ଭୁବନେଶ୍ୱର,୧୧/୫ (ସନ୍ଧାନ ନିୟୁଜ)-ସମ୍ଭାବ୍ୟ ବାତ୍ୟା ‘ଫନୀ’କୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ସମସ୍ତ ପରୀକ୍ଷାକୁ ପୂର୍ବରୁ ମେ ୭ ପରିବର୍ତ୍ତେ ମେ ୧୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ତେବେ ବାତ୍ୟାରେ ବିଶ୍ୱବିଦ୍ୟାଳୟର ବ୍ୟାପକ କ୍ଷୟକ୍ଷତି ଏବଂ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ନଜରରେ ରଖି ଏବେ ପୁଣିଥରେ ପରୀକ୍ଷା ଘୁଞ୍ଚାଯାଇଛି। ମେ ୧୨ ପରିବର୍ତ୍ତେ ସମସ୍ତ ପରୀକ୍ଷା ମେ ୨୦ ପରେ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ସ୍ନାତକୋତ୍ତର ପରୀକ୍ଷା ୨୧ତାରିଖଠାରୁ ଆରମ୍ଭ ହେବ। ଏହାସହ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ପରୀକ୍ଷା ତାରିଖ ଓ ସମୟ ଧାର୍ଯ୍ୟ କରାଯିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନଃ ନିର୍ଦ୍ଧାରିତ ସମୟସୂଚୀ ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି। ବିଶେଷକରି ବାୟୋ ଟେକ୍ନୋଲୋଜି, ମାଇକ୍ରୋ ବାୟୋଲୋଜି, କମ୍ପ୍ୟୁଟର ସାଇନ୍ସ ସ୍ନାତକୋତ୍ତର ପରୀକ୍ଷା, ଏମ୍ଜେଏମ୍ସି, ଏଲ୍ଏଲ୍ଏମ୍, ଓଡ଼ିଆ, ଆଇଏମ୍ବିଏ ଆଦି ବିଭାଗର ପରୀକ୍ଷା ସମ୍ପର୍କରେ ଜାଣିବା ଲାଗି ବିଭାଗୀୟ ମୁଖ୍ୟଙ୍କ ସହ ଯୋଗାଯୋଗ କରିବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏବେ ବି କ୍ୟାମ୍ପସ୍ରେ ଇଲେକ୍ଟ୍ରିସିଟି ଆସିପାରିନାହିଁ। ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକ କଟାଯାଇ ନ ଥିବାବେଳେ ପାଣି ଯୋଗାଣ ବ୍ୟବସ୍ଥା ହୋଇନାହିଁ।
ସେପଟେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିଏ, ବି.କମ୍ ଓ ବିଏସ୍ସିର ୪ର୍ଥ ସେମିଷ୍ଟର(ଉଭୟ ରେଗୁଲାର୍ ଓ ବ୍ୟାକ୍ ପେପର) ଆସନ୍ତା ଜୁନ୍ ୨୦ରୁ ଆରମ୍ଭ ହେବ। ସେହିଭଳି ବିବିଏ ଓ ବିସିଏର ୬ଷ୍ଠ ସେମିଷ୍ଟର ପରୀକ୍ଷା ମେ ୩୦ରୁ ଆରମ୍ଭ ହେବ। ଏମ୍.ଫାର୍ମାର ପ୍ରଥମ ସେମିଷ୍ଟର ପରୀକ୍ଷା ମେ ୨୧ରୁ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।





