ଯାଜପୁର, ୨୮.୦୧.୨୦୨୧ (ସନ୍ଧାନ ନିଉଜ୍):- ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀ ଘର ମୟୂରଭଞ୍ଜ ଜିଲ୍ଲାରେ ସାଙ୍ଗର ଜନ୍ମ ଉତ୍ସବ କହି ୩ ଦିନ ତଳେ ରାଜଧାନୀକୁ ଆସିଥିଲେ । କିନ୍ତୁ ଆଜି ସକାଳୁ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରେ ରାସ୍ତା ପାର୍ଶ୍ଵରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ସେପଟେ ଘଟଣାସ୍ଥଳ ନିକଟ ସିସି କ୍ୟାମେରାରୁ କିନ୍ତୁ ଅଘଟଣର ସତ ସାମ୍ନାକୁ ଆସିଛି। ଏକ ସ୍କୁଟିରେ ୨ ଯୁବକ ଛାତ୍ରୀଙ୍କ ମୃତଦେହକୁ ବୋହି ନେଉଥିବାର ଚିତ୍ର ସିସି କ୍ୟାମେରା ଲେନ୍ରେ କଏଦ୍ ହୋଇଛି । ଯାହାକି, ଛାତ୍ରୀଙ୍କୁ ସୁପରିକଳ୍ପିତ ଭାବେ ମର୍ଡ଼ର କରାଯାଇଥିବା ନେଇ ପୁଲିସ ସନ୍ଦେହ କରୁଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ବୁଧବାର ସକାଳ ପ୍ରାୟ ୯.୩୦ ସମୟରେ ଦୁଇଜଣ ଯୁବକ ଏକ ସ୍କୁଟିରେ ଜଣେ ଯୁବତୀକୁ ମଝିରେ ବସାଇ ୧୬ନଂ ଜାତୀୟ ରାଜପଥର ମୂଳାପାଳ ଛକ ଠାରୁ ରାଜେନ୍ଦ୍ରପୁର ଆଡକୁ ଯାଇଥିଲେ । ମୂଳାପାଳ-ରାଜେନ୍ଦ୍ରପୁର ମଝି ରାସ୍ତାର ଏକ ତାଳ ଗଛ ନିକଟରେ ଯୁବତୀକୁ ସ୍କୁଟିରୁ ଓହ୍ଲାଇ ଦେଇ ତଳେ ଫିଙ୍ଗି ଦେଇ ଦ୍ରୁତ ଗତିରେ ପଳାଇଥିଲେ । ଅଳ୍ପ ଦୂରରେ ଥିବା କିଛି ଲୋକ ଏହା ଦେଖି ସେଠାକୁ ଧାଇଁ ଯାଇଥିଲେ। ଯୁବତୀଜଣକ ଆଖବୁଜି ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସର ଏକ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା । ଯୁବତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା । ମୃତଦେହ ନିକଟରୁ ଗୋଟିଏ ଜୋତା, କଲେଜ ବ୍ୟାଗ ଜବତ କରାଯାଇଥିଲା । ଅନ୍ୟ ଏକ ଜୋତା ୧୬ ଜାତୀୟ ରାଜପଥରୁ ଜବତ କରାଯାଇଥିଲା । ମାଜିଷ୍ଟ୍ରେଟ୍ ଭାବେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କ ବ୍ୟାଗର ତଲାସି କରାଯାଇଥିଲା । ବ୍ୟାରେ ଫିଲୋସପି ବହି ସହିତ ପିନ୍ଧା ପୋଷାକ ମିଳିଥିଲା । ବ୍ୟାଗରେ ଥିବା ଖାତାରେ ଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିବାରୁ ଯୁବତୀର ପରିଚୟ ମିଳିଥିଲା ।
ହତ୍ୟା କରି ରାସ୍ତା କଡରେ ଫୋପାଡି ଦେଲେ
|
January 28, 2021 |



