କଳିଙ୍ଗନଗର /୦୧/୧୦(ସନ୍ଧାନ ନ୍ୟୁଜ )ଯାଜପୁର: ଶିଳ୍ପାଞ୍ଚଳ କଳିଙ୍ଗନଗରରେ ପ୍ରାୟ ୩୨ ଲକ୍ଷ ଟଙ୍କା ମୂଲ୍ୟର ଫେରୋ ମାଙ୍ଗାନିଜ୍ ହଡ଼ପ ଘଟଣାର ରହସ୍ୟ ଉନ୍ମୋଚନ କରିଛି କଳିଙ୍ଗନଗର ଥାନା ପୋଲିସ। ଯୋଜନାବଦ୍ଧ ଭାବେ ମାଲବୋଝେଇ ଟ୍ରକ୍ର GPS ବନ୍ଦ କରି ସାମଗ୍ରୀ ଅନ୍ୟତ୍ର ନେଇ ବିକ୍ରି କରିଦେବା ଅଭିଯୋଗରେ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍ ବାଦଲ (୨୮)ଙ୍କୁ ପୋଲିସ ଗିରଫ କରିଛି।
କୋରାଇ ଥାନା ଅଧୀନ ସାଦାବପୁର ଗ୍ରାମର ବାଦଲଙ୍କୁ ଗିରଫ ପରେ ସୁକିନ୍ଦା କୋର୍ଟରେ ହାଜର କରାଯାଇଛି। ତାଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଗୋଟିଏ ବୁଲେଟ୍ ମୋଟରସାଇକେଲ୍, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଘଟଣାରେ ବ୍ୟବହୃତ ଟ୍ରକ୍କୁ ପୋଲିସ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ମେସର୍ସ ଏକ୍ସିମ୍ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ପଶ୍ଚିମବଙ୍ଗର ଦୁର୍ଗାପୁରରୁ ୩୬ ଟନ୍ ଫେରୋ ମାଙ୍ଗାନିଜ୍ ଟାଟା କଳିଙ୍ଗନଗର କାରଖାନାକୁ ପରିବହନ ହେଉଥିଲା। AP 05 TF 2510 ନମ୍ବର ଟ୍ରକ୍ରେ ଲୋଡ୍ ହୋଇଥିବା ଏହି ସାମଗ୍ରୀ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା କାରଖାନାରେ ପହଞ୍ଚିବାର ଥିଲା।
ମାତ୍ର କଳିଙ୍ଗନଗରରେ ପହଞ୍ଚିବା ପରେ ଟ୍ରକ୍ର GPS ସଂଯୋଗ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ଟ୍ରକ୍ଟିକୁ ଚଣ୍ଡିଖୋଲ ଦେଇ ମାଙ୍ଗୁଳି ଅଞ୍ଚଳକୁ ନିଆଯାଇ ସେଠାରେ ସମସ୍ତ ଫେରୋ ମାଙ୍ଗାନିଜ୍କୁ ବେଆଇନ ଭାବେ ବିକ୍ରି କରାଯାଇଥିବା ପୋଲିସ ଅଭିଯୋଗରେ ଉଲ୍ଲେଖ ରହିଛି।
ଘଟଣା ସମ୍ପର୍କରେ ଲଜିଷ୍ଟିକ୍ସ କମ୍ପାନୀର ସହକାରୀ ସାଧାରଣ ପରିଚାଳକ ଅବିନାଶ ସାମଲ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୋଲିସ BNSର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତକାରୀ ଟିମ୍ ଘଟଣାର ଛାନଭିନ୍ କରି ମାଙ୍ଗୁଳିସ୍ଥିତ ଏକ କବାଡ଼ିଆ ଗ୍ୟାରେଜରୁ ଟ୍ରକ୍ଟିକୁ ଠାବ କରିଥିଲା। ପରବର୍ତ୍ତୀ ତଦନ୍ତରେ ଶେଖ୍ ବାଦଲଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।ତେବେ ଏହି ଘଟଣା ପଛରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଏବଂ ହଡ଼ପ ହୋଇଥିବା ସାମଗ୍ରୀ କେଉଁମାନଙ୍କୁ ବିକ୍ରି କରାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ ନେଟୱର୍କ ଉନ୍ମୋଚନ ପାଇଁ ପୋଲିସ ଛାନଭିନ୍ ଜାରି ରହିଛି।



