ରାଉରକେଲା, (ସନ୍ଧାନ ନିୟୁଜ ): ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମାଚଂଳରେ ରହିଛି ଅନେକ ଜଳାଶୟ ଅର୍ଥାତ ପୋଖରୀ । ମାତ୍ର କିଛି ପୋଖରୀ ପଙ୍କ କାଦୁଅରେ ପୂର୍ଣ୍ଣ ରହୁଥିବା ବେଳେ ଏହାର ପୁନରୁଉଦ୍ଧାର ଏଯାଏ ହୋଇ ପାରିନାହିଁ । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା ମାନେ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଜଲଦା ଗ୍ରାମପଂଚାୟତ ଅନ୍ତର୍ଗତ ସି ବ୍ଲକରେ ରହିଛି ପ୍ରାୟ ୫ଟି ଜଳାଶୟ(ପୋଖରୀ) । ଏହି ଜଳାଶୟ ମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରେ ‘ବଡ଼ ପୋଖରୀ’ଭାବେ ପରିଚିତ ଜଳାଶୟରେ ଅନେକ ଅବ୍ୟବସ୍ଥା ବାରି ହୋଇ ପଡୁଛି । ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କ କହିବା ଅନୁଯାୟୀ, ଏହି ପୋଖରୀକୁ ଆଜକୁ ପ୍ରାୟ ୫୦ରୁ ଉର୍ଦ୍ଧ ବର୍ଷ ହେଲା ଅଂଚଳର ଲୋକେ ବ୍ୟବହାର କରି ଆସୁଛନ୍ତି, ମାତ୍ର ପୋଖରୀଟି ପଙ୍କ, ଦଳ, କାଦୁଅରେ ପୂର୍ଣ୍ଣ ରହୁଥିବାରୁ ଏବେ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷର ସବୁ ରୁତୁରେ ଜଲଦା ଅଂଚଳର ବାସିନ୍ଦା ମାନେ ଏହି ପୋଖରୀ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭର କରିଥାନ୍ତି । ଅଂଚଳର କିଶୋର, ଯୁବକ ମାନେ ଏହି ପୋଖରୀକୁ ଆସି ସ୍ନାନ କରିବା ଦେଖିବାକୁ ମିଳିଥାଏ । ଗ୍ରୀଷ୍ମ ରୁତୁରେ ପାନୀୟ ଜଳ ସମସ୍ୟା ଉପୁଜିଲେ ଏହି ବଡ଼ ପୋଖରୀ ଉପରେ ଲୋକେ ଆଶା ବାନ୍ଧି ରହିଛନ୍ତି । ଗତ କିଛି ଦିନ ତଳେ ପୋଖରୀକୁ ସଫା କରାଯାଇଥିଲେ ସୁଦ୍ଧା ବର୍ତମାନ ଏହା ଯଥା ପୂର୍ବଂ ତଥା ପର ସ୍ଥିତିରେ ରହିଛି । ପୋଖରୀ ନିକଟରେ ଥିବା ଗଛ ଗୁଡ଼ିକ ଉପୁଡ଼ି ପରି ପୋଖରୀ କୂଳରେ ପଡ଼ିଯିବା ଯୋଗୁ ମାଟି ଧସି ପୋଖରୀଟି କ୍ରମଶଃ ପୋତି ହେବାକୁ ବସିଲାଣି ବୋଲି ସ୍ଥାନୀୟ ବାସିନ୍ଦା ମତ ଦିଅନ୍ତି । ପୋଖରୀଟି ଆବର୍ଜନାପୂର୍ଣ୍ଣ ହୋଇ ଯାଇଥିବାରୁ ସେଠାରେ ପାଣି ଗୋଳିଆ ସହ ସ୍ଥାନୀୟ ଅଂଚଳରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଯାହାର କୁପ୍ରଭାବ ଜନସାଧାରଣ ଓ ଗୃହପାଳିତ ପଶୁ ମାନଙ୍କ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଖରୀକୁ ଯଥାଶୀଘ୍ର ସଫା କରିବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ସେହିଭଳି ଜଲଦା ଫାଣ୍ଡି ଠାରୁ କିଛି ଦୂର କ୍ରିଷ୍ଣାଟୋଲାରେ ଏକ ଜଳାଶୟ ରହିଛି । ଯାହାର ଅବସ୍ଥା ଏବେ ତଦ୍ରୁପ କହିଲେ ବୋଧେ ଭୁଲ ହେବ ନାହିଁ । ଜଲଦା ବି ବ୍ଲକ ଓ ସି ବ୍ଲକର ବାସିନ୍ଦା ମାନେ ଏହି ଜଳାଶୟକୁ ପୂର୍ବରୁ ବ୍ୟବହାର କରି ଆସୁଥିଲେ । ଏବେ ଏହାର ପାଣି ପିଇବା ଉପଯୋଗୀ ହେଉନଥିଲେ ମଧ୍ୟ ଲୋକେ ଅନ୍ୟାନ କାର୍ଯ୍ୟରେ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି । ହେଲେ ପୋଖରୀ ନିକଟରେ ଶିଉଳି ଓ ଅନାବନା ଲଟା ମାଡ଼ିଥିବାରୁ ସବୁ ସମୟରେ ସରିସୃପ ମାନଙ୍କ ଭୟ ଲାଗି ରହୁଛି । ଆଗକୁ କିଛି ମାସ ପରେ ଗ୍ରୀଷ୍ମ ରୁତୁ ଆସୁଥିବାରୁ, ଏହା ପୂର୍ବରୁ ଜଳାଶୟ ଗୁଡ଼ିକୁ ସଫା କଲେ, ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ବହୁଳ ଭାବେ ଉପକୃତ ହୋଇ ପାରନ୍ତେ ବୋଲି ଅଂଚଳର କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଣୁ ଜଲଦା ସି ବ୍ଲକ ଅଂଚଳରେ ଅବ୍ୟବସ୍ଥା ମଧ୍ୟରେ ଥିବା ବଡ଼ ପୋଖରୀ ଓ ଅନ୍ୟ ଜଳାଶୟ(ପୋଖରୀ) ଗୁଡ଼ିକର ପୁନରୁଉଦ୍ଧାର ପାଇଁ ଅଂଚଳବାସୀ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସମସ୍ୟା ଘେରରେ ବହୁ ଜଳାଶୟ,କେବେ ବଦଳିବ ଚେହେରା
|
December 29, 2020 |