“ମୌଳିକ ସୁବିଧା ପାଇଁ ହାହାକାର” ନେଟୱର୍କ ସେବା ସହିତ ବିଦ୍ୟୁତ ସେବା ବିଛିନ୍ନ

Spread the love

ସୁନ୍ଦରଗଡ ତା: ୨୧/୦୫/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଧୂବେନଦାଣ୍ଡ ଗ୍ରାମ ପଞ୍ଚାୟତର ରପଟଯୋର ଭଗତପଡାରେ ଦୀର୍ଘ ୧୦ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଗ୍ରାମବାସୀ ଅନ୍ଧାର ମଧ୍ୟରେ ଜୀବନ କାଟୁଛନ୍ତି। ଉକ୍ତ ପଡାର ୮ଟି ବିପିଏଲ ପରିବାର ପାଇଁ ସ୍ଥାପିତ ଟ୍ରାନ୍ସଫର୍ମରରେ ବିଦ୍ୟୁତ ସରବରାହ ହେଉନଥିବା ବେଳେ ଟ୍ରାନ୍ସଫର୍ମରରୁ ନିୟମିତ ତେଲ ପଡୁଥିବା ଦେଖାଯାଇଛି। ଗତ ମଇ ୧୨ ତାରିଖର ଝଡ଼ବର୍ଷା ସମୟରେ ବିଦ୍ୟୁତ ଖୁଣ୍ଟ ଉପରେ ଗଛ ଓହଳି ପଡିଥିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ଅନୁମାନ କରାଯାଉଛି। ଏପଟେ ଗୀର୍ଜାପଡାରେ ଥିବା ଟ୍ରାନ୍ସଫର୍ମରରେ ଦୀର୍ଘଦିନ ଧରି ଲୋ-ଭୋଲ୍ଟେଜ ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାକୁ ନେଇ ଗ୍ରାମବାସୀ ସାମାଜିକ କର୍ମୀ ମନୋଜ କୁମାର ଦାନୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ। ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ସରସ୍ବତୀ ବାର୍ଲା, ମଙ୍ଗୁଳି ବାର୍ଲା, ଶାନ୍ତି ବାର୍ଲା ଓ ସୁଶୀଳା ଲାକ୍ରା ଅଭିଯୋଗ କରିଛନ୍ତି। ରପଟଯୋର ଅଞ୍ଚଳଟି ବାଲିଶଙ୍କରା ଓ ଲେଫ୍ରିପଡା ବ୍ଲକର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଓ ମୋବାଇଲ ନେଟୱର୍କ ଭଳି ମୌଳିକ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ଡିଜିଟାଲ ବ୍ୟବସ୍ଥା ବୃଦ୍ଧି ପାଉଥିବା ସମୟରେ ଗ୍ରାମବାସୀଙ୍କୁ ଫୋନରେ କଥା ହେବା କିମ୍ବା ଅନଲାଇନ କାମ କରିବା ପାଇଁ ଗ୍ରାମର ନିର୍ଦ୍ଧିଷ୍ଟ ସ୍ଥାନକୁ ଯାଇ ନେଟୱର୍କ ଖୋଜିବାକୁ ପଡୁଛି। କିଞ୍ଜିରକେଲା ଓ ଅଲାପକାକୁ ଛାଡ଼ିଦେଲେ ଏହି ଅଞ୍ଚଳରେ କୌଣସି ମୋବାଇଲ ଟାୱାର ନଥିବାରୁ ସମସ୍ୟା ଆହୁରି ଗଭୀର ହୋଇଛି। ଅନଲାଇନ ଶିକ୍ଷା ବ୍ୟବସ୍ଥା ବଢ଼ୁଥିବା ବେଳେ ନେଟୱର୍କ ଅଭାବରୁ ସ୍କୁଲ ପିଲାଙ୍କ ପାଠପଢା ମଧ୍ୟ ପ୍ରଭାବିତ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ରପଟଯୋରରେ ଅଙ୍ଗନବାଡ଼ି, ବିଦ୍ୟାଳୟ, ଗମନାଗମନ, ପାଣି ଓ ବିଦ୍ୟୁତ ଭଳି ମୌଳିକ ସୁବିଧାର ଅଭାବ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରିଦେଇଛି। ଏହି ସମସ୍ୟାଗୁଡ଼ିକ ଉପରେ ବ୍ଲକ ପ୍ରଶାସନ ଓ ସରକାର ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment