ଯାଜପୁର, ୩୦/୫ (ସନ୍ଧାନ ନିୟୁଜ) ଗାଁ ଦାଣ୍ଡରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଗୁରୁତର ଆହତ କରାଯିବା ନେଇ ଜେନାପୁର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏଥିନେଇ ଜେନାପୁର ଥାନାରେ ଗତ ୨୭ ତାରିଖରୁ ଏତଲା ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଅଦ୍ୟାବଧି ଏତଲା କପି ମିଳିନାହିଁ । ଅପରନ୍ତୁ ଆକ୍ରମଣ କରିଥିବା ବ୍ୟକ୍ତିମାନେ ଗାଁରେ ନିଦ୍ୱନ୍ଦରେ ବୁଲୁଥିବା ବେଳେ ମାଡ ମାରିଥିବା ଯୁବକଙ୍କ ନାମରେ ପୁନଶ୍ଚ ମିଥ୍ୟା ମାମଲା କରିବାକୁ ଉଦ୍ୟମ ଚଳାଇଛନ୍ତି ।
ଖବରରୁ ପ୍ରକାଶ, ଜେନାପୁର ଥାନା ଅନ୍ତର୍ଗତ ଚାରଗୋଠ ଗ୍ରାମରେ ଗତ ୨୭ ତାରିଖ ଦିନ ସନାତନ ସାମଲ ଅନ୍ୟ ତିନିଜଣଙ୍କ ସହ ଘରକୁ ଫେରୁଥିବା ବେଳେ ସେହି ଗାଁର କେତେକ ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସନାତନଙ୍କ ହାତ ଭାଙ୍ଗି ଯିବା ସହ ଆହତ ହୋଇଥିଲେ । ଏଥିନେଇ ସନାତନ ଜେନାପୁର ଥାନାରେ ଦେଇଥିବା ଏତଲାରେ ଅଭିଯୋଗ କରିଛନ୍ତି ଯେ, ଚାରଗୋଠ ଗ୍ରାମର ସୁରେଶ ରାଉତ ଏବଂ ତାଙ୍କର ଦୁଇପୁଅ ରତିକାନ୍ତ ଓ ଯତିକାନ୍ତ ଏହି ଆକ୍ରମଣ କରିଛନ୍ତି । ଏଥିନେଇ ମଧ୍ୟ ଗାଁର ଲୋକେ ସାକ୍ଷୀ ଦେଇଛନ୍ତି । ତେବେ ଏହାପରେ ବି ପୋଲିସ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସବୁଠାରୁ ଉଲ୍ଲେଖନୀୟ ଘଟଣା ଏହି କି, ଏହି ଆକ୍ରମଣ ପଛରେ ଏକ ବଡଧରଣର ଦୁର୍ନିତି ପ୍ରସଙ୍ଗର ଲିଙ୍କ ଥିବା ବେଳେ ପୋଲିସ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ସାଧାରଣରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ପ୍ରକାଶ ଥାଉ କି, ଏହି ଗାଁରେ ଅନ୍ୟ ଏକ ମାଡ ଘଟଣାରେ ପୋଲିସ ଠିକଣା ସମୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତମାନେ ଅଧିକ ଉସôାହିତ ହୋଇ ମାଡ ଖାଇଥିବା ହରିଜନ ମହିଳାଙ୍କ ଘର ପୋଡି ଦେଇଥିଲେ । ସେହିପରି ଜେନାପୁର ଥାନା ଅନ୍ତର୍ଗତ ଅଂଜିରାରେ ରିଲିଫ ଚାଉଳ ବଣ୍ଟନରେ କନ୍ଦଳ ନେଇ ଏହି ଗାଁ ଦୁଇଭାଇଙ୍କୁ ଜଣେ ଯୁବକ ମାଡ ମାରି ରକ୍ତାତ କରିଥିଲେ । ଏଥିନେଇ ଗତ ୧୯ ତାରିଖରୁ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥିନେଇ ଜେନାପୁର ଥାନା ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକ ଘଟଣାରେ ଆଇନ ଅନୁସାରେ ପୋଲିସ ପଦକ୍ଷେପ ଗ୍ରହଣ କରୁଛି ।
Report- Prasanta Samal