ଭଦ୍ରକ, ୧୮/୧୦ (ସନ୍ଧାନ ନିୟୁଜ/ରମେଶ ନାୟକ)ସବୁ ପିତା-ମାତା ଚାହାଁନ୍ତି ତାଙ୍କ ପିଲା କେମିତି ପାଠ ପଢି ଭଲ ମଣିଷଟିଏ ହେଉ । ଠିକ୍ ସେମିତି ଗରିବ ଘରର ଦୁଇ ଭାଇ-ଭଉଣୀଙ୍କର ପାଠ ପଢିବାରେ ଥିଲା ଖୁବ୍ ଆଗ୍ରହ । ଭଉଣୀ ଜଣକ ମାଟ୍ରିକ୍ ଓ ଯୁକ୍ତ ଦୁଇରେ ଫାଷ୍ଟ ଡିଭିଜନ୍ରେ ପାସ୍ କଲା । କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା ଭିନ୍ନ । ସାର୍ଟିଫିକେଟ୍ ଧରି ଭାଗ୍ୟକୁ ଏବେ ନିନ୍ଦି ହେଉଛନ୍ତି ମେଧବୀ ଛାତ୍ରୀ ସାବିତ୍ରୀ । ପିତାଙ୍କ ଦେହାନ୍ତ ପରେ ପାଠପଢାରେ ଡୋରି ବନ୍ଧା ହେଲା । ପରିବାର ଚଳାଇବା ପାଇଁ ମା’ଙ୍କ ଉପରେ ପଡିଲା ବୋଝ । ତେଣୁ ପାଠପଢା କଥା ପଚାରେ କିଏ । ଏମିତି ଦୁଇ ମେଧାବୀ ଭାଇ-ଭଉଣୀ ହେଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବଡଓସ୍ତିଆ ପଂଚାୟତର ଶଙ୍ଖାରୀ ଗାଁର ସାବିତ୍ରୀ ଓ ବିକାଶ । ସାବିତ୍ରୀ ଗରିବ ହେଲେ ବି ପାଠପଢା ତାଙ୍କର ପ୍ରବଳ ନିଶା । ଏତେ ଭଲ ପାଠପଢି ମଧ୍ୟ ଯୁକ୍ତ ତିନି ପଢିପାରିଲେ ନାହିଁ ସିଏ । ଘରର ଏକମାତ୍ର ରୋଜଗାରିଆ ପିତା ବ୍ରେନ୍ ଟ୍ୟୁମରରେ ପରଲୋକ ଗମନ କଲାପରେ ପାଠପଢାରେ ବନ୍ଧା ହୋଇଛି ଡୋରି । ସାବିତ୍ରୀ ପରି ଛୋଟଭାଇ ବିକାଶ ବି ଭଲ ପାଠପଢି ଶ୍ରେଣୀରେ ୮୦ ରୁ ୯୦ ପ୍ରତିଶତ ମାର୍କ ରଖୁଛି । ହେଲେ ତାର ପାଠପଢା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି । ଏଣେ ନିଜ ହାତରେ ଗଢିଥିବା ଦୁଇ ପିଲାଙ୍କ ଭବିଷ୍ୟତ ଯେ ଏମିତି ନିଜ ଆଖି ଆଗରେ ମଉଳିଯିବ, ତାହା କେବେ ଭାବିନଥିଲେ ମା’ ଆରତୀ ସାହୁ । ଏବେ ସବୁକିଛି ତାଙ୍କ ପାଇଁ ଅସମ୍ଭବ ପାଲଟିଛି । ସାବିତ୍ରୀଙ୍କ ପିତା ଗୟାଧର ସାହୁ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ସେଥିରେ ଯାହା ରୋଜଗାର ହେଉଥିଲା, ଚାରିପ୍ରାଣୀ କୁଟୁମ୍ବ ଦୁଖେ କଷ୍ଟେ ଚଳିଯାଉଥିଲେ । ହେଲେ ବର୍ଷେ ତଳେ ପିତାଙ୍କ ମୃତ୍ୟୁ ପରେ ପରିବାରରେ ଦେଖାଦେଲା ଘୋର ଆର୍ଥିକ ଅନଟନ । ଘରର କେହି ରୋଜଗାରିଆ ନଥିବାରୁ ମା’ ଆରତୀ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ରେସନ୍ କାର୍ଡରେ ତାଙ୍କୁ ମିଳିଛି ଏବେ ୨୦ କିଲୋ ଚାଉଳ । ଦିନେ ଖାଇଲେ ଦିନେ ଓପାସରେ ରହି ସାରା ପରିବାର ଶୋଇ ପଡୁଛନ୍ତି । ଦୁଇ ପିଲା ଭଲ ପଢନ୍ତି ବୋଲି ଶିକ୍ଷକଙ୍କ ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ଦୁଇ ପିଲାଙ୍କୁ ଖାଇବାକୁ ଦେବାପାଇଁ କଷ୍ଟକର ହେଉଥିବାବେଳେ ପିଲାଙ୍କୁ କିଭଳି ପାଠ ପଢାଇବେ, ସେଥିନେଇ ଚିନ୍ତାରେ ପଡିଛନ୍ତି ଆରତୀ । ଝିଅ-ପୁଅ ଭଲ ପାଠ ପଢୁଥିଲେ ବି ଏହି ଆର୍ଥିକ ଦୂରାବସ୍ଥା ଯୋଗୁଁ ଝିଅର ପାଠପଢା ବନ୍ଦ କରିଦେଲେ ସେ । ସାବିତ୍ରୀ ଏବେ ଟ୍ୟୁସନ କରୁଛି । ସେଥିରୁ ଯାହାଆସୁଛି, ତାହା ସମୁଦ୍ରକୁ ଶଙ୍ଖେ ହେଲେ ବି ଗଣ୍ଡେ ଖାଇ ଦଣ୍ଡେ ଜୀଉଁଛନ୍ତି ଏହି ପରିବାର । ସାବିତ୍ରୀ ଟ୍ୟୁସନ ଛଡା ମା’ଙ୍କୁ ବିଭିନ୍ନ କାମରେ ସହଯୋଗ କରୁଥିବାବେଳେ ତାଙ୍କର ସାନବାପା ମଧ୍ୟ ସାହାଯ୍ୟ କରୁଛନ୍ତି । ଏମିତି କୌଣସି ପ୍ରକାର ଚଳିଯାଉଛନ୍ତି ସେମାନେ । ପୁତ୍ର ବିକାଶ ଶିବଦୁର୍ଗା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଛି । କିନ୍ତୁ ତା ପାଇଁ ଟ୍ୟୁସନଟିଏ ଯୋଗାଡ ହେଉପାରୁନାହିଁ । ଭଲ ଡ୍ରେସ୍ ଓ ଉପଯୁକ୍ତ ବହି ନଥିବାବେଳେ ତା ଭାଗ୍ୟରେ ଭଲ ଖାଇବାକୁ ମଧ୍ୟ ଜୁଟୁନାହିଁ । ଏଣୁ ଭଉଣୀ ସାବିତ୍ରୀ ଭଳି ତାର ପାଠପଢା ମଧ୍ୟ ଅନ୍ଧାର ଆଡକୁ ଠେଲି ହୋଇଯାଉଛି । ତେବେ ଗାଁର ଜଣେ ଟ୍ୟୁସନ ସାର୍ଙ୍କ ମହାନୁଭବତାରୁ ତାଙ୍କ ସହାୟତାରେ ପାଠ ପଢୁଛି ବିକାଶ । କିନ୍ତୁ ଆଗକୁ ଯେ ଉଭୟ ଭାଇ-ଭଉଣୀଙ୍କର ପାଠପଢା କ୍ଷେତ୍ରରେ କଣ ଘଟିବ, ତାହା ମା’ ଆରତୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏଭଳି ଏକ ଅସହାୟ ପରିବାରକୁ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଶିବଦୁର୍ଗା ହାଇସ୍କୁଲର ଶିକ୍ଷକ ପ୍ରଫୁଲ୍ଲ ବେହେରା ଓ ଗ୍ରାମବାସୀମାନେ ନିବେଦନ କରିବା ପରେ ଚାନ୍ଦବାଲି ବିଡିଓ ଶ୍ୟାମସୁନ୍ଦର ଟୁଡୁ ଏହି ଅସହାୟ ପରିବାର ପକ୍ଷରେ ପହଞ୍ôଚ ସେମାନଙ୍କ ସଂପର୍କରେ ଅବଗତ ହୋଇ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏହା କେତେଦୂର ସଫଳ ହେବ, ତାହା ସମୟ କହିବ ।
୨ ମେଧାବୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ
|
October 18, 2019 |