ରାଉରକେଲା, ୨୭/୦୭ (ସନ୍ଧାନ ନିଉଜ: କଥାରେ ଅଛି ଚାଷ ତରତର ବଣିଜ ମଠ । ସେଥିପାଇଁ ବର୍ଷ ଆରମ୍ଭରୁ ଚାଷୀ ସବୁ କିଛି ଠିକ ସମୟରେ କରିଥାଏ ।ଖରିଫ ହେଉ କି ରବି ଫସଲ ।ସବୁ ପାଣିପାଗ ଉପରେ ନିର୍ଭର କରିଥାଏ । ଚଳିତବର୍ଷ ପ୍ରକୃତି ସୁଯୋଗ ଦେଇଥିଲେ ମଧ୍ୟ କରୋନା ବାଟ ଓଗାଳିଛି । ଯଦିଓ ସରକାର ଚାଷ କିମ୍ବା ଚାଷୀଙ୍କ ଉପରେ କୌଣସି କଟକଣା ଲଗାଇନାହିଁ ।ତଥାପି ନିଜ ଜୀବନର ସୁରକ୍ଷା ପାଇଁ ଚାଷୀ ଗୋଟିଏ ପାଦ ପଛକୁ ଫେରିବାକୁ ଚିନ୍ତା କରିଛି । ଦୀର୍ଘ ୧୦୦ଦିନର ବିଶ୍ରାମ ଚାଷୀକୁ କଷ୍ଟ ଦେଇଛି । ଚାଷ କାର୍ଯ୍ୟ ଦିନକୁ ଦିନ ଗଡ଼ିଯାଇଛି ।ବୈଶାଖ ମାସର ଖରାଟିଆ ହଳ କରିଥିବା ଚାଷୀ ଏବେ ଶ୍ରାବଣର ଦ୍ୱାର ଦେଶରେ ପହଂଚିଥିବା ବେଳେ କିଛି ଦିନ ହେଲା ମୌସୁମିର ଲୁଚକାଳି ଖେଳ ଚାଷୀଙ୍କୁ ବ୍ୟଥିତ କରିଥିଲା । ସବୁକିଛି ବର୍ଷା ଉପରେ ନିର୍ଭର କରୁଥିଲା, ସେଥିପାଇଁ ଚାଷୀ ବର୍ଷାକୁ ଅପେକ୍ଷା କରିଥିଲା ବର୍ଷା ବିଲରେ ପାଣି ଦେଇଛି । ଆଷାଢର ପାଣି ହଳ ସାଙ୍ଗକୁ ଶ୍ରାବଣର ଧାନରୁଆ ଚାଷୀକୁ ଚାଷ କାର୍ଯ୍ୟରେ ସୁଯୋଗ ଦେଇଛି । ଆଜି ରାତି ପାହୁ ପାହୁ ଚାଷୀ ହଳ ନେଇ ବିଲକୁ ବାହାରି କ୍ଷେତରେ ପାଣି ହଳ ସାଙ୍ଗକୁ ଧାନ ରୁଆ ବି ଆରମ୍ଭ ହୋଇଛି । ସତେଯେପରି ଚାଷୀ ପୂର୍ବ ପ୍ରସ୍ତୁତି କରି ରଖିଥିଲା । କରୋନା କଟକଣାରେ ବିହନ ବୁଣି ପାରିନଥିବା ଚାଷୀ କିନ୍ତୁ ତଳି ପକାଇ ରଖିଥିଲା । ବର୍ଷାର ସାମାନ୍ୟ ସୂଚନା ଚାଷୀକୁ ବିଲ ଆଡ଼କୁ ଟାଣି ନେଇଛି । ଜୀବିକା ହରାଇ ଫେରିଥିବା ପ୍ରବାସୀ ଏବେ ନିଜ ବିଲରେ ଚାଷ କରିବାକୁ ବାହାରି ପଡ଼ିଛନ୍ତି । ପେଟପାଟଣା ପାଇଁ ସୂଦୂର ସୁରଟ, ମୁମ୍ବାଇ, କୋଲକତା, ବାଙ୍ଗାଲୋର ଆଦି ବଡ଼ ବଡ଼ ମହାନଗରରେ କାର୍ଯ୍ୟକୁ ଅଧା ରାସ୍ତାରେ ଛାଡ଼ି କରୋନା ଭୟରେ ଭିଟାମାଟି ଲାଠିକଟା ବ୍ଲକ ଅଂଚଳର ରାମଯୋଡ଼ି, ମୁଣ୍ଡାଯୋର, ନୂଆଟୋଲି, ମନକୋ, ଡେଲାକୁଦର ଓ ଅନ୍ୟ ଛୋଟ ଗ୍ରାମ ମୁହାଁ ହୋଇଥିଲେ ଅନେକ ପ୍ରବାସୀ । ଏହାପରେ ପୂର୍ବପୁରୁଷଙ୍କ ଚାଷ ଜମିରେ ମୁଣ୍ଡରେ ପଗଡ଼ି ବାନ୍ଧି ବାପା ଏବଂ ଭାଇ ସହିତ ବିଲକୁ ବାହାରି ଯାଇଛି ପ୍ରବାସୀ ଚଷା ପୁଅ । ବାହାରେ ଦାଦନ କଟିବା ବଦଳରେ ନିଜ କ୍ଷେତରେ ମୂଲ ଲାଗିବାକୁ ଉଚିତ ମଣିଛନ୍ତି । ଗୋଟିଏ ଦିନର ବର୍ଷା ଆବଶ୍ୟକ ପରିମାଣର ପାଣି ଦେଇଥିବାରୁ ଚାଷୀ ମନରେ ଖୁସି ଦେଖିବାକୁ ମିଳିଛି । ବିଶେଷକରି ଲାଠିକଟା ବ୍ଲକର କିଛି ଗ୍ରାମାଚଂଳର ବିଲରେ ଚାଷ କାର୍ଯ୍ୟ ଦେଖିବାକୁ ମିଳିଥିଲା ।ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବିଲରେ ଚାଷୀ କାଯ୍ୟ ଚାଲିଥିବା ଜଣାପଡ଼ିଛି ।
ଚାଷ କାର୍ଯ୍ୟରେ ବ୍ୟସ୍ତ ପ୍ରବାସୀ ଚଷା ପୁଅ
|
July 27, 2020 |