ଭଦ୍ରକ,୧୧/୯ (ସନ୍ଧାନ ନିୟୁଜ) ଭଦ୍ରକ ସହର ଅନ୍ତର୍ଗତ ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ସେପ୍ଟେମ୍ବର ମାସ ୧୨ ତାରିଖ ଗୁରୁବାର ଅନନ୍ତ ବ୍ରତ ପୂଜାରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତନାରାୟଣଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଏଥି ସକାଶେ ପୀଠରେ ବ୍ୟାପକ ଆୟୋଜନ ହୋଇଛି । ସାଳନ୍ଦୀ ଘାଟରୁ କଳସ ଆସିବା ପରେ ଘଟ ସ୍ଥାପନ, ପ୍ରଭୁଙ୍କ ଅନନ୍ତ ନାଗ ବ୍ରତ ପୂଜାପାଠ ସହ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଉଛି । ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ମନ୍ଦିରରେ ବିଗ୍ରହ ଅନନ୍ତ ଶୟନକୁ ଦେଖବା ପାଇଁ ଶ୍ରଦ୍ଧାଳୁ ଏବଂ ବ୍ରତ ପାଳୁଥିôବା ଶହଶହ ଭକ୍ତଙ୍କର ଭିଡ଼ ଲାଗିଥାଏ । ଏହି ନରିପୁରସ୍ଥ ଗ୍ରାମରେ ଆଜକୁ ଶତାଧିକ ବର୍ଷ ଧରି ଏହି ବ୍ରତ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ଏଥି ପାଇଁ ନରିପୁର ଅସ୍ତଳ ଚଳଚଞ୍ଚଳ ହୋଇଛି । ଲୋକ ସଂସ୍କୃତି ପରମ୍ପରା ବିଶ୍ୱାସକୁ ନେଇ ପ୍ରତିବର୍ଷ ଅନନ୍ତ ବ୍ରତରେ ମହାପ୍ରଭୁ ଶ୍ରୀଶ୍ରୀ ଅନନ୍ତ ନାରାୟଣଙ୍କ ପୂଜାରେ ଅସ୍ତଳ ଗ୍ରାମ ହୁଏ ଉତ୍ସବମୁଖର । ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଶତାଧିକ ବର୍ଷର ପୂଜା ପରମ୍ପରା ସାର୍ବଜନୀନ ଓ ଗଣପର୍ବ ଭାବେ ପ୍ରସିଦ୍ଧି ଲାଭ କରିଛି । କିମ୍ବଦନ୍ତୀ ଅନୁସାରେ ଏହି ପୂଜା ଶତାଧିକ ବର୍ଷ ତଳୁ ପୁରୁଷାନୁକ୍ରମିକ ଭାବେ ପାଳିତ ହୋଇ ଆସୁଛି । ଯିଏ ଯାହା ପ୍ରଭୁଙ୍କ ପାଖେ ମାନସିକ ରଖେ, ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ପର୍ବ ଉପଲକ୍ଷେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କ ନିକଟରେ ଶରଣାପନ୍ନ । ଏକଶତ ବର୍ଷ ତଳେ ଭଦ୍ରକ ସହରର ନରିପୁର (ଅସ୍ତଳ) ଗ୍ରାମନିବାସୀ ସ୍ୱର୍ଗତ କ୍ଷେତ୍ରମୋହନ ନାୟକ ଓ ତାଙ୍କ ସାଙ୍ଗ ସ୍ୱର୍ଗତ ପୁରୁଷୋତ୍ତମ ପଢିଆରୀ ଦୁହେଁ ବନ୍ତ ବ୍ଳକ ଅନ୍ତର୍ଗତ ମଙ୍ଗୁଲୀ ଗ୍ରାମର ଏକ ତିନିଛକ ରାସ୍ତାରେ ତମ୍ବା ନାଗ, ବ୍ରତ ଆଦି ଠାକୁରଙ୍କୁ ପାଇ ସ୍ୱର୍ଗତ ନାୟକ ତାଙ୍କ ଘରକୁ ଆଣିଥିଲେ । କ୍ଷେତ୍ରମୋହନ ଓ ତାଙ୍କ ପତ୍ନୀ ଜଞ୍ଜାଳୀ ଦେବୀ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆସୁଥବା ବେଳେ ତାଙ୍କ ପୁତ୍ର ସୁରେନ୍ଦ୍ର ଓ ପୁତ୍ରବଧୂ ହରିପ୍ରିୟା ଦୈନନ୍ଦିନ ନୀତିପୂଜା କରୁଥିଲେ । ଘର ପାଖ ଚଉଁରା ମୂଳରେ ସ୍ୱତନ୍ତ୍ର ଠାକୁର ଘର ନିର୍ମାଣ ଚାଲୁଥିବା ବେଳେ ୧୯୭୯ ମସିହାରେ ଅକ୍ଷୟ ତୃତୀୟା ଦିନ ଅନନ୍ତ ଶଯ୍ୟା ବିଶିଷ୍ଟ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ସ୍ୱପ୍ନାଦେଶ ପାଇ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ । ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ ଗ୍ରାମର ମୂର୍ତ୍ତି କାରିଗର ବାବାଜୀ ଦାସଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ବିଗ୍ରହମାନ ଗଢିଥିବା କୁହାଯାଉଛି । ସ୍ୱର୍ଗତ ସୁରେନ୍ଦ୍ରଙ୍କ ପରେ ଏହି ପୂଜା ରୀତି ଅନୁଯାୟୀ ତାଙ୍କ ବଡପୁଅ ଅମର ନାୟକ ଏହାର କର୍ତ୍ତା ହେଉଛନ୍ତି । ଅନନ୍ତ ବ୍ରତ ଦିନ ମହାପ୍ରଭୁଙ୍କ ଅନନ୍ତ ଶୟନ ବେଶ ଦର୍ଶନ ପାଇଁ ଭଦ୍ରକ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଏଠାକୁ ଆସି ଭିଡ କରିଥାନ୍ତି । ପ୍ରଭୁଙ୍କ ଦର୍ଶନ କରି ସେମାନଙ୍କର ମାନସିକ ପୂରଣ ପାଇଁ ଭୋଗ, ସପ୍ତଫେଣା ନାଗ ଦେଇ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହି ପୂଜା ଉତ୍ସବରେ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । କଲିକତାରୁ ବିଭିନ୍ନ କିସମର ଫୁଲ ଓ କାରିଗର ଏଠାରେ ପହଞ୍ଚି ଠାକୁରଙ୍କୁ ସୁସଜ୍ଜିତ କରିଥାନ୍ତି । ସ୍ୱପ୍ନାକୃତ ହେଲେ ବିଗ୍ରହଙ୍କୁ ରଙ୍ଗ କରାଯାଏ ।
ଭଦ୍ରକରେ ଶତାଧିକ ବର୍ଷର ପରମ୍ପରା, ଶ୍ରୀଶ୍ରୀ ଅନନ୍ତନାରାୟଣ ପୂଜା
|
September 11, 2019 |