ନୂଆଦିଲ୍ଲୀ,(ସନ୍ଧାନ ନିଉଜ): ‘ବିକଶିତ ଭାରତ ସଂପର୍କ’ର ବ୍ୟାନରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ବଖାଣୁଥିବା ହ୍ୱାଟ୍ସଆପ ମେସେଜ ଉପରେ ନିର୍ବାଚନ ଆୟୋଗ ରୋକ୍ ଲଗାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ଏବଂ ଆଚରଣ ବିଧି ଲାଗୁ ହେବା ପରେ ବି ସରକାରଙ୍କ ଉପଲବ୍ଧି ବିଶିଷ୍ଟ ମେସେଜ ଲୋକଙ୍କ ଫୋନକୁ ପଠାଯାଉଥିବା ମେସେଜ ନେଇ ଇସିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ନିର୍ବାଚନ ଆୟୋଗ ଏହି ହ୍ୱାଟ୍ସଆପ ମେସେଜ ଉପରେ ତତ୍କାଳ ରୋକ୍ ଲଗାଇବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।ଉଲ୍ଲେଖନୀୟ ବିକଶିତ ଭାରତ ସଂକଳ୍ପ ନାମରେ ଭେରିଫାଏଡ ହ୍ୱାଟ୍ସଆପ ଆକାଉଂଟରୁ ବଡ ସଂଖ୍ୟାରେ ଲୋକଙ୍କ ନିକଟକୁ ପିଏମ ମୋଦୀଙ୍କ ଚିଠି ପଠାଯାଇଥିଲା । ଏଥିରେ ଲେଖା ହୋଇଥିଲା ଏହି ପତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାରଙ୍କ ବିକଶିତ ଭାରତ ସଂପର୍କରେ କେନ୍ଦ୍ର ଦ୍ୱାରା ପଠାଯାଇଛି । ଗତ ୧୦ ବର୍ଷରେ ଭାରତ ସରକାରଙ୍କ ଯୋଜନାର ସିଧାସଳଖ ଲାଭ ୮୦ କୋଟିରୁ ଅଧିକ ନାଗରିକଙ୍କୁ ମିଳିଛି ଏବଂ ଭବିଷ୍ୟତରେ ମଧ୍ୟ ମିଳିବ । ବିକଶିତ ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆପଣଙ୍କ ସମର୍ଥନ ଓ ପରାମର୍ଶ ବହୁତ ମହତ୍ୱପୂର୍ଣ୍ଣ । ଅନ୍ତତଃ ଆପଣଙ୍କୁ ଅନୁରୋଧ ଯୋଜନାକୁ ନେଇ ଆପଣଙ୍କ ବିଚାର ଅବଶ୍ୟ ଲେଖନ୍ତୁ ।ନିର୍ବାଚନ ଆୟୋଗଙ୍କଠୁ ନିର୍ଦ୍ଦେଶ ମିଳିବା ପରେ ମନ୍ତ୍ରଣାଳୟ ଆୟୋଗଙ୍କୁ ଜଣାଇଛି ଯେ, ଏହି ପତ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଠାଯାଇଥିଲା । ହେଲେ କିଛି ମେସେଜ ସିଷ୍ଟମ ଓ ନେଟୱର୍କ ସମସ୍ୟା କାରଣରୁ ଲୋକଙ୍କ ନିକଟରେ ବିଳମ୍ବରେ ପହଂଚିଲା । ଆୟୋଗ ମନ୍ତ୍ରଣାଳୟକୁ ମାମଲାର ତୁରନ୍ତ ଅନୁପାଳନର ରିପୋର୍ଟ ଦେବାକୁ କହିଛି ।
ହ୍ୱାଟ୍ସଆପରେ‘ବିକଶିତ ଭାରତ’ ମେସେଜ ଲୋକଙ୍କ ନିକଟକୁ ପଠାଇବା ତୁରନ୍ତ ବନ୍ଦ କରାଯାଉ, ମନ୍ତ୍ରଣାଳୟକୁ ଇସିଙ୍କ ନିର୍ଦ୍ଦେଶ
|
March 22, 2024 |