ରାଉରକେଲା,୨/୯ (ସନ୍ଧାନ ନିଉଜ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟରଯାନ ଆଇନର ସଂଶୋଧନ କରାଯିବା ପରେ ଗତକାଲି ଠାରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀରେ ଗାଡ଼ି ଚାଳକ ମାନଙ୍କ ପକ୍ଷରୁ ଜୋରିମାନା ଆଦାୟ ହୋଇଛି । ବିଭିନ୍ନ ନିୟମ ଉଲଂଘନ ଦ୍ୱାରା ଜରିମାନା ତଣ୍ଡ ଗଣିଛନ୍ତି ଗାଡ଼ି ଚାଳକ । ରାଉରକେଲା ବିଶ୍ରା ଛକ ଠାରୁ ଆରମ୍ଭ କରି ସାରନଗରୀ ମା’ ମଙ୍ଗଳା ଛକରେ ଗାଡ଼ି ଚାଳକ ମାନଙ୍କ ଠାରୁ ପୁଲିସ ରସିଦ କାଟି ଆଦାୟ କରିଛି ଜରିମାନା ଅର୍ଥ, ମାତ୍ର ରାଉରକେଲାର ବିଭିନ୍ନ ଛକରେ ଟ୍ରାଫିକ ବ୍ୟବସ୍ଥା ଏବେବି ଅସଜଡ଼ା ଭାବେ ପଡ଼ି ରହି ଖୋଲା ମୁକୁଳା ଭାବେ ପଡ଼ି ରହିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି! ରାଉରକେଲାର ବ୍ୟସ୍ତ ବହୁଳ ଛକ ଭାବେ ପରିଚିତ ବିଶ୍ରା ଛକରେ ଆଜି ଯାଏ ଜଳି ପାରିନାହିଁ ଟ୍ରାଫିକ ସିଗନାଲ । ଯାହାଫଳରେ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ତିିିନି ଚକିଆ, ଚାରିଚକିଆ ଯାନ ଚଳାଉଥିବା ଚାଳକ ମାନେ ଗାଡ଼ି ଚାଳନା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସମୟ ସମୟରେ ଟ୍ରାଫିକ ପୁଲିସ ଉକ୍ତ ଛକରେ ମୁତୟନ କରାଯାଉଥିଲେ ସୁଦ୍ଧା ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ବିଶେଷ କରି ଦୁଇଚକିଆ ଚାଳନା କରୁଥିବା କଲେଜ ପଢୁଆ ଛାତ୍ରଛାତ୍ରୀ ମାନେ ବିନା ଟ୍ରାଫିକ ସିଗନାଲ ଯୋଗୁ ଗାଡ଼ି ଚାଳନା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେହିପରି ସହରର ଆମ୍ବାଗାନ ଛକ, ଛେଣ୍ଡ ଛକ, ହନୁମାନ ବାଟିକା ଛକ, ପାନପୋଷ ଛକ, ବେଦବ୍ୟାସ ଛକ, ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକ ଠାରେ ଟ୍ରାଫିକ ସିଗନାଲ ବ୍ୟବସ୍ଥା ପାଇଁ ବହୁ ଦିନରୁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ବୁଦ୍ଧିଜିବୀ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାଏ ଟ୍ରାଫିକ ସିଗନାଲ ବ୍ୟବସ୍ଥା ହୋଇନପାରିବା ରାଉରକେଲାବାସୀଙ୍କୁ ନିରାଶ କରିଛି । କେବଳ ଟ୍ରାଫିକ ସିଗନାଲ ବ୍ୟବସ୍ଥା ନୁହେଁ, ପ୍ରାୟ ସମୟରେ କିଛି ଟ୍ରାଫିକ ପୁଲିସଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଟ୍ରାଫିକ ବ୍ୟବସ୍ଥାରେ ବାଧକ ସାଜୁଛି! ଯାହା ଦ୍ୱାରା ଗାଡ଼ି ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରତି ଛକରେ ଟ୍ରାଫିକ ସିଗନାଲ ବ୍ୟବସ୍ଥା ହୋଇଥିବା ବେଳେ, ସ୍ମାର୍ଟ ସିଟି ରାଉରକେଲାରେ କେବଳ ସେକ୍ଟର-୨୧ ଠାରୁ ଅନତି ଦୂରରେ ଥିବା ଟ୍ରାଫିକ ଆଉଟପୋଷ୍ଟରେ ଟ୍ରାଫିକ ସିଗନାଲ ବ୍ୟବସ୍ଥା ଥିବା ବେଳେ ଅନ୍ୟ ଛକରେ ଟ୍ରାଫିକ ବତୀ ନିରୁଦ୍ଦିଷ୍ଟ ରହିଛି! ଅପରପକ୍ଷରେ ଦକ୍ଷିଣ ରାଉରକେଲାର ବିଭିନ୍ନ ଛକରେ ଟ୍ରାଫିକ ପୁଲିସ ମୁତୟନ ନହେବା ଟ୍ରାଫିକ ବ୍ୟବସ୍ଥାର ନଗ୍ନ ନମୂନାକୁ ପଦାରେ ପକାଇଛି । କେବଳ ମୋଟର ଯାନ ଆଇନ ବଳରେ ଚାଳକ ମାନଙ୍କ ଠାରୁ ଜରିମାନା ଆଦାୟ କରି ରାଉରକେଲା ପୁଲିସ ନିଜର କର୍ତବ୍ୟ ସମ୍ପାଦନ କଲେ ହେବ ନାର୍ହି, ବରଂ ସହରର ଅସଜଡ଼ା ଟ୍ରାଫିକ ବ୍ୟବସ୍ଥାକୁ ସୁଧାରି ପାରିଲେ ଗାଡ଼ି ଚାଳକ ମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ ସହାୟକ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
Report- S Nayak