– ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର
– ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର
ନୂଆଦିଲ୍ଲୀ ୧୫/୬ (ସନ୍ଧାନ ନିୟୁଜ) ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ନାମ ବାଲ ସାହିତ୍ୟ ପୁରସ୍କାର-୨୦୧୯ ନିମନ୍ତେ ଘୋଷଣା କରାଯାଇଛି। ଅନୁରୂପ ଭାବେ ଓଡ଼ିଆ ସାହିତ୍ୟ ସମାଲୋଚନାଧର୍ମୀ ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଶିଶିର ବେହେରା ଚଳିତଥର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବା ନିମନ୍ତେ ମନୋନିତ ହୋଇଛନ୍ତି।
ଆଜି ଅଗରତାଲା ଠାରେ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା। ଏଥିରେ ପୁରସ୍କାର ବିଜେତାମାନଙ୍କ ନାମକୁ ଅନୁମୋଦନ କରାଯାଇଥିଲା। କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ପୁରସ୍କାର ଚୟନ ପାଇଁ ଏକାଡେମୀର ନିର୍ଦ୍ଦିଷ୍ଟ ନିୟମ ଏବଂ ପଦ୍ଧତି ରହିଛି। ତଦନୁଯାୟୀ ବିଭିନ୍ନ ଭାଷାରେ ତିନି ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତାମାନଙ୍କ ନାମ ଚୟନ କରିଥିଲେ। ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ବିଚାରକମାନଙ୍କ ସର୍ବସମ୍ମତି/ସଂଖ୍ୟାଗରିଷ୍ଠ ମତ ଆଧାରରେ କାର୍ଯ୍ୟନିର୍ବାହୀ ପରିଷଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ। କେବଳ ମୈଥିଳୀ ଭାଷାରେ ପୁରସ୍କାର ଘୋଷଣା ପରବର୍ତ୍ତୀ ତାରିଖରେ କରାଯିବ।
ODIAPUA