା ପରେ ଏହି ବିମ୍ ଟି ଗୋଟେ କଡ଼କୁ ଗଡ଼ିଯିବା ଫଳରେ ଡାଲାଟି ଓଲଟି ପଡ଼ିଥିଲା। ଡାଲା ପାଶ୍ୱର୍ରେ ଛିଡ଼ା ହୋଇଥିବା ସୁନା ସୋରେନ୍‌ଏଥିରେ ଚାପି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଶିଳ୍ପାଞ୍ଚଳ ଥାନା, ସହଦବେକୁଣ୍ଟା ଥାନା ପୁଲିସ ସମେତ ବାଲେଶ୍ୱର ଜିଆରପି ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ କେଉଁ ଥାନା ପୁଲିସର ପଞ୍ଚନାମା ପରେ ମୃତଦେହ ବ୍ୟବଚ୍ଛେଦ ହେବ ତାହାକୁ ନେଇ ଦୀର୍ଘସମୟ ଆଲୋଚନା ହୋଇଥିଲା। ଶେଷରେ ସହଦେବଖୁଣ୍ଟା ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ନେବାକୁ ଉଦ୍ୟମ କରୁଥିବା ବେଳେ ତେଲେଙ୍ଗାସାହି ବାସିନ୍ଦା ପହଞ୍ଚି ବିରୋଧ ସହ କ୍ଷତିପୂରଣ ଦାବି କରିଥିଲେ। ଗତ କିଛିଦିନ ଧରି ବିବାହ କରିଥିବା ସୁନା ସୋରେନ୍‌ର ପତ୍ନୀ ଏବେ ଗର୍ଭବତୀ ଥିବା ବେଳେ ତା’ର ସଂସାର ଗୁଜରାଣ ପାଇଁ କ୍ଷତିପୂରଣ ଦାବିରେ ଲୋକେ ଅଡ଼ିବସିଥିଲେ। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ସ୍ଥିତି ଦେଖାଯାଇଥିଲା। ତେବେ ରେଳବାଇ ପୁଲିସର ମଧ୍ୟସ୍ଥତାରେ ଦୀର୍ଘ ସମୟର ଆଲୋଚନା ପରେ ରେଳ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସୁନା ସୋରେନ୍‌ଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଧାର୍ଯ୍ୟ କ୍ଷତିପୂରଣ ନେଇ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Related Posts

About The Author

Add Comment