ଯାଜପୁର, ୧୦/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲାରେ ବରୀ ନିର୍ବାଚନ ମଣ୍ଡଳିର ସ୍ୱତନ୍ତ୍ର ପରିଚୟ ରହିଛି । ବରୀ ମାଟିକୁ ଅନ୍ୟନାମ ବୀର ମାଟି ବୋଲି କୁହାଯାଉଛି । ଏହା ନିର୍ବାଚନ ମଣ୍ଡଳିର ଇତିହାସକୁ ଅବଲୋକନରୁ ସ୍ପଷ୍ଟ ଅନୁମେୟ । ଏହି ମାଟିର ସୁଯୋଗ୍ୟ ସନ୍ତାନମାନଙ୍କର ସ୍ୱାଧିନତା ସଂଗ୍ରାମରେ ଅନନ୍ୟ ଅବଦାନ ପାଇଁ ସମଗ୍ର ଭାରତ ବର୍ଷରେ ବରୀର ପରିଚୟ ନିଆରା । ଏହାଛଡା ସର୍ବୋଦୟ ଓ ଭୂ-ଦାନ ଆନେ୍ଦାଳନରେ ଏହି ଅଂଚଳର ଭୂମିକା ଉଲ୍ଲେଖନୀୟ ରହିଆସିଛି । ଏହି ମାଟିରେ ଏବେ ନିର୍ବାଚନୀ ତାତିକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଛି । ବିଶେଷକରି ଏଠାରେ ବିଜେଡିର ପ୍ରାର୍ଥୀ ବଦଳ ଘଟଣା ରାଜନୈତିକ ପାଣିପାଗକୁ ଗୋଳିଆ କରିଦେଇଛି । ନୀବନ ବାବୁଙ୍କ ରାଜନୈତିକ ଗୋଟି ଚାଳନା ଗୋଟିଏ ଗୁଳିରେ ଦୁଇଟା ଶିକାର କରିଛି । ମାତ୍ର ଏଥିରୁ ଶିକାରୀକୁ କେତେ ଫାଇଦା ମିଳୁଛି ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ଏଠି ଦଳର ପ୍ରାର୍ଥୀ ବଦଳ ନୀତି ଓ ମହିଳା କାର୍ଡ ଭଳି ଦୈତ୍ୟ ନୀତିରୁ ବିଜେଡିକୁ ଫାଇଦା ମିଳିବା ସମ୍ଭାବନାକୁ ନେଇ ରାଜନୈତିକ ସମୀକ୍ଷକମାନଙ୍କ ମନରେ ସଂଶୟ ଉପୁଯିଛି । ତେବେ ନିର୍ବାଚନ ଯେତେ ପାଖେଇ ଆସିବ ଚିତ୍ର ସେତେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଏହି ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ନାଁ ଘୋଷଣା କରିଛି । ଦୀର୍ଘ ଅପେକ୍ଷାର ଅନ୍ତଘଟିିଛି । ହେଲେ ଦଳ ନିର୍ବାଚନ ମଣ୍ଡଳି ଦାଇତ୍ୱକୁ ମହିଳାଙ୍କ ହାତକୁ ଟେକିଦେଇଛି । ଦଳ ପକ୍ଷରୁ ମହିଳାଙ୍କ ପାଇଁ ଶତକଡା ୩୩ଭାଗ ସଂରକ୍ଷଣ ବ୍ୟବସ୍ଥା ବିଧାୟକ ଦେବାଶିଷ ନାୟକଙ୍କୁ ଟିକେଟରୁ ବଂଚିତ କରିଛି । ଏଠାରେ ଦଳ ଦେବାଶିଷଙ୍କ ଜଣାଶୁଣା ବିରୋଧୀ ଭାଜପା ନାରୀନେତ୍ରୀ ସୁନନ୍ଦା ଦାସଙ୍କୁ ଆମଦାନି କରି ଆଣି ପ୍ରାର୍ଥୀ କରିଛି । ଦଳରେ ଅନେକ ଛାମୁଆ ନାରୀନେତ୍ରୀ ଅଛନ୍ତି । ସେମାନେ ଦଳ ପାଇଁ ତୁଣ୍ଡ ସାଜିଛନ୍ତି । ସେମାନଙ୍କ ମଧ୍ୟରୁ ଦଳ କାହାକୁ ଯୋଗ୍ୟ ବୋଲି ମନେ କରିନାହିଁ । ବରଂ ସୁନନ୍ଦାଙ୍କୁ ପ୍ରାର୍ଥୀ କରାଇ ଦଳ ଜଣେ ନାରୀକୁ ଖୁସି କରିଥିବା ବେଳେ ଅନେକ ଆଶାୟୀ ନାରୀନେତ୍ରୀଙ୍କୁ ଅସୁଖୀ ନିଶ୍ଚିତ କରିଛି । ଅନ୍ୟ ପକ୍ଷରେ ମହିଳା କାର୍ଡ ଯୋଗୁଁ ଟିକେଟରୁ ବଂଚିତ ବିଧାୟକ ଦେବାଶିଷ ନାୟକ, ଆଶାୟୀ ସାଧାରଣ ସଂପାଦକ ବିଜୟ ନାୟକଙ୍କୁ ଆଘାତ ପହଁଚାଇଛି ବୋଲି ହେଉଥିବା ଚର୍ଚ୍ଚାକୁ ଅଣଦେଖା କରାଯାଇ ପାରିବ ନାହିଁ । ଏହି କ୍ରମରେ ସୁନନ୍ଦାଙ୍କ ପ୍ରାର୍ଥୀତ୍ୱ ଦଳକୁ ବିଜୟ ପାଇଁ ଯଥେଷ୍ଟ ହେବ ବୋଲି କେହି ବିଶ୍ୱାସକୁ ନେଇ ପାରୁନାହାଁନ୍ତି । ଏଠାରେ ସୁନନ୍ଦାଙ୍କୁ ଦଳ ପ୍ରାର୍ଥୀ କରିବାର ପ୍ରମୁଖ କାରଣ ହେଉଛି ମୁଖ୍ୟ ବିରୋଧୀ ଭାଜପାକୁ ଦୁର୍ବଳ କରିବା । ଭାଜପା ନେତା ବିଶ୍ୱ ରଂଜନ ମଲ୍ଲିକଙ୍କ ଅତ୍ୟନ୍ତ ଘନିଷ୍ଠ, ବିଶ୍ୱସ୍ତ ଅନ୍ୟପଟେ ବିଧାୟକ ଦେବାଶିଷଙ୍କ ଦୃଢ ବିରୋଧୀ ଭାବରେ ପରିଚିତି ସୁନନ୍ଦାଙ୍କୁ ପୁରସ୍କାର ସ୍ୱରୂପ ପଂଚାୟତ ସମିତି ଅଧ୍ୟକ୍ଷାପଦ ମିଳିଥିଲା । ମାତ୍ର ବିଶ୍ୱରଂଜନଙ୍କ ଲୋକ ପ୍ରିୟତାକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେଡି ଏହି ଭଳି ନିତୀ ଆପଣେଇଛି । ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ସମର୍ଥକ ଓ ବିଜେଡି ସମର୍ଥକ ସଂଯୋଗରେ ବିଜେଡି ଜିିତାପଟ ନେବ ବୋଲି ମନେ କରୁଛି । ଟିକେଟ ଘୋଷଣା ପରଠାରୁ ଦଳ ପକ୍ଷରୁ ଉଭୟ ଦେବାଶିଷ ନାୟକ, ବିଜୟ ନାୟକ ଓ ସୁନନ୍ଦା ଦାସଙ୍କୁ ଏକାଠି କରି ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିଛି । ହେଲେ ଭୋଟର ଏହାକୁ କେତେ ଗ୍ରହଣ କରିବେ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲାରେ ଅନ୍ୟ ନିର୍ବାଚନ ମଣ୍ଡଳିର ଚିତ୍ର ଅନୁସାରେ ଏଠିକାର ସ୍ଥିତି ଭିନ୍ନ । ୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ବରୀ ବ୍ଲକରେ ଉନ୍ନୟନ କାର୍ଯ୍ୟ ସନ୍ତୋଷଜନକ ହୋଇପାରି ନାହିଁ । ଏଠି ବିଡିଓଙ୍କୁ ମାଡ ଘଟଣା, ସିଲନ ହତ୍ୟାକାଣ୍ଡ ଭଳି ରାଜନୈତିକ ହିଂସାକାଣ୍ଡ ଅବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଉପୁଯିଥିବା ବିବାଦ ପ୍ରାର୍ଥôନୀ ସୁନନ୍ଦାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ବିଭିନ୍ନ କାରଣରୁ ଘଟିଥିବା ଘଟଣାରେ ଅନେକ ବିଜେଡି ନେତା ଓ କର୍ମୀ ସିଧାସଳଖ ଶିକାର ହୋଇଛନ୍ତି । ଲଢେଇରେ ସାମିଲ ହୋଇଥିବା ଦଳୀୟ କର୍ମୀମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ସେହିଭଳି ଦଳୀୟ କର୍ମୀ ଓ ନେତାମାନେ ସୁନନ୍ଦାଙ୍କ ପ୍ରାର୍ଥôତ୍ୱକୁ କେତେ ଆଦରି ନେବେ ତାହା ଦଳ ପାଇଁ ଏକ ବଡ ସମସ୍ୟା ହୋଇଛି । ଏହାଛଡା ସୁନନ୍ଦାଙ୍କ ପଛରେ ଦଳବଦଳକାରୀ ଅଭିଯୋଗ ବି ରହିଛି । ସେ ଦୀର୍ଘଦିନ ଧରି ବିଜେଡି ବିରୋଧୀ ସଂଗଠନ ସମ୍ଭାଳୁଥିଲେ । ଏହି ସମୟରେ ବହୁ ବିଜେଡି କର୍ମୀଙ୍କ ସହ ତାଙ୍କର ମନୋମାଳିନ୍ୟ ଘଟିଛି । ଉଭୟ ବିଜେଡି ନେତାଙ୍କ ନିକଟତମ ସମର୍ଥକମାନେ ଏବେ ବି ସନନ୍ଦାଙ୍କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏ ସବୁ ସତ୍ୱେ ସୁନନ୍ଦାଙ୍କ ପାଇଁ ଜାତିଆଣା କାର୍ଡ ଖୋଲା ରହିଛି । ସେ ବରୀର ଯାଦବ ପରିବାର ଝିଅ ଓ ବୋହୂ ଭାବରେ ସେହି ବର୍ଗର ଭୋଟକୁ ହାତେଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରିଛନ୍ତି । ଏହି ବ୍ଲକରେ ଯାଦବଙ୍କ ଭୋଟର ସଂଖ୍ୟା ଶତକଡା ୧୭ଭାଗ ବୋଲି ଜଣାପଡିଛି । ଏହାଛଡା ବିଜେଡି ପାଇଁ ଆଉ ଏକ ବିକଳ୍ପ ରହିଛି । ଦଳ ଏହି ନିର୍ବାଚନ ମଣ୍ଡଳିରୁ ଯାଜପୁର ଜିଲା ଲୋକସଭା ପ୍ରାର୍ଥôନୀ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି । ସେ ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳିର ସାମନ୍ତରାପୁର ପଂଚାୟତ ଅତଲାପୁର ଗ୍ରାମର ବୋହୂ । ସେହି ଅଧାରରେ ଦଳ ଅନୁସୂଚିତ ଜାତିଆଣା କାର୍ଡ ଖେଳିବାର ସମ୍ଭାବନା ବି ରହିଛି । ହେଲେ ସାଂସଦ ପ୍ରାର୍ଥôନୀ ଶର୍ମିଷ୍ଠା କେବେ ପ୍ରତ୍ୟେକ୍ଷ ରାଜନୀତିରେ ରହିନାହାଁନ୍ତି । ସେ ପ୍ରଶାସନିକ ସେବାରୁ ଅବସର ନେଇ ରାଜନୀତିକୁ ଓହ୍ଲାଇଛନ୍ତି । ତେବେ ଏତେ ସ୍ୱଳ୍ପ ସମୟରେ ସେ ଲୋକଙ୍କର କେତେ ନିକଟତର ହୋଇପାରୁଛନ୍ତି ତାହା ସମୟ କହିବ । ଅନ୍ୟପକ୍ଷରେ ଆସନ ପାଇଁ ପ୍ରମୁଖ ଦାବିଦାର ବୋଲାଉଥିବା ଭାଜପା ନେତା ବିଶ୍ୱ ରଂଜନ ମଲ୍ଲିକ ବରୀର ବିକାଶକୁ ଆଧାର କରି ନିର୍ବାଚନ ବୈତରଣୀ ପାରିହେବାକୁ ଚାହୁଁଛନ୍ତି ।
ବରୀ ବ୍ଲକର ୨୯ଗୋଟି , ରସୁଲପୁର ବ୍ଲକରୁ୧୦ଗୋଟି ଓ ଯାଜପୁର ବ୍ଲକରୁ ୮ଗୋଟି ସମେତ ମୋଟ ୪୭ଟି ପଂଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳିର ମାନଚିତ୍ର ଗଠିତ । ଏହି ନିର୍ବାଚନ ମଣ୍ଡଳିି ବନ୍ୟା ପ୍ରପିଡିତ ଅଂଚଳ ଭାବରେ ଜଣାଶୁଣା । ଏହି ଅଂଚଳରେ ବିକାଶ ପଛୁଆ ରହିଛିି । ବିଜେଡି ଶାସନର ୨୦ବର୍ଷ ମଧ୍ୟରେ ନିର୍ବାଚନ ମଣ୍ଡଳିରେ ବିକାଶ ହୋଇନାହିଁ । ବିଶ୍ୱଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଲେ ସେ ବରୀର ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି କହିଆସୁଛନ୍ତି । ହେଲେ ସେ ନିର୍ବାଚନରେ କଡ୍ଡା ଟକ୍କର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତାଙ୍କ ଦଳରେ ରହିଥିବା ଗୋଷ୍ଠି ବିବାଦ ବି ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ହେଲେ ଅନ୍ୟ ବିରୋଧୀ କଂଗ୍ରେସ ଦଳ ନିଜର ସ୍ଥିତି ବଜାଇ ରଖିବା ପାଇଁ ପ୍ରୟାସ କରିବ । ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି ଏବେଠାରୁ ଚିତ୍ର ସ୍ପଷ୍ଟ ହୋଇଗଲାଣି । ସବୁ ଦଳରେ ଭାସମାନ ଭୋଟ ଯେଉଁ ପ୍ରାର୍ଥୀ ସପକ୍ଷରେ ଯିବ ସିଏ ବରୀରେ ବିଜୟ ମୁକୁଟ ପିନ୍ଧିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଭୋଟ ଗ୍ରହଣ ବେଳକୁ ଉଭୟ ଦଳରେ ରହିଥିବା ଅଡୁଆ ତଡୁଆ କେତେ ସଜାଡି ହେବ ତା ଉପରେ ସମସ୍ତଙ୍କର ନଜର ରହିଛି ।