ମେ ୧୦ରୁ ରବିଧାନ ସଂଗ୍ରହ

Spread the love
  •  
  •  
  •  
  •  
  •  

ସମ୍ବଲପୁର,(ସନ୍ଧାନ ନ୍ୟୁଜ):ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଜିଲାପାଳଙ୍କ ସୂଚନା ଅନୁସାରେ କମିଟିରେ ଆଗତ ପ୍ରସ୍ତାବ ଅନୁସାରେ ସର୍ବସମ୍ମତ୍ତିକ୍ରମେ ଧାନ ସଂଗ୍ରହ ପ୍ରକିୟା ଅରମ୍ଭ ପାଇଁ ମେ ୧୦ତାରିଖ ଧାର୍ଯ୍ୟ ହୋଇଛି।ଧାନକ୍ରୟ ପାଇଁ ଜିଲାର ୯ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ସହିତ ୩୦ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମିତି(ଲାମ୍ପ୍ସ) ଅଂଶଗ୍ରହଣ କରିବେ। ସେହିପରି ଧାନ ସଂଗ୍ରହ ପାଇଁ ସମଗ୍ର ଜିଲାରେ ୬୧ଟି ଧାନକ୍ରୟ କେନ୍ଦ୍ର ଖୋଲାଯିବ। ଧାନ କଷ୍ଟମ ମିଲିଂ ପାଇଁ ଚଳିତ ବର୍ଷ ମୋଟ ୪୬ଜଣ ମିଲର ଅଂଶଗ୍ରହଣ କରିବେ। ଧାନ ବିକ୍ରୟ ପାଇଁ ୧୫,୫୬୮ ଜଣ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିବା ବେଳେ ଯାଞ୍ଚ ପରେ ୧୫,୫୩୪ଙ୍କୁ ପଞ୍ଜିକରଣ କରାଯାଇଛି। ଅନଲାଇନ୍‌ ମୋଡ୍‌ରେ ରିଅଲ୍‌ ଟାଇମ୍‌ କ୍ରୟ ପାଇଁ ପି-ପାସ୍‌ ଜରିଆରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ। ଏଥିପାଇଁ ଚାଷୀମାନଙ୍କୁ କେନ୍ଦ୍ରୀୟ ଟୋକନ୍‌ ଜାରି କରାଯିବ। ଉକ୍ତ ଟୋକନଗୁଡ଼ିକୁ ସମ୍ପୃକ୍ତ କୃଷକଙ୍କ ପଞ୍ଜିକୃତ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରେରଣ କରାଯିବ। କେବଳ ଆଧାର ପ୍ରମାଣପତ୍ର ଓ ଆଇରିସ୍‌ ସ୍କାନର ଜରିଆରେ ଚିହ୍ନଟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ କ୍ରୟ ପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଧାନର ପରିମାଣ ଅନୁଯାଇ ସମ୍ପୃକ୍ତ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ଧାନ ବିକ୍ରୟ ରାଶି ଅନ୍‌ ଲାଇନ୍‌ ମୋଡ୍‌ରେ ଜମା କରାଯିବ। ସମସ୍ତ ପ୍ରସ୍ତାବିତ ମାର୍କ୍ରେଟ୍‌ ୟାର୍ଡ ଓ ଧାନକ୍ରୟ କେନ୍ଦ୍ରଗୁଡ଼ିକ ଗୁରୁବାର ୨୫ତାରିଖଠାରୁ କାର୍ଯ୍ୟକ୍ଷମ ହେବ।୨୦୨୩-୨୪ ରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଗ୍ରେଡ୍‌ ‘ଏ’ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନକ୍ରୟ କେନ୍ଦ୍ରଗୁଡ଼ିକରେ ଯେକୌଣସି ଅସୁବିଧା ବା ସମସ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଆର୍‌ଏମ୍‌ସି ସମ୍ପାଦକମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରେ ସମସ୍ତ କ୍ରୟ କେନ୍ଦ୍ରରେ ପାନୀୟ ଜଳ, ବିଜୁଳି, ଛାଇ ପାଇଁ ତାରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳିର ବ୍ୟବସ୍ଥା ସହିତ ଯଥେଷ୍ଟ ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଗତ ବର୍ଷମାନଙ୍କରେ ଧାନ ସଂଗ୍ରହ ସମୟରେ ହେଉଥିବା କଟନୀ ବା ଅନ୍ୟ କୌଣସି ଅନିୟମିତତାକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏକ ସବ୍‌ କମିଟି ଗଠନ କରାଯାଇଛି। ଉକ୍ତ ସବ୍‌-କମିଟି ଧାନ ସଂଗ୍ରହ ପ୍ରକ୍ରିୟାରେ ଯେକୌଣସି ଅନିୟମିତତା ଉପରେ ନଜର ରଖିବ। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ପରେ ଅନୁଷ୍ଠିତ ବୈଠକରେ ଉକ୍ତ ସବ୍‌-କମିଟି ସମସ୍ତ ଅନିୟମିତାର ସମୀକ୍ଷା କରିବ। ମିଲର୍‌ମାନେ କଟନୀ ଛଟନୀକୁ ଅଧିକ ପ୍ରୋସତ୍ାହିତ କରୁଥିବା ବେଳେ ଏଭଳି କୌଣସି ଖବର ମିଳିଲେ ସମ୍ପୃକ୍ତ ମିଲରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ବୈଠକରେ ଚାଷୀ ପ୍ରତିନିଧି, ମିଲର ସଂଘ ପ୍ରତିନିଧିମାନଙ୍କ ଦ୍ୱାରା ଉପସ୍ଥାପିତ ଗତବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ବୈଠକରେ ଉପସ୍ଥିତ ସମସ୍ତ ଚାଷୀ ଓ ମିଲରଙ୍କୁ ଜିଲାପାଳ ଆସନ୍ତା ମେ ୨୫ରେ ମତଦାନ କରିବାକୁ ଅନୁରୋଧ କରିଥିଲେ।ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅଜାମ୍ବର ମହାନ୍ତି, କୁଚିଣ୍ଡା ଉପଜିଲାପାଳ ହେମସାଗର ଭୋଇ, ଜିଲା ମୁଖ୍ୟକୃଷି ଅଧିକାରୀ ଗୌରୀ ଶଙ୍କର ସିଂ, ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଅତିରିକ୍ତ ଯୋଗାଣ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ, ସଦର ଅତିରିକ୍ତ ଯୋଗାଣ ଅଧିକାରୀ ସୌଭାଗ୍ୟ ନାୟକ, ଅତିରିକ୍ତ ଯୋଗାଣ ଅତିରିକ୍ତ ଯୋଗାଣ ଅଧିକାରୀ(ଏସ୍‌ଏମ୍‌ସି) ବିଶ୍ୱରଞ୍ଜନ ସାହୁ, ଜିଲା ଚାଷୀ ସଙ୍ଗଠନ କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Related Posts

About The Author

Add Comment