ଶ୍ରାବଣ ଶେଷ ସୋମବାରରେ କାଉଡ଼ିଆଙ୍କ ଜଳାଭିଷେକ
ରାଉରକେଲା ୧୨/୮ (ସନ୍ଧାନ ନିୟୁଜ): ଶ୍ରାବଣର ଶେଷ ସୋମବାରରେ କାଉଡ଼ିଆ ମାନଙ୍କ ଗହଳି ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସର ବାଲୁଙ୍କେଶ୍ୱର ମହାଦେବଙ୍କ ଠାରେ ଶ୍ରଦ୍ଧାଳୁମାନେ ଜଳଲାଗି କରିଥିଲେ । ରାଉରକେଲା ବ୍ୟତିତ ସ୍ଥାନୀୟ ବୀରମିତ୍ରପୁର, ରାଜଗାଙ୍ଗପୁର, ପଡୋଶୀ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ରୁ ବହୁ ଶ୍ରଦ୍ଧାଳୁ ବେଦବ୍ୟାସ ପୀଠ ଆସିଥିଲେ । ସେହିପରି ବାହାର ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ ଅଂଚଳରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ରାଉରକେଲାର ବିଭିନ୍ନ ଶୈବପୀଠକୁ ଆସୁଥିବା ଲକ୍ଷ୍ୟ କରାଯାଇଛି । ଶ୍ରଦ୍ଧାଳୁ ମାନେ ଭୋର ପ୍ରାୟ ୪ଟାରୁ ଲମ୍ବା ଲାଇନ କରି ଶିବଲିଙ୍ଗରେ ଜଳଲାଗି କରିଥିଲେ । ପୂର୍ବ ରାତିରେ ରାଉରକେଲାର ଟିମ୍ବର କଲୋନୀ, ନୟାବଜାର, ବିଭିନ୍ନ ସେକ୍ଟର ଅଂଚଳ ସମେତ ଅନ୍ୟ ଅଂଚଳରୁ କାଉଡ଼ିଆ ମାନେ ପାଦରେ ଚାଲିଚାଲି ଝାଡ଼ଖଣ୍ଡ ରାଜ୍ୟର ମହାଦେବଶାଲ, ବାବାଧାମ ଆଦିକୁ ମହାଦେବଙ୍କ ଜଳଲାଗି ପାଇଁ ଯାତ୍ରା କରିଥିଲେ । ସେହିପରି କିଛି କାଉଡ଼ିଆ ଟ୍ରେନରେ ମଧ୍ୟ ମହାଦେବଶାଲ ଯାତ୍ରା କରିଥିଲେ । ଶ୍ରାବଣର ଶେଷ ସୋମବାରରେ ରାଉରକେଲାର ଛୋଟବଡ଼ ଶିବ ମନ୍ଦିରରେ ମଧ୍ୟ ଶହଶହ ପୁରୁଷ ଓ ମହିଳା ଭକ୍ତଙ୍କ ଗହଳି ପରିଲିକ୍ଷିତ ହୋଇଥିଲା ।
Related Posts
About The Author