ସରକାରୀ ବ୍ୟାଙ୍କ ବଞ୍ଚାଇବା ପ୍ରୟାସ

Spread the love

ନୂଆଦିଲ୍ଲୀ,୨୧ /୨(ସନ୍ଧାନ ନିଉଜ) : ଦେଶର ୧୨ଟି ସରକାରୀ ବ୍ୟାଙ୍କକୁ ୪୮,୨୩୯ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଣ୍ଠି ଭାବେ ବ୍ୟାଙ୍କଗୁଡ଼ିକୁ ଏହି ଟଙ୍କା ପ୍ରଦାନ କରାଯିବ। ଏହା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଦୁର୍ବଳ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା। ପାଣ୍ଠି ‌ଦିଆଯିବାକୁ ଥିବା ବ୍ୟାଙ୍କଗୁଡ଼ିକ ସରକାର ଚାରିଟି ବର୍ଗରେ ଭାଗ କରିଛନ୍ତି। ପ୍ରଥମ ବର୍ଗରେ ରହିଛନ୍ତି ଆହ୍ଲାବାଦ ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ। ଏବେ ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ (ପିସିଏ) ଅଧୀନରେ ରହିଛନ୍ତି। ସେହି କବ୍‌ଜାରୁ ଦୁଇ ବ୍ୟାଙ୍କକୁ ମୁକୁଳାଇବା ପାଇଁ ୧୫,୯୮୨ କୋଟି ଟଙ୍କା ପ୍ରଦାନ କରାଯିବ। ସେହିପରି ଦ୍ବିତୀୟ ବର୍ଗରେ ରହିଛନ୍ତି ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର। ଏହି ଦୁଇ ବ୍ୟାଙ୍କ ନିକଟରେ ପିସିଏ କବ୍‌ଜାରୁ ମୁକୁଳିଛନ୍ତି। ସେମାନଙ୍କୁ ୪୮୪୩ କୋଟି ଟଙ୍କା ପ୍ରଦାନ କରାଯିବ। ଅନ୍ୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଆର୍ଥିକ ସ୍ଥିତି ଅନୁସାରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ଏବଂ ସେହି ଅନୁସାରେ ସେମାନଙ୍କୁ ନୂତନ ପାଣ୍ଠି ପ୍ରଦାନ କରାଯିବ। ଆହ୍ଲାବାଦ ବ୍ୟାଙ୍କକୁ ୬୮୯୬ କୋଟି ଟଙ୍କା, ୟୁନିୟନ୍ ବ୍ୟାଙ୍କକୁ ୪୧୧୨ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୪୬୩୮ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ୨୦୫ କୋଟି ଟଙ୍କା, କର୍ପୋରେସନ୍ ବ୍ୟାଙ୍କକୁ ୯୦୮୬ କୋଟି ଟଙ୍କା, ଆନ୍ଧ୍ର ବ୍ୟାଙ୍କକୁ ୩୨୫୬ କୋଟି ଟଙ୍କା, ସିଣ୍ଡିକେଟ୍ ବ୍ୟାଙ୍କକୁ ୧୬୦୩ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୫୯୦୮ କୋଟି ଟଙ୍କା ଏବଂ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୨୫୬୦ କୋଟି ଟଙ୍କା ପ୍ରଦାନ କରାଯିବ। ସେହିପରି ୟୁନାଇଟେଡ୍‌ ବ୍ୟାଙ୍କକୁ ୨୮୩୯ କୋଟି ଟଙ୍କା ଏବଂ ୟୁକୋ ବ୍ୟାଙ୍କକୁ ୩୩୩୦ କୋଟି ଟଙ୍କା ପ୍ରଦାନ କରାଯିବ। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ ସରକାର ୩୮୦୬ କୋଟି ଟଙ୍କା ପ୍ରଦାନ କରିବେ। ଗତ ଡିସେମ୍ବରରେ ସରକାରଙ୍କ ତରଫରୁ ବ୍ୟାଙ୍କଗୁଡ଼ିକୁ ୨୮,୬୧୫ କୋଟି ଟଙ୍କା ଦିଆଯାଇଥିଲା।

Related Posts

About The Author

Add Comment