ଭୁବନେଶ୍ୱର,(ସନ୍ଧାନ ନିଉଜ): ସବୁ କଳ୍ପନା ଜଳ୍ପନା, କସରତ ଓ ଚର୍ଚ୍ଚାର ଅନ୍ତ ଘଟିଲା । ଓଡିଶାରେ ହେବ ନାହିଁ ବିଜେପି ଓ ବିଜେଡି ମଧ୍ୟରେ ମେଂଟ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏକ୍ସ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି ମନମୋହନ । ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢିବ ।ମନମୋହନ କହିଛନ୍ତି, ବିକଶିତ ଓଡିଶା ଗଠନ ନିମନ୍ତେ ବିଜେପି ଏକା ଲଢିବ । ମୋଦୀ ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଓଡିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉ ନାହାନ୍ତି । ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇ ପାରୁନି । ଓଡିଶାବାସୀଙ୍କ ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗରେ ସହମତ ହୋଇ ପାରୁନୁ । ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି । ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଲେ ମନମୋହନ । ମୋଦୀ ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ମନମୋହନଙ୍କ ଟୁଇଟକୁ ରି-ଟୁଇଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକାକୀ ଲଢିବା ଟୁଇଟକୁ ରି ଟୁଇଟ୍ କଲେ ଧର୍ମେନ୍ଦ୍ର ।ମନମୋହନ ଏକ୍ସରେ ଲେଖିଛନ୍ତି ସମଗ୍ର ଦେଶରେ ଯେଉଁଠି ଡବଲ ଇଞ୍ଜିନର ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଉ ସେହି ରାଜ୍ୟ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛନ୍ତି । ମାତ୍ର ଓଡିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଏଥିରେ ଓଡିଶାର ଗରିବ ଭାଇଙ୍କୁ ଯୋଜନାର ଲାଭ ମିଳୁନି । ଓଡିଶାର ଅସ୍ମିତା, ଓଡିଶାର ଗୌରବ ଓ ଓଡିଶାର ଲୋକଙ୍କ ହିତ ସହ ଜଡିତ ଅନେକ ବିଷୟରେ ଆମେ ରାଜ୍ୟ ସରକାରଙ୍କ ସହମତି ହୋଇ ପାରୁନୁ ।୪.୫ କୋଟି ଓଡିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ତଥା ବିକଶିତ ଓଡିଶା ଗଠନ ନିମନ୍ତେ ବିଜେପି ଏଥର ଲୋକସଭାର ସମସ୍ତ ୨୧ ସିଟ୍ ଓ ବିଧାନସଭାର ସମସ୍ତ ୧୪୭ ସିଟରେ ଏକାକୀ ଲଢିବ ବୋଲି ଏକ୍ସରେ ଲେଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ସହିତ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନେକ ଥର ଦିଲ୍ଲୀ ଡାକରା ହୋଇଥିଲା । ଏପରିକି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇଥିଲେ । ଉଭୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଏବଂ ନେତାଙ୍କ ମଧ୍ୟରେ ମାରାଥନ ବୈଠକ ହୋଇଥିଲା । ଏକ ପ୍ରକାର ମେଂଟ ସ୍ପଷ୍ଟ ହୋଇ ଯାଇଥିଲା । ମେଂଟ ଆସନ ଭାଗବଂଟାର ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ମେଂଟ ନିଷ୍ପତି ଝୁଲି ରହିଥିଲା । ଆଉ ନିର୍ବାଚନ ତାରିଖ ଘୋଷଣା ସହିତ ଦୁଇ ଦଳର ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଥିଲେ । ଏଥିରୁ ସଙ୍କେତ ମିଳିଥିଲା ଦୁଇ ଦଳ ମଧ୍ୟରେ ମେଂଟ ହେଉନାହିଁ ।୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୧୨ ଓ ବିଜେପି ୮ ଲୋକସଭା ସିଟରେ ନିର୍ବାଚନ ଜିତିଥିଲା । ବିଧାନସଭା ନିର୍ବାଚନରେ ବିଜେଡି ୧୧୨ ସିଟ୍ ଜିତି ସରକାର ଗଢିଥିଲା । ବିଜେପି ୨୩ ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା । ଏଥର ଓଡିଶାରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ଚାରୋଟି ପର୍ଯ୍ୟାୟରେ ଓଡିଶାରେ ଭୋଟ୍ ଗ୍ରହଣ ହେବ । ସମଗ୍ର ଦେଶରେ ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ ।
ସବୁ ଚର୍ଚ୍ଚାର ଅନ୍ତ ଘଟିଲା, ବିଜେଡି ସହ ହେବନି ମେଂଟ; ଓଡିଶାରେ ଏକା ଲଢିବ ବିଜେପି
|
March 22, 2024 |
