୧୯ ତମ ଜାତୀୟ ସୁପରଭାଇଜରି ଦକ୍ଷତା ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନାର ଦଳ ବିଜୟୀ

Spread the love

ରାଉରକେଲା, ୯/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) ରାଉରକେଲା ଇସ୍ପାତ କାରଖାନାର ଏକ ୩ ଜଣିଆ କର୍ମଚାରୀ ଦଳ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପୂର୍ବାଞ୍ଚଳ ଜୋନ ଦ୍ଵାରା କୋଲକାତାଠାରେ ଆୟୋଜିତ ୧୯ ତମ ଜାତୀୟ ସୁପରଭାଇଜରି ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଲାଭ କରି ଇସ୍ପାତ କାରଖାନା ପାଇଁ ଗୌରବ ଆଣିଦେଇଛନ୍ତି । ବିଜୟୀ ଦଳର ସଦସ୍ୟମାନେ ହେଲେ ନୂତନ ପ୍ଳେଟ ମିଲ ବିଭାଗରେ ଓସିଟି ରୂପେ କାର୍ୟ୍ୟରତ ଶ୍ରୀ ଦୀପକ ସାହୁ, ଶ୍ରୀ ଗୋପବନ୍ଧୁ ବେହେରା ଏବଂ ଶ୍ରୀ ଶୀର୍ଷାନନ୍ଦ ଦାସ।
ଆରଏସପି ଦଳ ମରାମତି ଓ ରକ୍ଷଣାବେକ୍ଷଣ ବର୍ଗରେ “ରିହିଟିଙ୍ଗ ଫର୍ଣ୍ଣେସରେ ମିକ୍ସଡ ଗ୍ୟାସ ପ୍ରେସରର ନିର୍ଭରଶୀଳତାରେ ଉନ୍ନତି” ଶୀର୍ଷକ ଉପସ୍ଥାପନା ପ୍ରସ୍ତୁତ କରି ଏହି ପୁରସ୍କାର ଲାଭ କରିଥିଲେ। ଉଲ୍ଲେଖନୀୟ ଯେ, ଜାତୀୟ ସୁପରଭାଇଜରି ସ୍କିଲ ପ୍ରତିଯୋଗିତା ଶିଳ୍ପ କ୍ଷେତ୍ରର ସୁପରଭାଇଜରଙ୍କୁ ପ୍ରୋତ୍ସାହନ ଏବଂ ସ୍ୱୀକୃତି ପ୍ରଦାନ ତଥା ସେମାନଙ୍କର ଜ୍ଞାନ ଓ ଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ସିଆଇଆଇ ଦ୍ଵାରା ଅନୁଷ୍ଠିତ ଏକ ସମ୍ମାନଜନକ ପ୍ରୟାସ ଅଟେ ।
ଗୋପବନ୍ଧୁ ପ୍ରେକ୍ଷାଳୟଠାରେ ସେପ୍ଟେମ୍ବର ୪ ତାରିଖରେ ଆୟୋଜିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଦଳର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଏହି ସଫଳତା ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ପୁରସ୍କୃତ ଦଳ ଦ୍ଵାରା ଉପରୋକ୍ତ ପ୍ରକଳ୍ପ ନୂତନ ପ୍ଳେଟ ମିଲ ବିଭାଗରେ କାର୍ୟ୍ୟକାରୀ ହୋଇସାରିଛି । ଉକ୍ତ ରିହିଟିଙ୍ଗ ଫର୍ଣ୍ଣେସ ଗ୍ୟାସ ଇନ୍ଧନ ଦହନ ପ୍ରକ୍ରିୟାରେ କାର୍ୟ୍ୟକରିଥାଏ । ଫର୍ଣ୍ଣେସର ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ଗ୍ୟାସ ପ୍ରେସର ଅସମାନତା ଜନିତ ସମସ୍ୟା ଉପରେ ଏହି ଦଳ କାର୍ୟ୍ୟ କରିଥିଲା। ବିଭିନ୍ନ ବିଶ୍ଳେଷଣ ପଦ୍ଧତିର ଅନୁସରଣ କରି ଉକ୍ତ ଦଳ ସମସ୍ୟାର ମୂଳ କାରଣ ଚିହ୍ନଟ କରିଥିଲେ ଯାହା ମୁଖ୍ୟ ଗ୍ୟାସ କଣ୍ଟ୍ରୋଲ ଭଲ୍ଭରେ ରହିଥିଲା ।ବହୁ ମାନସ ମନ୍ଥନ ପରେ ସମସ୍ୟାର ସମାଧାନ ନିମନ୍ତେ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଥିଲା ଏବଂ ମିକ୍ସଡ ଗ୍ୟାସ ପ୍ରେସର କଣ୍ଟ୍ରୋଲ ଭଲ୍ଭ ପୋଜିସନରକୁ ମିଲର ଉତ୍ପାଦନକୁ ପ୍ରଭାବିତ ନକରି ପରିବର୍ତ୍ତନ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାର୍ୟ୍ୟ ସମ୍ପାଦିତ ହୋଇଥିଲା ଏବଂ ଏହା ଦ୍ଵାରା ଗ୍ୟାସ ପ୍ରେସରରେ ନିରନ୍ତରତା ହୋଇପାରିଛି ।

Related Posts

About The Author

Add Comment