ମାଲକାନଗିରି (ସନ୍ଧାନ ନିୟୁଜ): ଦୀର୍ଘଦିନର ନିରବତା ପରେ ପୁଣି ମାଲକାନଗିରି ଜିଲ୍ଲାରେ ମାଓବାଦୀ ସକ୍ରିୟ ହୋଇଛନ୍ତି। ନିଜ ପତିଆରା ଜାହିର କରିବା ସହ ଆତଙ୍କ ସୃଷ୍ଟି କରିବା ପାଇଁ ଜଣେ ଯୁବକକୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ତଥା କାଲିମେଳା ବ୍ଲକର ଦୁର୍ଗମ ତେଲରାଇ ପଞ୍ଚାୟତର ସୁଧାକୋଣ୍ଡା ଗାଁର ବଜା ମାଡ଼କାମୀଙ୍କ ପୁଅ ଗଂଗା ମାଡ଼କାମୀ (୩୦) ମାଓବାଦୀଙ୍କ ଟର୍ଗେଟରେ ରହିଥିଲେ। ଗତକାଲି ରାତି ପ୍ରାୟ ୧୧ଟାରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଯୋଜନାବଦ୍ଧ ଭାବେ ଗାଁରେ ପଶିଥିଲେ। ଛାତ ଉପରକୁ ଚଢ଼ି ଗଙ୍ଗାଙ୍କୁ ନିଦରୁ ଉଠାଇଥିଲେ। ସେ କ’ଣ ହେଉଛି କିଛି ବୁଝିବା ପୂର୍ବରୁ ହାତକୁ ବାନ୍ଧି ଚଲାଇ ଚଲାଇ ଗାଁ ବାହାରକୁ ନେଇ ଯାଇଥିଲେ। ଗାଁ ଶେଷ ମୁଣ୍ଡରେ ଅତି ନିକଟରୁ ୨ଟି ଗୁଳି କରି ହତ୍ୟା କରିଥିଲେ। ସେଥିରୁ ଗୋଟିଏ ବେକରେ ଓ ଅନ୍ୟଟି ପେଟରେ ବାଜି ଘଟଣାସ୍ଥଳରେ ଗଙ୍ଗାଙ୍କର ମୃତ୍ୟୁ ହୋଇଯାଇଥିଲା।




