ରୁଦ୍ଧଦ୍ୱାର ବୈଠକରେ ପ୍ରସ୍ତୁତ ହେଲା ମରାମତି ନକ୍ସା
ପୁରୀ, ୨୨/୮ (ସନ୍ଧାନ ନିୟୁଜ): ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟ ମଣ୍ଡପର ମରାମତି ପୂର୍ବରୁ ପ୍ରତ୍ନତତ୍ତ୍ୱ ବିଭାଗ ତନ୍ନ ତନ୍ନ କରି ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ପ୍ରତ୍ନତତ୍ତ୍ୱ ବିଭାଗର କୋର୍ କମିଟି ଅଧ୍ୟକ୍ଷ ଏ.ପି ଗୁପ୍ତାଙ୍କ ନେତୃତ୍ୱରେ ଏକ ବୈଷୟିକ ଦଳ ନାଟ ମଣ୍ଡପ ଛାତ ଓ ବିମ୍ର ସ୍ଥିତି ପରଖିଥିଲା। ଆଜି ରାଜ୍ୟ ବାହାରର ବୈଷୟିକ ଟିମ୍ ନାଟ ମଣ୍ଡପ ସ୍ଥିତି ଯାଞ୍ଚ କରିଛନ୍ତି। ଆଜି ଅପରାହ୍ନରେ ପୁରୀ ପାନ୍ଥନିବାସଠାରେ ୩ ଘଣ୍ଟାରୁ ଅଧିକ ସମୟ ଧରି ବିଶେଷଜ୍ଞ ଟିମ୍ର ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ନାଟମଣ୍ଡପ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ମରାମତିର ନକ୍ସା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ବାହାରର ଏହି ବୈଷୟିକ ଟିମ୍ରେ ହେଡ୍ ଅଫ୍ ଦି ସ୍କୁଲ (ସଂରକ୍ଷଣ) ପ୍ରଫେସର ଅରୁଣ ମେନନ୍, ଆଇଆଇଟି ଖଡ଼ଗପୁରର ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ଏସ୍.କେ.ଭଟାଚାର୍ଯ୍ୟ, ଆଇଆଇଟି ମାଡ୍ରାସ୍ର ଅମ୍ଳାନ ସେନ୍ଗୁପ୍ତା, କୋର୍ କମିଟି ଅଧ୍ୟକ୍ଷ ଏ.ପି.ଗୁପ୍ତା, ଦିଲ୍ଲୀ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ନିର୍ଦେଶକ ଏ.କେ. ପଟେଲ, ବରିଷ୍ଠ ବିଶେଷଜ୍ଞ ଏନ୍.ସି.ପାଲ୍, ଧର୍ମପ୍ରସାଦ ମିଶ୍ର, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ଏହି ଟିମ୍ ଆଜି ନାଟ ମଣ୍ଡପରେ ବନ୍ଧା ଯାଇଥିବା ଭାରାରେ ଚଢ଼ି ୩ ଘଣ୍ଟାରୁ ଅଧିକ ସମୟ ଧରି ଛାତ ଓ ବିମ୍ ଯାଞ୍ଚ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଶ୍ରୀ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ପାନ୍ଥନିବାସରେ ଅନୁଷ୍ଠିତ ଆଲୋଚନା ବୈଠକରେ ନାଟ ମଣ୍ଡପ ମରାମତି ପ୍ରସଙ୍ଗରେ ରାଜ୍ୟ ବାହାରୁ ଆସିଥିବା ବରିଷ୍ଠ ବିଶେଷଜ୍ଞଙ୍କ ମତାମତ ଲୋଡ଼ା ଯାଇଥିଲା। ସଂଧ୍ୟା ୬ଟାରେ ବୈଠକ ଶେଷ ହୋଇଥିଲେ ମଧ୍ୟ ଆଲୋଚନା ସଂପର୍କରେ କେହି ମୁହଁ ଖୋଲିନାହାନ୍ତି।