ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Spread the love

ଯାଜପୁର,  :  ୨୭/୭/୨୬ (ସନ୍ଧାନ ନ୍ୟୁଜ)ଯାଜପୁର ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA)’ ଅଧୀନରେ ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ସାମର୍ଥ୍ୟ ଶିବିରଗୁଡ଼ିକର ସଫଳ ଆୟୋଜନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ ବ୍ୟାପକ ଆଲୋଚନା କରାଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ, ଆସନ୍ତା ଅଗଷ୍ଟ ୧୯ ତାରିଖରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରେ ଏହି ସାମର୍ଥ୍ୟ ଶିବିରଗୁଡ଼ିକ ପରିଚାଳିତ ହେବ। ଶିବିର ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ସୂଚନା ପ୍ରଦାନ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ବିନା ଦ୍ୱିଧାରେ ଏବଂ ସହଜରେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ସରକାରୀ ସୁବିଧା, ପଞ୍ଜିକରଣ ଓ ଚିକିତ୍ସା ସେବା ପାଇପାରିବେ, ସେଥିପ୍ରତି ପ୍ରଶାସନିକ ସ୍ତରରେ ବିଶେଷ ଧ୍ୟାନ ଦିଆଯିବ। ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରତ୍ୟେକ ଶିବିର ସ୍ଥଳରେ ଉପଯୁକ୍ତ ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପଞ୍ଜିକରଣ କେନ୍ଦ୍ର, ଚିକିତ୍ସା ପରୀକ୍ଷା ଶିବିର, ଦକ୍ଷତା ବିକାଶ ଶାଖା, ବ୍ୟାଙ୍କିଙ୍ଗ ସହାୟତା କାଉଣ୍ଟର ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ଲକ ପ୍ରଶାସନ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ (NGO) ଏବଂ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସକ୍ରିୟ ଭାବେ ନିୟୋଜିତ କରାଯିବ। ପ୍ରକାଶିତ ସୂଚୀ (୨୦୨୬-୨୭) ଅନୁଯାୟୀ, ଅଗଷ୍ଟ ୧୯ ରେ ବଡ଼ଚଣା ବ୍ଲକ୍ (ବଡ଼ଚଣା ମହିଳା ମହାବିଦ୍ୟାଳୟ), ଅଗଷ୍ଟ ୨୧ ରେ ସୁକିନ୍ଦା ବ୍ଲକ୍ (ବ୍ଲକ ସଦର ମହକୁମା), ଅଗଷ୍ଟ ୨୫ ରେ ବିଂଝାରପୁର ବ୍ଲକ୍ (ବାରୁଣୀ ହାଇସ୍କୁଲ, ଫତେପୁର), ଅଗଷ୍ଟ ୨୯ ରେ ଧର୍ମଶାଳା ବ୍ଲକ୍ (ଧର୍ମଶାଳା ମହାବିଦ୍ୟାଳୟ, ଜାରକା), ସେପ୍ଟେମ୍ବର ୧ ରେ ଦଶରଥପୁର ବ୍ଲକ୍ (ଦଶରଥପୁର ହାଇସ୍କୁଲ), ସେପ୍ଟେମ୍ବର ୨ ରେ ଦାନଗଦି ବ୍ଲକ୍ (ବୁଢ଼ାରାଜା ହାଇସ୍କୁଲ), ସେପ୍ଟେମ୍ବର ୩ ରେ ରସୁଲପୁର (ବ୍ଲକ ସଦର ମହକୁମା), ସେପ୍ଟେମ୍ବର ୮ ରେ କୋରେଇ ଓ ବ୍ୟାସନଗର ପୌରାଞ୍ଚଳ (କାହ୍ନୁ ଚରଣ ମହାବିଦ୍ୟାଳୟ, କୋରେଇ), ସେପ୍ଟେମ୍ବର ୯ ରେ ବରୀ ବ୍ଲକ୍ (ଜି.ସି. କଲେଜ, ବରୀ) ଏବଂ ସେପ୍ଟେମ୍ବର ୧୧ ରେ ଯାଜପୁର ବ୍ଲକ ଓ ଯାଜପୁର ପୌରାଞ୍ଚଳ (ବ୍ଲକ ସଦର ମହକୁମା) ଠାରେ ଏହି ଶିବିରମାନ ଅନୁଷ୍ଠିତ ହେବ। ଉକ୍ତ ପ୍ରସ୍ତୁତି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ, ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବ୍ଲକ୍ ଉନ୍ନୟନ ଅଧିକାରୀ, ଚିକିତ୍ସାଧିକାରୀ ଏବଂ ସାମାଜିକ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment