ଜିଲ୍ଲା ପ୍ରଶାସନ ଚରମ ଅବହେଳା ; ସଂକ୍ରମଣ ବାଟ ମୁକକୁଳା

Spread the love
  •  
  •  
  •  
  •  
  •  

ବାଲେଶ୍ଵର, ୧୬/୦୭/୨୦ (ସନ୍ଧାନ ନିଉଜ) : ଜିଲ୍ଲାରେ କୋରାନ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହୋଉଥିବା ବେଳେ ଲୋକାଲ କେସ୍ ଉଦବେଗ ଜନକ ସ୍ଥିତି ସୃଷ୍ଟି କରିଛି । ବିଶେଷ କରି ସଂକ୍ରମଣ ଶୃଙ୍ଖଳକୁ ରୋକିବା ପାଇଁ ଯେଉଁସବୁ ପଦକ୍ଷେପ ନିଆଯିବା କଥା ତାହା ଆଉ ପରିଲକ୍ଷିତ ହେଉନାହିଁ । ଏଭଳି ସ୍ଥିତି ଜାରି କହିଲେ ଆଗକୁ ମହାମାରୀ ଭୟଙ୍କର ରୂପ ନେବା ଆଶଙ୍କା ଜଳଜଳ । କହିବାକୁ ଗଲେ ଜିଲ୍ଲାରେ କୋଭିଡ ମୁକାବିଲା ପୂରା ବାଟବଣା ହୋଇଯାଇଛି । ପ୍ରଥମେ କଡାକଟକଣା ,ଏବେ ସବୁ ଖୋଲାମେଲା । ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଆଦୈ ସନ୍ତୋଷଜନକ ନଥିବା ବୁଦ୍ଧିଜୀବୀ ମହଲ ଅଭିଯୋଗ କଲେଣି । କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାୟ ପ୍ରତିଦିନ ବୈଠକରେ ସମୀକ୍ଷା କରୁଛନ୍ତି । କୋଭିଡ ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ,ମାସ୍କ ପରିଧାନ ,ଲକଡାଉନ୍ ,କଣ୍ଟେନମେଣ୍ଟ ଜୋନ ଆଦି କେତେ କଟକଣା କରିଛନ୍ତି । ସାଧାରଣ ଲୋକଟିଏ ଯଦି ମାସ୍କ ପିନ୍ଧୁନି ,କି ସାମାଜିକ ଦୂରତା ରଖୁନି ତା’ ଠାରୁ ଜରିମାନା ଆଦାୟ କିମ୍ବା ମାମଲା ରୁଜୁ କରିବାକୁ ପଶ୍ଚାତପଦ ହେଉନି ପୋଲିସ । ହେଲେ ରାଜନେତା , ସରକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ବଦଳିଯାଉଛି ନିୟମ । ଦିନ ଦ୍ବିପହରେ ନିୟମ ଉଲଘଂନ ହେଉଥିଲେ ମଧ୍ୟ ପ୍ରଶାସନ ଆଖିକୁ କିଛି ଦିଶୁନି । ସରକାରୀ କାର୍ଯ୍ୟାଳୟରେ ମାସ୍କ ପରିଧାନ କେବଳ ଧର୍ମକୁ ଆଖିଠାର । କୋଭିଡ ନିୟମ ଅନୁପାଳନ କ୍ଷେତ୍ରରେ ସାମାନ୍ୟତର ଅବହେଳା ଅର୍ଥ ଭୟଙ୍କର ବିପଦକୁ ବରଣ କରିବା । ଯାହାର ଜ୍ଵଳନ୍ତ ଦୃଷ୍ଟାନ୍ତ ବାଲେଶ୍ଵରର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳୀ ସଭା ।
କୋଭିଡ ନିୟମ ଅନୁସାରେ, ବିବାହ, ଶ୍ରାଦ୍ଧକ୍ରିୟାରେ ଅଧିକ ଲୋକଙ୍କ ସମାଗମ ଉପରେ ଲାଗୁ ହୋଇଛି କଡାକଡି କଟକଣା । ଅଥଚ ସ୍ବର୍ଗତ ଦତ୍ତଙ୍କ ଶ୍ରାଦ୍ଧସଭାକୁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଲେ ସଂଖ୍ୟାଧିକ ରାଜନେତା , ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ଦଳୀୟ କର୍ମୀ । କୋଭିଡ ନିୟମର ଏହା ଖୋଲା ବିରୁଦ୍ଧାଚରଣ ହୋଇଥିଲେ ମଧ୍ୟ ନା ଜିଲ୍ଲାପାଳ,ନା ଏସପି ,ନା ଅନ୍ୟକେହି ବଳିଷ୍ଠ ପଦାଧିକାରୀ ଏ ବାବଦରେ ପାଟି ଖୋଲିଲେ । ଯାହାର ପରିଣତ ଏବେ ସମସ୍ତେ ଭୋଗୁଛନ୍ତି । ଶ୍ରାଦ୍ଧସଭାରେ ଯୋଗ ଦେଇଥିବା ଦୁଇଜଣ ବିଧାୟକଙ୍କ ଠାରୁ ଆରମ୍ଭ କରି ୬ରୁ ଅଧିକ ଲୋକ ଏହାମଧ୍ୟରେ ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି । ଅନେକଙ୍କର ସ୍ବାବ ରିପୋର୍ଟ ଆସିନଥିବାରୁ ଆଗକୁ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଖାଲି ସେତିକି ନୁହେଁ, ସେହି ସଭାରେ ଉପସ୍ଥିତ ଥିବା ସବୁବର୍ଗର ଲୋକ ଓ ସେମାନଙ୍କ ପରିବାର ଏବେ ଭୀତତ୍ରସ୍ତ ଓ ଆତଙ୍କିତ । ପ୍ରଶ୍ନ ଉଠୁଛି ଜୁଲାଇରେ କୋରନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ସତର୍କ କରାଇ ଦେଇଥିଲେ ,ସେଠି ଜିଲ୍ଲା ପ୍ରଶାସନ ଏଭଳି ଅକ୍ଷମଣୀୟ ତ୍ରୁଟି କଲା କେମିତି ? କିଏ ଏହି ସଭାକୁ ଅନୁମତି ଦେଇଥିଲା । ଯଦି ଦିଆଯାଇଥିଲା , ତାହେଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ସବୁ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଅନୁରୂପ ଭାବେ ଗତ ୧୩ ତାରିଖ ସଂଧ୍ୟାରେ ଏକ ପ୍ରକଳ୍ପ ବିରୋଧ କରି ବାଲିଆପାଳଠାରେ ଶତାଧିକ ମହିଳା ଏକାଠି ହୋଇଥିଲେ । ଅଳ୍ପ କେତେକଙ୍କୁ ଛାଡ଼ି ଦେଲେ କାହା ମୁହଁରେ ମାସ୍କ ନଥିଲା । ଦେହକୁ ଦେହ ଲାଗି ଠିଆ ହୋଇଥିବା ଏହି ମହିଳାମାନଙ୍କ ଲାଗି ସାମାଜିକ ଦୂରତା ଥିଲା ଏକ ପ୍ରହସନ । ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବିଡ଼ିଓ ଓ ତହସିଲଦାର କ’ଣ ଜାଣି ପାରୁନାହାଁନ୍ତି ଏହା କୋଭିଡ ନିୟମର ଖୋଲା ଉଲଂଘନ । ଇଏ ଭାତହାଣ୍ଡିରୁ କେବଳ ଗୋଟିଏ ମାତ୍ର । ଜିଲ୍ଲା କୋଭିଡ ନିୟମ ଠିକ୍ ଭାବେ ପରିଚାଳନା କରାଯାଉଥିବା ଏସବୁ ଘଟଣା ସ୍ପଷ୍ଟ । ମହାମାରୀ ସମୟରେ ସବୁ କଟକଣାକୁ କଡାକଡି ଭାବେ ତଦାରଖ କରିବା ଦାୟିତ୍ବ ଜିଲ୍ଲାପାଳଙ୍କର । ତୃଣମୂଳସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଡ଼ିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ମାଳମାଳ ଅଧିକାରୀ ଓ କର୍ମଚାରୀ ଅଛନ୍ତି । ହେଲେ ସବୁଠି ସାହାଣମେଲା । କୋରନା ମୁକାବିଲା ପାଇଁ ସରକାର କିରୋ ଟଲେରାନ୍ସ ନୀତି ଗ୍ରହଣ କରିଥିବା ବେଳେ ଏଠି ତାକୁ ବୁଟକିରେ ଉଡ଼ାଇ ଦେଇଛି ଜିଲ୍ଲା ପ୍ରଶାସନ । ଯାହାର ଫଳ ସ୍ୱରୂପ ଗୋଷ୍ଠୀ ସଂକ୍ରମଣର ବାଟ ଫିଟିଗଲାଣି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ଜିଲ୍ଲାପାଳ ତୁରନ୍ତ କୋଭିଡ ନିୟମକୁ କଡାକଡି ପାଳନ କରିବା କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Related Posts

About The Author

Add Comment