ଜେନାପୁର,୦୮/୦୯ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ବାପାରେ ଥରେ ନୁହେଁ କି ଦୁଇ ଥର ନୁହେଁ, ଗତ ୧୦ ବର୍ଷରେ ୩୦ ଥର ଆବେଦନ କରିଛି । ତଥାପି ଭତ୍ତା ମିଳୁନି । ମୋର ଟିକେ ଭତ୍ତା କରାଇ ଦିଅନ୍ତୁ ନାହିଁ, ତୋର କୋଟି କଲ୍ୟାଣ ହୁଅନ୍ତା । ବିଜୁବାବୁଙ୍କ ପୁଅ ନବୀନ ଗରୀବଙ୍କ ପାଇଁ କେତେ ଯୋଜନା କରୁଛି । ହେଲେ ମୋ କଥା କଣ ତା ନଜରକୁ ଯାଇ ପାରୁଛି । କିଏ କହିବ ମୋ ପାଇଁ? ଏହା ଥିଲା ଜଣେ ୭୦ ବର୍ଷର ଗରୀବ ବୃଦ୍ଧାଙ୍କ ଅନ୍ତରର କୋହ । ଏହି କୋହ ଭିତରେ ବ୍ୟବସ୍ଥା ବିରୋଧରେ ତାର ବେଦନା ବି ସ୍ପଷ୍ଟ ବାରି ହୋଇ ପଡୁଥିଲା ।
ଏହାଥିଲା ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ପଂଚାୟତ ପଣସପଡିଆ ଗାଁର ଦୃଶ୍ୟ । ଏହି ଗାଁର ହାର ପ୍ରଧାନଙ୍କ ବୟସ ୭୦ ଉପରେ । ଆଧାର କାର୍ଡ ଅନୁସାରେ ମଧ୍ୟ ତାଙ୍କର ବୟସ ୭୦ ବର୍ଷରୁ ଉଦ୍ଧ୍ୱର୍ । ସରକାରଙ୍କ ତାଲିକାରେ ମଧ୍ୟ ହାରଙ୍କ ପରିବାର ନିହାତି ଗରୀବ । ସେଥିପାଇଁ ଏହି ପରିବାରକୁ ଅନ୍ତୋଦୟ ତାଲିକାଭୁକ୍ତ କରାଯାଇଛି । ହାରଙ୍କ ଗୋଟିଏ ପୁଅ ଦିନ ମଜୁରିଆ । ଜମିବାଡି ବୋଲି କିଛି ନାହିଁ । ହାରଙ୍କୁ ଯେ କେହି ଦେଖିଲେ ବି ତାଙ୍କର ବୟସ ୭୦ ରୁ ଉଦ୍ଧ୍ୱର୍ ବୋଲି ଆପେ ଆପେ ବୁଝି ପାରିବ । ତାଙ୍କର ପୁଅଙ୍କ ବୟସ ବି ୫୫ ଟପିଲାଣି । ତଥାପି କୁଆଡେ ହାରଙ୍କୁ ୬୦ ବର୍ଷ ହୋଇନାହିଁ ବୋଲି ସେ ଭତ୍ତା ପାଇପାରୁ ନାହାନ୍ତି । ଖବର ନେବାୁ ଜଣାପଡିଛି ଯେ, ତାଙ୍କର ଭୋଟର ଲିଷ୍ଟରେ ବୟସ କୁଆଡେ ୬୦ ହୋଇନାହିଁ । ଯେତେବେଳେ ହାରଙ୍କ ପୁଅର ବୟସ ୫୫ ଟପିଲାଣି ସେତେବେଳେ ହାରଙ୍କୁ କିପରି ୬୦ ହୋଇନାହିଁ ବୋଲି ପ୍ରଶ୍ନର ଉତ୍ତରରେ କିନ୍ତୁ ପ୍ରଶାସନର ପାଟି ଫିଟେନାହିଁ । ସରକାର ଆଧାରକୁ ଅଧିକ ପ୍ରମାଣଯୋଗ୍ୟ ବୋଲି ପ୍ରତ୍ୟେକ ଯୋଜନାରେ ଆଧାର ସଂଲଗ୍ନ କରୁଛନ୍ତି । ହେଲେ ଏଠାରେ ଆଧାରରେ ଥିବା ତଥ୍ୟ ଭିତ୍ତିରେ କିନ୍ତୁ ହାର ଭତ୍ତା ପାଇ ପାରୁ ନାହାନ୍ତି । ଭୋଟର ତାଲିକା ପ୍ରସ୍ତୁତ କରିଥିବା କେଉଁ ଅଧିକାରୀଙ୍କ ଭୁଲ ପାଇଁ ଦଣ୍ଡ ଭୋଗିବେ ହାରଙ୍କ ପରି ନିହାତି ଗରୀବ ବୃଦ୍ଧା । ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ବନ୍ୟାଞ୍ଚଳ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ହାର ମଧ୍ୟ ନିଜର ସମସ୍ୟା ଜଣାଇ ଉପରୋକ୍ତ କେଇଧାଡି ପ୍ରକାଶ କରିଥିଲେ ।ହାରଙ୍କ ପାଇଁ ଲଢେଇ କରିବାକୁ କଥା ଦେଇଥିବା ସତୀଶ ଏଥିନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗତ ୭ ତାରିଖରେ ନିଦେ୍ର୍ଦଶ ଆସିଛି । ହାର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୋ ଗାଁରେ କେତେ ଥିଲାବାଲା ଧନୀ ଲୋକ ଭତ୍ତା ପାଉଥିବା ବେଳେ ମୁଁ କାହିଁକି ବଂଚିତ ହେଉଛି, ମୋର ଭୁଲ କଣ? ସରକାର କେବେ ଭତ୍ତା ଦେବ ଏବଂ ମୁଁ ଆଉ କେତେଦିନ ବଞ୍ଚôବି? ତେବେ ଏଥିନେଇ ଯାଜପୁର ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ହାରଙ୍କ ପରି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
୧୦ ବର୍ଷରେ ୩୦ ଥର ଆବେଦନ ପରେ ବି ୭୦ ବର୍ଷର ଗରୀବ ବୃଦ୍ଧାଙ୍କୁ ମିଳୁନି ଭତ୍ତା
|
September 8, 2020 |
