ସ୍ୱାସ୍ଥ୍ୟ ବିଭାଗ ଜାରିକଲା ମାର୍ଗଦର୍ଶିକା

ଭୁବନେଶ୍ୱର ୧୭/୦୪ (ସନ୍ଧାନ ନିଉଜ) : କରୋନା ପାଇଁ ଏବେ ସମଗ୍ର ବିଶ୍ଵରେ ଚିନ୍ତା ବଢି ଯାଇଛି। ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ କୌଣସି ଟୀକା ବାହାରି ନାହିଁ। ତେଣୁ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି। କିନ୍ତୁ ଏହି ଔଷଧକୁ କିଛି ଲୋକ କରୋନାର ପ୍ରତିଷେଧକ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଭ୍ରାନ୍ତ ଧାରଣାକୁ ଦୂର କରି ସେମାନଙ୍କୁ ସତର୍କ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ବିନା ପ୍ରେସ୍କ୍ରିପସନରେ କୌଣସି ପ୍ରକାରର ଔଷଧ ନଖାଇବାକୁ କୁହାଯାଇଛି। ଡାକ୍ତରଙ୍କ ପ୍ରେସ୍ସ୍କ୍ରିପସନ୍ ବିନା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବିକ୍ରି ଉପରେ ଲଗାଯାଇଛି କଟକଣା। କରୋନା ସନ୍ଦିଗ୍ଧ ବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଯେଉଁମାନଙ୍କର ନମୁନା ଲାବୋରେଟୋରିରେ ପରୀକ୍ଷା ହେବାପରେ ପଜିଟିଭ ଆସିଛି ସେମାନେ ହିଁ ଡାକ୍ତରଙ୍କ ପ୍ରେସ୍ସ୍କ୍ରିପସନ୍ ଆଧାରରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଖାଇ ପାରିବେ। ସେହିପରି ଉଚ୍ଚ ରକ୍ତଚାପ ବା ମଧୁମେହ ପରି ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ ବ୍ୟବହାର କରିପାରିବେ ନାହିଁ। ଇଡ୍ରୋକ୍ସିକ୍ଲୋରୋକୁଇନର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଛି। ଅନେକ କ୍ଷେତ୍ରରେ ଏହା ପ୍ରାଣଘାତକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରଖାନା ବା ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ହିଁ ଡାକ୍ତରଙ୍କ ପରାମର୍ଶରେ ଓ ଡାକ୍ତରଙ୍କ ତତ୍ତ୍ୱାବଧାନରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିପାରିବେ ବୋଲି କୁହାଯାଇଛି।
Related Posts
About The Author