ଯାଜପୁର: ୨୮/୧୨:(ସନ୍ଧାନ ନ୍ୟୁଜ ):ଯାଜପୁର ସହର ଅନ୍ତର୍ଗତ ନରଣପୁରସ୍ଥିତ “ସବୁଜସ୍ୱପ୍ନ” ପ୍ରକାଶନୀ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ କୋଇଲି ପଣ୍ଡା ସ୍ମୃତି ପ୍ରତିଭା ପୁରସ୍କାର ପ୍ରଦାନ ଉତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଦଶରଥପୁର ବ୍ଲକର ବାଲିଗଣ୍ଡ (କୁଆଁରପୁର) ଗ୍ରାମର ଓଡ଼ିଆ ସଂସ୍କୃତିପ୍ରେମୀ ମହିୟସୀ ମହିଳା କୋଇଲି ପଣ୍ଡାଙ୍କ ସ୍ମୃତିରେ ପରିବେଶ ବନ୍ଧୁ ପଣ୍ଡିତ ବଂଶୀଧର ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ସେବା ସଂସଦ ଆନୁକୂଲ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଅଛି । କୁଆଁରପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ କଟକସ୍ଥିତ ଡା ଅଗ୍ରୱାଲ୍ ଚକ୍ଷୁପ୍ରତିଷ୍ଠାନର ଚକ୍ଷୁବିଶେଷଜ୍ଞ ଡା ସୌମ୍ୟା ସୁଚରିତା ପଣ୍ଡା ଓ ସମ୍ମାନିତ ଅତିଥିରୂପେ ବାଲିପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ମୁଦୁଲି ଯୋଗଦେଇଥିଲା ବେଳେ ଶିକ୍ଷାବିତ୍ ଡଃ ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନାରୀ ଶିକ୍ଷା, ପରିବେଶ ପ୍ରଦୂଷଣ ଓ ଓଡ଼ିଆ ସଂସ୍କୃତିକୁ ଭିର୍ତ୍ତିକରି ଆଜି ଆୟୋଜିତ ସାଧାରଣ ଜ୍ଞାନ ଓ ପ୍ରବନ୍ଧ ଲିଖିନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ସ୍କୁଲାର ତିନି ଜଣ ଛାତ୍ର ଯଥା ଚିରନ୍ତନ ତ୍ରିପାଠୀ, ଅନିକେତ ମିଶ୍ର ଓ ଶୁଭ୍ରାଂଶୁ ଦାସଙ୍କୁ ସଂସ୍ଥା ତରଫରୁ ପ୍ରମାଣପତ୍ର, ଟ୍ରଫି, ଓଡ଼ିଆ ପତ୍ରିକା ଓ ପାଠ୍ୟଉପକରଣ ପ୍ରଦାନ କରାଯାଇଥିଲା । ଡା ଅନନ୍ୟା ଅବିନାଶ ପଣ୍ଡା ଓ ଶିକ୍ଷୟିତ୍ରୀ କ୍ଷୀରୋଦମୟୀ ପତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସ୍ମୃତି ପ୍ରତିଭା ପୁରସ୍କାର ପ୍ରଦାନ ଉତ୍ସବ
|
December 29, 2023 |
