-ସତୀଶ ବିଶ୍ୱାଳ-
ଘର ଉପରେ ବିପଦ ପଡିବା ପୂର୍ବରୁ ପରିବାରର ମୁରବୀ ଯେଭଳି ସତର୍କ ହୋଇ ଆଗୁଆ ପଦକ୍ଷେପ ନେଇଥାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେହିପରି କରୋନା ନେଇ ତତ୍ପରତା ପ୍ରକାଶ କରିଛନ୍ତି । କରୋନା ଭୂତାଣୁ ବିରୋଧରେ ମିଳିତ ସଂଗ୍ରାମ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷୀଣ ଏସୀୟ କ୍ଷେତ୍ର ସହଯୋଗ ସଂଗଠନ ତଥା ସାର୍କ (ସାଉଥ ଏସିଆନ ଆସୋସିଏସନ ଫର ରିଜିଓନାଲ କୋଅପରେସନ) ରାଷ୍ଟ୍ରମୁଖ୍ୟ ମାନଙ୍କୁ ଆହ୍ୱାନ ଦେଇ ସମଗ୍ର ବିଶ୍ୱରେ ଭାରତ ପାଇଁ ଏକ ସକାରାତ୍ମକ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏଥିସହ କରୋନା ଜରୁରୀକାଳୀନ ପାଣ୍ଠି ଗଠନ ପ୍ରସ୍ତାବ ଏବଂ ଭାରତ ତରଫରୁ ଏଥିପାଇଁ ଏକ ମିଲିୟନ ଡଲାର ଦେବା ନେଇ ସୋମବାର ଘୋଷଣା କରିଥିଲେ । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହିଦିନ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ କିଭଳି ନିଜକୁ ରକ୍ଷା କରିହେବ ସେ ନେଇ ଟୁଇଟ କରି ପରାମର୍ଶ ଦେବା ସହ ମୁକାବିଲା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏ କ୍ଷେତ୍ରରେ ଥିବା ଆନ୍ତରିକତା ଠିକ୍ ଓଡିଆ ଜାତିର ମୁରବୀତୂଲ୍ୟ । ସମୁଦାୟ ମାନବ ଜାତି ପାଇଁ ସୃଷ୍ଟି ହୋଇଥିବା ଏଭଳି ବିପତ୍ତି ବେଳେ ଅନ୍ତତ ସମସ୍ତେ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ମତ ଦେଇ ସହଯୋଗର ହାତ ବଢାଇବା ଉଚିତ । ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା, ଆଗୁଆ ୩ ମାସର କଣ୍ଟ୍ରୋଲ ସାମଗ୍ରୀ ଓ ୪ ମାସ ଭତ୍ତା ପ୍ରଦାନ, କରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ଟଙ୍କା ମଞ୍ଜୁର ଆଦି ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ସମ୍ବେଦନଶୀଳତାକୁ ଅଧିକ ପ୍ରମାଣିତ କରୁଛି ।
କରୋନା ନେଇ ହୋଇଥିବା ଏକ ପରିସଂଖ୍ୟାନରୁ ଜଣାପଡିଛି କି ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ଆକା୍ରନ୍ତ ଓ କ୍ଷତିଗ୍ରସ୍ତ ହେଉଛନ୍ତି । ଚୀନରେ କରୋନା ଆକ୍ରାନ୍ତ ମହିଳାଙ୍କ ମଧ୍ୟରୁ ୨.୮ ପ୍ରତିଶତ ମରିଥିବା ବେଳେ ପୁରୁଷଙ୍କ ମଧ୍ୟରୁ ୪.୭ ପ୍ରତିଶତ ପ୍ରାଣ ହରାଇଥିଲେ । ଦକ୍ଷୀଣ କୋରିଆରେ ଯେତିକି ଲୋକ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ ମହିଳା ଅଟନ୍ତି । ତେଣୁ ସେଠାରେ ମୃତ୍ୟୁହାର କମ । କିନ୍ତୁ ଇଟାଲୀରେ ପୁରୁଷମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସେଠାରେ ମୃତ୍ୟୁହାର ଅଧିକ ।
ଆମ ରାଜ୍ୟରେ ରହିଛି ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ କଟକ ଯାହାକି ଏସସିବି ମେଡିକାଲ ନାମରେ ପରିଚିତ ଏବଂ ଗାଁ ଗହଳିରେ ଲୋକେ କଟକ ବଡ ଡାକ୍ତରଖାନା ବୋଲି କହିଥାନ୍ତି । ଏହି ଏସସିବି ମେଡିକାଲ ଉପରେ ସର୍ବାଧିକ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି । ସେଥିପାଇଁ ତ ଲୋକେ ଏହି ଏସସିବିକୁ ଆପେ ଆପେ ବଡ ଡାକ୍ତରଖାନାର ମାନ୍ୟତା ଦେଲେ । ଏଠାକୁ ଗଲେ ରୋଗ ଭଲ ହୋଇଯାଏ ବୋଲି ଲୋକଙ୍କ ଧାରଣା । ରାଜ୍ୟରେ ଭଲ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଯେତେ ସବୁ ଉଦ୍ୟମ ତାର ସବୁଠାରୁ ବଡ ନମୁନା ସର୍ବଦା ଏହି କଟକ ବଡ ଡାକ୍ତରଖାନା ହିଁ ବହନ କରିଥାଏ । ସେଇଥିପାଇଁ ବୋଧେ ଗଲା କେଇମାସ ହେବ ସରକାର ଏହି ବଡ ଡାକ୍ତରଖାନାର ସ୍ୱାସ୍ଥ୍ୟକୁ ଠିକ କରିବାରେ ଲାଗି ପଡିଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ଅନେକ ପ୍ରଶଂସା ବି ମିଳିଛି ।
କରୋନା ପାଇଁ ମୁଖ୍ୟତଃ ଅସ୍ୱାସ୍ଥ୍ୟକର ପରିବେଶକୁ ଅଧିକ ଦାୟୀ କରାଯାଉଛି । କେହି ଲୋକ ଭଲରେ କିମ୍ବା ଖୁସିରେ କଟକ ବଡ ଡାକ୍ତରଖାନାକୁ ଯାଇ ନଥାଏ । ଜୀବନ ବିକଳେ ନିଜର କିମ୍ବା ନିଜର ସମ୍ପର୍କୀୟଙ୍କ ଜୀବନ ବଂଚାଇବାକୁ ଲୋକେ ଏଠାକୁ ଯାଇଥାନ୍ତି । ଏଠାରେ ଚଲାବୁଲା କରୁଥିବା ପ୍ରତ୍ୟେକ ବ୍ୟକ୍ତି (ଡାକ୍ତର କିମ୍ବା କର୍ମଚାରୀ ନୁହନ୍ତି) ପ୍ରକାଶ ନକେଲେ ବି ଦଃୁଖର ଦରିଆ ଭିତରେ ରହିଥାନ୍ତି । ନିଜକୁ କିମ୍ବା ସମ୍ପର୍କିୟର ସ୍ୱାସ୍ଥ୍ୟ ନେଇ ଚିନ୍ତାରେ ଥାନ୍ତି । ସେଥିପାଇଁ ରୋଗୀ କିମ୍ବା ତାର ସମ୍ପର୍କିୀୟଟିଏ ଏଠାରେ ରହିବାକୁ ଆବଶ୍ୟକ ହେଲେ କରୋନା କଣ ମୃତ୍ୟୁକୁ ସାମନା କରିବାକୁ କିମ୍ବା ଆପଣେଇବାକୁ ପଛାଇ ନଥାଏ । ହେଲେ ଏହି ବଡ ଡାକ୍ତରଖାନାରେ କଦର୍ଯ୍ୟ ପରିବେଶକୁ କେହି ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଆଗରୁ ଯାହା ଚାଲିଥିଲା ତାହା ଚଳି ଯାଉଥିଲା । କିନ୍ତୁ କରୋନା ବିପତ୍ତି ପରେ ବି ଅବସ୍ଥାରେ ସୁଧାର ନାହିଁ । ଚଳିତ ସପ୍ତାହରେ ମୁଁ ଏହି ବଡ ଡାକ୍ତରଖାନାର ନ୍ୟୁରୋସଜରୀ ୱାର୍ଡକୁ ଜଣେ ରୋଗୀଙ୍କୁ ଦେଖିବାକୁ ଯାଇଥିଲି । ରୋଗୀମାନେ ତ ଯେଭଳି ଟ୍ରକ ଡାଲାରେ ଚାଉଳ ବସ୍ତା ଲଦା ହେବା ପରି ଜଣକ ପରେ ଜଣେ ପିଣ୍ଡାରେ ପଡିଥିଲେ ତାହା ନକହିବା ଭଲ । ରୋଗୀଙ୍କ ଯତ୍ନ ନେବାକୁ ରୋଗୀ ପାଖରେ ଥିବା ଲୋକଙ୍କ ଦୁର୍ଦ୍ଦଶା ରୋଗୀଠାରୁ ବି ଦୟନୀୟ । ସବୁଠାରୁ ଉଦବେଗ ଜନକ ଥିଲା ସଂପୂର୍ଣ୍ଣ ୱାର୍ଡରେ ହେଉଥିବା ଦଃୁଗନ୍ଧ ଏବଂ ଅପରିଷ୍କାର ପରିବେଶ । ସେଠାରେ ଗୋଟିଏ ମୁହୁର୍ତ୍ତ ଠିଆ ହୋଇ ରହିବା ମୁସ୍କିଲ ହୋଇ ପଡୁଥିଲା । ପ୍ରାୟ ଲୋକମାନେ ମୁହଁରେ ରୁମାଲ ଦେଇ ଚଳପ୍ରଚଳ କରୁଥିଲେ । କରୋନାରୁ ବଂଚିବାକୁ ମୁହଁରେ ରୁମାଲ ଦେଉ ନଥିଲେ ବରଂ ଦଃୁଗନ୍ଧରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଥିଲେ । ରୋଗୀ ଓ ସେମାନଙ୍କ ପାଖରେ ରହୁଥିବା ଲୋକ ମାନଙ୍କ ଦୟନୀୟ ଚିତ୍ର ଦେଖି କରୋନା ନେଇ ସମସ୍ତ ସରକାରୀ ତତ୍ପରତା ଉପହାସ କରୁଥିଲା । ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଓ ସ୍ତମ୍ବକାର ଭାବେ ଏଥିନେଇ ନଲେଖିଲେ ମୁଁ ନିଜର ଧର୍ମ ବିରୋଧ କାର୍ଯ୍ୟ କଲି ବୋଲି ଚିନ୍ତା କରି ଫେରିଥିଲି । କେବଳ ନ୍ୟୁରୋସର୍ଜରୀ ନୁହେଁ ଅନେକ ବିଭାଗରେ ଏଭଳି ଅବସ୍ଥା । ରାଜ୍ୟର ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ରକେନ୍ଦ୍ରର ଅବସ୍ଥା ତତୋଧିକ । ଲୋକେ ଏଠାକୁ ରୋଗ ଭଲ କରିବାକୁ ଆସି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଆଉ ଗୋଟିଏ ରୋଗ ସାଥୀରେ ନେଇ ଯିବାର ସମ୍ବାବନା ଉଜ୍ଜ୍ୱଳ । ଏପରିକି ଏଭଳି ସ୍ଥାନରେ କରୋନା ଭୁତାଣୁ ଜନ୍ମହେବା ଏବଂ ବଂଶ ବିସ୍ତାର କରିବାର ସମ୍ବାବନା ବି ଉଜ୍ଜ୍ୱଳ ।
ଲୋକେ ଏହି ବଡ ଡାକ୍ତରଖାନାକୁ ଜୀବନ ପ୍ରଦାନକାରୀ ମନ୍ଦିର ବୋଲି ଭାବିଥାନ୍ତି । ହଜାର ହଜାର ଗରୀବ ଲୋକଙ୍କ ପାଇଁ ଏହି ବଡ ଡାକ୍ତରଖାନା ବଡ ଆଶା ଓ ଭରସା । କାରଣ ଧନୀଙ୍କ ପାଇଁ ବଡ ବଡ ବେସରକାରୀ ହସ୍ପିଟାଲ ଦ୍ୱାର ଉନ୍ମୁକ୍ତ ଥାଏ । ଏଠାରେ ରୋଗୀକୁ ବେଡ ମିଳୁ ବା ନମିଳୁ ଅନ୍ତତ କରୋନା ଭୟରୁ ମୁକ୍ତି ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ଟିକେ ସ୍ୱାସ୍ଥ୍ର୍ୟକର ପରିବେଶ ଦିଆଯିବ ନାହିଁ? ସାନିଟାଇଜର, ମାସ୍କ, ନାପକିନ ନେଇ ଏତେ ପ୍ରଚାର ଓ ପ୍ରସାର ଚାଲିଥିବା ବେଳେ ସରକାର ଅନ୍ତତ କଟକ ବଡ ଡାକ୍ତରଖାନାରେ ରୋଗୀ ଏବଂ ତାଙ୍କର ଯତ୍ନ ନେବାକୁ ଥିବା ଲୋକ ମାନଙ୍କୁ ଏସବୁ ସାମଗୀ୍ର ଯୋଗାଇ ଦେବାରେ ଅସୁବିଧା କୋଉଠି?
ଏହି ବଡ ଡାକ୍ତରଖାନାରେ ରୋଗୀ ମାନଙ୍କ ପାଖରେ ପ୍ରାୟ ତ ପୁରୁଷମାନେ ଅଧିକ ସଂଖ୍ୟାରେ ରହିଥାନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷମାନେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହେଉଥିବାର ପୂର୍ବରୁ ଏଇଥିପାଇଁ ମଧ୍ୟ ଉଲ୍ଲେଖ କରିଛି । କଟକ ବଡଡାକ୍ତରଖାନାରେ ଥିବା ରୋଗୀ ଏବଂ ରୋଗୀଙ୍କ ଦେଖାଶୁଣା କରିବାକୁ ରହୁଥିବା ସମ୍ପର୍କିୟମାନେ କରୋନା ପ୍ରତିରୋଧ ପାଇଁ କୌଣସି ପ୍ରକାର ସରକାରୀ ସହଯୋଗ ଓ ସୁଯୋଗ ନପାଇବା ଏବଂ ଅସ୍ୱାସ୍ଥ୍ର୍ୟକର ପରିବେଶରେ ରହିବା ଆମ ବ୍ୟବସ୍ଥାର ତତ୍ପରତାକୁ ଉପହାସ କରୁଥିଲା । ସବା ପଛ ଧାଡିରେ ଠିଆ ହୋଇଥିବା ମଣିଷ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚôବା ଦରକାର । କଟକ ବଡଡାକ୍ତରଖାନାରେ ପ୍ରାୟତ ଏହି ପଛ ଧାଡିରେ ଥିବା ମଣିଷମାନେ ଜୀବନ ବଂଚାଇବାକୁ ଅଧିକ ସଂଖ୍ୟାରେ ଆସିଥାନ୍ତି । ଏହି ବଡ ଡାକ୍ତରଖାନାଟି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ଏକ ବଡ ପରିଚୟ ହୋଇଛି । କରୋନା ବିରୋଧରେ ଆମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାକୁ ଏହି ବଡ ଡାକ୍ତରଖାନାରେ କାର୍ଯ୍ୟକାରୀ କରିବାର ବଡପଣ ଦେଖାଇ ପ୍ରଶାସନ କରୋନା ତତ୍ପରତାର ଆଉ ଏକ ସଂକେତ ଦେଉ ।
ବରିଷ୍ଠ ସାମ୍ବାଦିକ,
ଗ୍ରାମ-ଭୁବନପୁର, ପୋ-ଗଡମଧୁପୁର, ଯାଜପୁର



