କବିତା “ଏକୋଇଶି ଦିନି ମାତର”

Spread the love
ଆସିଛିରେ ଭାଇ କରୋନା
ତାଆ କଥା ଭାବି ଥରୋନା ।
ହେଲେ ଏଇ ବେଳେ
ବାହାରକୁ ଯାଇ
ଦେହରେ ଭୁତାଣୁ ଭରୋନା ।।
ଭୟଙ୍କର ଏଇ ଭୂତାଣୁ
ମୁକୁଟ ଖସାଏ ସୂତାଣୁ ।
ହେୟ ଜ୍ଞାନ କରି
କହୁଛ କାହିଁକି
ଭୂତାଣୁ ନା ଇଏ ଫୁତାଣୁ..?
ଦେଶେ ଦେଶେ ଇଏ ବୁଲୁଛି
ମୃତ୍ୟୁ ହୋଇ ବେକେ ଝୁଲୁଛି ।
ମହାମାରୀ ସାଜି
ଆସିବାରୁ ତା’ର
ଗରବରେ ଛାତି ଫୁଲୁଛି ।।
ଛୁଇଁଦେଇ ଇଏ ଡେଉଁଛି
ଭାରି ନିର୍ଯ୍ୟାତନା ଦେଉଛି ।
ମଣିଷ ଶରୀର
ଭିତରେ ପଶିକି
ଅଛାଟେ ଜୀବନ ନେଉଛି ।।
ରହିବନି ତା’ର ଗରବ
ଗରବ ହେବ ତା’ ଖରଵ ।
ଅଳପ ଦିନରେ
ଚାଲିଗଲେ ସିଏ
ଆନନ୍ଦେ ପାଳିବା ପରବ ।।
ଆସିଛିରେ ମୁହଁ ଗଳେଇ
କାଲି ଯିବ ସିଏ ପଳେଇ ।
ଯେତେ କଷ୍ଟ ହେଉ
ନୀତି ନିୟମ କୁ
ତା’ପାଇଁ ନେବରେ ଚଳେଇ ।।
ଘରେ ଥିବ ସଦା ବସିକି
କଥା କହୁଥିବ ହସିକି ।
ସର୍କାରୀ ନିର୍ଦେଶେ
ରହିଥିବ ଘରେ
ପଦାକୁ ଯିବନି ଖସିକି ।।
ଆଉ କାହା ଘର ଯାଅନା
ଏଣୁତେଣୁ କିଛି ଖାଅନା ।
ଏମିତି କରିକି
ପରିବାର ସାଥେ
ଜମା ତୁମେ ଦୁଃଖ ପାଅନା ।।
କାମ ଦାମ ଯାଉ ଚୁଲିକି
ଯିବନି କୁଆଡେ ବୁଲିକି ।
ଏକୋଇଶୀ ଦିନ
ରହିବରେ ଘରେ
ସହର ବଜାର ଭୁଲିକି ।।
ଏକୋଇଶୀ ଦିନି ମାତର
ନହୋଇକି ଜମା କାତର ।
“ତାଲାବନ୍ଦ” ମାନି
ରହିଲେରେ ଘରେ
ଭୂତାଣୁ ପଶିବ ଗାତର ।।
ସାତ ଦିନ ସେଥୁ ଗଲାଣି
ଭାରି ହରକତ କଲାଣି
ଖୁସି ହୋଇଯିବା
ଶୁଣିବା ଯେ’ ଦିନ
କରୋନା ଭୁତାଣୁ ମଲାଣି ।।
ଘରେ କଣ ଦିଟା ଖାଇକି
ଗୁଣୁ ଗୁଣୁ ଗୀତ ଗାଇକି ।
ବସିବା ଅପେକ୍ଷା
କାମ କର କିଛି
ବାଡ଼ି ଆଡେ ତୁମ ଯାଇକି ।।
ମିଳିଛିରେ ଗୋଟେ ସୁଯୋଗ
ଭାବୁଛ କାହିଁକି ଦୁର୍ଯ୍ୟୋଗ ।
ବିପଦ ଟଳିଲେ
ବଞ୍ଚିବା ପାଇଁକି
କରିବରେ ଯାଇଁ ଉଯୋଗ ।।
ସଞ୍ଜ ଆସିଗଲେ ଗଡ଼ିକି
ଚାହିଁଦେଇ ତୁମ ଘଡିକି ।
ଚିତ୍ତ ଶୁଦ୍ଧିକର
ଏଇବେଳେ ଭାଇ
ଗୀତା ଭାଗବତ ପଢିକି ।।
ଦୁଃଖ ଯାତନା କୁ ସହିବା
ସଙ୍ଗରୋଧ ହୋଇ ରହିବା ।
ସଚେତନ ଆଉ
ସତର୍କ ପାଇଁକି
ପଡା ପଡ଼ୋଶୀଙ୍କୁ କହିବା ।।
ଚାରିଆଡେ ପଡେ ଚହଳ
ଏ ଦୁଃଖ ଟା ଭାରି ବହଳ ।
ଜଗା ଏ ଜଗତ
ଜଗିଛି ଜାଣିଥା
ଦୁଃଖ ଶେଷ ହେବ ସଅଳ ।।
ଜଗା ଯଦି ଇଛା କରିବ
କରୋନା ଭୁତାଣୁ ମରିବ ।
ତାହାହେଲେ ଯାଇଁ
ଆମ ଏ ବିଶ୍ୱରେ
ସୁଖ ଆଉ ଶାନ୍ତି ଭରିବ ।।
ଯଦି ଏ ବିପଦୁ ତରିବା
ହରି ନାମ ମୁହେଁ ଧରିବା ।
ସଞ୍ଜ ସକାଳରେ
ମିଳିମିଶି ଆସ
ଏଇ କାମ ଟାକୁ କରିବା ।।
             ଭକ୍ତ ଚରଣ ସାହୁ

Related Posts

About The Author

Add Comment