ଜେଟ୍ ଅବସ୍ଥା ସାଂଘାତିକ, ପାଖରେ ମାତ୍ର ୧୪ଟି ବିମାନ, ଆନ୍ତର୍ଜାତିକ ଉଡ଼ାଣ ବନ୍ଦ

Spread the love

ନୂଆଦିଲ୍ଲୀ, ୧୨/୪ (ସନ୍ଧାନ ନିୟୁଜ) : ଘରୋଇ ବିମାନ ଚଳାଚଳ କଂପାନି ଜେଟ୍ ଏୟାରୱେଜ୍‌ର ଅବସ୍ଥା ସାଂଘାତିକ ହୋଇପଡ଼ିଛି। କଂପାନି ପକ୍ଷରୁ ଏବେ ମାତ୍ର ୧୪ଟି ବିମାନ କିଛିଟା ମାର୍ଗରେ ଉଡ଼ାଣ କରୁଛି। କିଛି ମାସ ପୂର୍ବରୁ ଜେଟ୍ ପକ୍ଷରୁ ୧୨୩ଟି ବିମାନ ଉଡ଼ାଣ କରୁଥିଲା। ଜେଟ୍‌ର ବିମାନ ଉଡ଼ାଣ ସଂଖ୍ୟା ଏତେ କମି ଯାଇଥିବାରୁ ଏହାଠାରୁ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରତ୍ୟାହାର କରିନେବା ବିଷୟରେ ସରକାର ବିଚାର କରୁଛନ୍ତି। ନିୟମ ଅନୁସାରେ ୨୦ରୁ ଅଧିକ ବିମାନ ଥିବା କଂପାନିଗୁଡ଼ିକୁ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରଦାନ କରାଯାଏ। କଂପାନି ପକ୍ଷରୁ ଏହାର ସମସ୍ତ ଆନ୍ତର୍ଜାତିକ ଉଡ଼ାଣକୁ ରଦ୍ଦ କରାଯାଇଛି। ଆନ୍ତର୍ଜାତିକ ଉଡ଼ାଣ ପାଇଁ ଜେଟ୍ କେତେ ଯୋଗ୍ୟ ତାହାର ଅନୁଧ୍ୟାନ କରାଯାଉଛି ବୋଲି ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା କହିଛନ୍ତି। କଂପାନି ସମ୍ପର୍କରେ ଡିଜିସିଏଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ଏହାର ଆନ୍ତର୍ଜାତିକ ଉଡ଼ାଣ ଅନୁମତି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଖରୋଲା କହିଛନ୍ତି। କଂପାନି ପକ୍ଷରୁ ଦେଶର ପୂର୍ବ ଓ ଉତ୍ତର ପୂର୍ବାଚଂଳ ମାର୍ଗରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ସିଙ୍ଗାପୁରକୁ ଜେଟ୍‌ର ଉଡ଼ାଣ ବନ୍ଦ ହୋଇଯାଇଛି। ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦର ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସେହିପରି, ଆଜି ଜେଟ୍‌ର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହାକୁ ବିମାନବନ୍ଦରରେ ଅଟକାଇ ଦିଆଯାଇଥିଲା। ବ୍ୟାଙ୍କଗୁଡ଼ିକ ଠାରୁ ପାଖାପାଖି ୮୦୦୦ କୋଟି ଟଙ୍କାର ଋଣ ନେଇ ପରିଶୋଧ କରିପାରୁନଥିବା ଜେଟ୍‌ ଏହାର ବିମାନଗୁଡ଼ିକ ପାଇଁ ତେଲ କିଣିପାରୁନାହିଁ। ଏହାର ୧୬ ହଜାର କର୍ମଚାରୀଙ୍କୁ ଦରମା ଦେଇପାରୁନି। ଦୈନନ୍ଦିନ ଖର୍ଚ ତୁଲାଇବାକୁ କଂପାନି ପାଖରେ ଟଙ୍କା ନାହିଁ।

ଆସିଲେ ୫ ଗ୍ରାହକ
ଜେଟ୍‌ର ଅଂଶଧନ କିଣିବାକୁ ୫ ଗ୍ରାହକ ଆଗ୍ରହ ଦେଖାଇଛନ୍ତି। ସେଥିରେ କଂପାନିର ପ୍ରତିଷ୍ଠାତା ନରେଶ ଗୋୟଲ ମଧ୍ୟ ଅଛନ୍ତି। ଏସବିଆଇ କ୍ୟାପିଟାଲ ଜେଟ୍‌ ପାଇଁ ଗ୍ରାହକ ଯୋଗାଡ଼ କରୁଛି। ଏହା ପାଖରେ ମୋଟ ୫ଟି ବିଡ୍‌ ପହଞ୍ଚିଛି। ଆଗାମୀ ଦିନରେ ଗ୍ରାହକଙ୍କ ସଂଖ୍ୟା ୧୦ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଗ୍ରାହକଙ୍କ ମଧ୍ୟରେ ପ୍ରତିଷ୍ଠାତା ନରେଶଙ୍କ ବ୍ୟତୀତ ଜେଟ୍‌ର ଅନ୍ୟତମ ସହଯୋଗୀ ଆବୁଧାବିର ଏତିହାଦ, ଟିପିଜି କ୍ୟାପିଟାଲ୍ ଓ ନ୍ୟାସନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍‌ ଫଣ୍ଡ୍‌ (ଏନ୍‌ଆଇଏଫ୍ଏଲ୍‌)ର ନାମ ରହିଛି। ଆଗାମୀ ଦିନରେ ଏୟାର କାନାଡା ଏବଂ ଡେଲ୍‌ଟା ଏୟାରଲାଇନ୍ସ ବିଡ୍ ଦାଖଲ କରିବେ ବୋଲି ଶୁଣିବାକୁ ମିଳୁଛି। ଜେଟ୍‌ର ୭୫% ଅଂଶଧନ ବିକିବା ପାଇଁ ବିଡ୍ ଆହ୍ବାନ କରାଯାଇଛି। ବର୍ତ୍ତମାନ ଜେଟ୍‌ର ମାଲିକାନା ଅଂଶଧନ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ୨୬ଟି ବ୍ୟାଙ୍କ ପାଖରେ ରହିଛି। ବଳକା ଅଂଶଧନ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ବିଦେଶୀ ବିମାନ କଂପାନି ଏତିହାଦ୍‌ ପାଖରେ ରହିଛି।

Related Posts

About The Author

Add Comment