ଭୁବନେଶ୍ୱର, ୦୮/୦୨ (ସନ୍ଧାନ ନିୟୁଜ) ୩ : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ବିଜୁ ଜନତା ଦଳ ସପ୍ତାହବ୍ୟାପୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ସରକାରୀସ୍ତରରେ ଜୟନ୍ତୀ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ଯୋଜନା ରହିଛି।
ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ନିଆରା ଢଙ୍ଗରେ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡରେ ଛାତଘରର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ୨୦ ଲକ୍ଷ ଘର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ବାଣ୍ଟିବେ। ତେବେ କେଉଁ ଜିଲ୍ଲାରେ କେତେ ଘର ବଣ୍ଟାଯିବ ତାହା ସ୍ଥିର ହୋଇନି। ଆସନ୍ତା ୧୫ ତାରିଖ ସୁଦ୍ଧା ପଂଚାୟତିରାଜ ବିଭାଗ ଜିଲ୍ଲାୱାରି ଘର ତାଲିକା ଜାରି କରିବ। ଏଥିପାଇଁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି।