ସମ୍ବଲପୁର, ୧୯/୧/୨୦୨୦ (ସନ୍ଧାନ ନିଉଜ): ଶେଷରେ ଠାବ ହଲା ଜିଲ୍ଲାର ସାକ୍ଷୀପଡା ଗୋଆଲା ପଡାର ନିଖୋଜ ବିବାହିତା ମହିଳା ଆରତୀ ଦେବୀଙ୍କ ମୃତଦେହ। ଶନିବାର ସମ୍ବଲପୁର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସହାୟତାରେ ମାଟି ଖୋଳି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ପଛ ପଟେ ଥିବା ଆମ୍ବୁରେଇ ଜଙ୍ଗଲ ଭିତରୁ ମାଟି ଖୋଳି ନିଖୋଜ ମହିଳାଙ୍କ ମୃତଦେହକୁ ଠାବ କରିଛି ସମ୍ବଲପୁର ପୋଲିସ। ଗତ ଡିସେମ୍ବର 31 ତାରିଖରୁ ମହିଳା ଜଣକ ତାଙ୍କ ସ୍ବାମୀ କୁନାଲ ସିଂଙ୍କ ସହ ଝଗଡା କରି ରହସ୍ୟମୟ ଭାବେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ଶ୍ବଶୁର ଘରୁ ନିଖୋଜ ହୋଇଯାଇଥିଲେ। ଏହା ପରେ ମହିଳାଙ୍କ ଶ୍ବଶୁର ଘର ଲୋକ ମଧ୍ୟ କୁଆଡେ ଫେରାର ହୋଇଯାଇଥିଲେ।
ଏଭଳି ପରିସ୍ଥିତିରେ ସନ୍ଦେହ ହେବାରୁ ମହିଳାଙ୍କ ବାପା ବିହାରରୁ ସମ୍ବଲପୁର ଆସି ନିଜ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ସମ୍ବଲପୁର ମହିଳା ଥାନାରେ ଜାନୁଆରୀ 9 ତାରିଖରେ ଏତଲା ଦେଇଥିଲେ। ଏହାପରେ ସମ୍ବଲପୁର ପୋଲିସ ଟିମ ଗଠନ କରି ମହିଳାଙ୍କ ଶ୍ବଶୁର ଘର ଲୋକଙ୍କୁ ଖୋଜିବାକୁ ବିହାର ଓ ପଶ୍ଚିମବଙ୍ଗ ପଠାଇଥିଲା । ସେଠାରୁ ମୃତ ଆରତୀଙ୍କ ସ୍ଵାମୀ କୁନାଲଙ୍କ ସମେତ 5 ଜଣଙ୍କୁ ପୋଲିସ ସମ୍ବଲପୁର ଆଣି ପଚରା ଉଚରା କଲା ପରେ ଏହି ସ୍ଥାନରୁ ମାଟି ଖୋଳି ଆରତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି।