ବାଲିଗୁଡ଼ା, ୨୨/୯ (ସନ୍ଧାନ ନ୍ୟୁଜ୍) :- ଦୈନନ୍ଦିନ ଚଲା ରାସ୍ତା ପାଇଁ ବିବାଦ ଏବେ ଉଗ୍ରରୂପ ନେବାକୁ ଯାଉଛି । ଦୀର୍ଘ ବର୍ଷ ହେଲା ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବିହିତ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି । ଫଳରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଅବରୋଧ କରିବା ସହ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ୧୩ନଂ ଓ୍ବାର୍ଡ ଅନ୍ତର୍ଗତ ସୁନାପାଙ୍ଗା ଅଞ୍ଚଳର ମହାପାତ୍ର କଲୋନୀରେ । ଘଟଣା ପ୍ରକାରେ ବହୁ ବର୍ଷ ପୂର୍ବରୁ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ସୁନାପାଙ୍ଗା ସାହିର ମହାପାତ୍ର କଲୋନୀରେ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରିଆସୁଛନ୍ତି । ଦୈନନ୍ଦିନ ଯିବା ଆସିବା କରିବାପାଇଁ ମୁଖ୍ୟ ରାସ୍ତାକୁ ଏକ ଚଲାରାସ୍ତା ରହିଅଛି । ହେଲେ ଗତ କିଛିବର୍ଷ ହେବ ଜଣେ ବ୍ୟକ୍ତି ନିଜର ଜାଗାଥିବା କହି ସେହି ରାସ୍ତା ଉପରେ ଘର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି ଦୈନନ୍ଦିନ ଯିବା ଆସିବା ରାସ୍ତା ଉପରେ ଘର ତିଆରି ହୁଏ, ତେବେ ମହାପାତ୍ର କଲୋନୀରେ ରହୁଥିବା ୨୦ରୁ ଉର୍ଦ୍ଧ୍ବ ପରିବାରଙ୍କ ପାଇଁ ରାସ୍ତା ବନ୍ଦ ହୋଇଯିବ । ଏଣୁ ଏନେଇ ସାହି ବାସିନ୍ଦା ତିନି ବର୍ଷ ହେଲାଣି ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବାସହ ସମସ୍ୟାର ସମାଧାନ ପାଇଁ ଗୁହାରି କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ଗୁହାରି କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ସମସ୍ୟାର ସମାଧାନ ନହେଲେ ତା-୨୨.୦୯.୨୦୨୦ ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାଲିଗୁଡ଼ା ଠାରୁ ବାରଖମା ରାଜ୍ୟ ରାଜପଥ ଅବରୋଧ କରିବା ସହ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି l
ବାଲିଗୁଡା ଏନଏସି ୧୩ନଂ ଓ୍ବାର୍ଡ ରାସ୍ତା ମରାମତି ପାଇଁ ବିବାଦ:ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ ପାଇଁ ସାହି ବାସିନ୍ଦାଙ୍କ ଚେତାବନୀ
|
September 22, 2020 |