ସାଂସଦ ପ୍ରମିଳା ବିଶୋୟୀ ପାଇବେ ‘ଆର୍ଥ ହିରୋ ଆୱାର୍ଡ’

Spread the love

ନୂଆଦିଲ୍ଲୀ, ୭/୧୧ (ସନ୍ଧାନ ନିଉଜ) : ‌ମୟୂରମାନଙ୍କର ସୁରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ସହ  ନିଜର ‘ଜୀବନବ୍ୟାପି ସଫଳତା’ (ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ) ପାଇଁ ଓଡ଼ିଶାର ସାଂସଦ ପ୍ରମିଳା ବିଶୋୟୀଙ୍କୁ ୨୦୧୯ ମସିହା ପାଇଁ ମିଳିବ ସମ୍ମାନଜନକ ‘ଆର୍ଥ ହିରୋ ଆୱାର୍ଡ’। ରୟାଲ ବ୍ୟାଙ୍କ ଅଫ୍‌ ସ୍କଟଲାଣ୍ଡ (ଆରବିଏସ୍‌) ଗ୍ରୁପ୍‌ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ‘ଆର୍ଥ ହିରୋ ଆୱାର୍ଡ’ ପାଇଁ ଓଡ଼ିଶାର ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଶୋୟୀଙ୍କୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଓଡ଼ିଶା ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍‌ ଅଧିନସ୍ଥ ‌େଚରମାରିଆ ଗ୍ରାମ ନିକଟସ୍ଥ ପାକିଡ଼ି ପର୍ବତରେ ମୟୂରମାନଙ୍କର ରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ ଶ୍ରୀମତୀ ବିଶେୟୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଛି। ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ବିଶୋୟୀ ବିଗତ ୧୮ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ଏକଜୁଟ କରି ପାକିଡ଼ି ପର୍ବତରେ ରହୁଥିବା ମୟୂରମାନଙ୍କୁ ଶିକାରୀମାନଙ୍କର କବଳରୁ ରକ୍ଷା କରିବା ସହ ସେମାନଙ୍କ ବଂଶବୃଦ୍ଧି ନିମନ୍ତେ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରିଛନ୍ତି। ଯାହାକି ପରିବେଶର ସନ୍ତୁଳନ ରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏଥିପାଇଁ ଶ୍ରୀମତୀ ବିଶୋୟୀଙ୍କୁ ପୂର୍ବରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ‘ପ୍ରକୃତି ବନ୍ଧୁ’ ଓ ‘ପ୍ରକୃତି ମିତ୍ର’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି।

Related Posts

About The Author

Add Comment