ଆଗ୍ରା,୨୯/୩( ସନ୍ଧାନ ନିୟୁଜ୍): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିଲେ। ହେଲେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବାରୁ ରଣବୀର ଖାଇବା, ରହିବାର ଅସୁବିଧା ହେବ ଦେଖି ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଚାଲିଚାଲି ନିଜ ଗାଁ ମଧ୍ୟପ୍ରଦେଶର ମୋରେନାକୁ ଯାଉଥିଲେ। ତେବେ ଗାଁ ଆଉ ୧୦୦ କିଲୋମିଟର ଦୂର ଥିବା ବେଳେ ରଣବୀରଙ୍କର ମୃତ୍ୟୁ ଘଟିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରୁ ଚାଲିଚାଲି ଆସିବା ପରେ ରଣବୀର ସକାଳେ ଆଗ୍ରାରେ ପହଞ୍ଚିଥିଲେ। ଏହାପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରଣବୀର। ଏହାପରେ ପ୍ରାୟତଃ ସକାଳ ସାତଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସିକଂଦରା ଥାନା ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଭୋକ-ଉପାସରେ ରଣବୀର ରହିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି।