ଉତ୍ତର ପ୍ରଦେଶର ଲଖନଉସ୍ଥିତ ଲେଭାନା ହୋଟେଲ ଅଗ୍ନିକାଣ୍ଡ ମାମଲାରେ ତଦନ୍ତ ରିପୋର୍ଟ ମିଳିବା ପରେ ଯୋଗୀ ସରକାର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପ୍ରଶାସନ ନିକଟରେ ଦାଖଲ ହୋଇଥିବା ରିପୋର୍ଟରେ ୬ଟି ବିଭାଗର ୧୯ ଜଣ ଅଧିକାରୀଙ୍କୁ ଘଟଣା ପାଇଁ ଦାୟୀ କରାଯାଇଛି । ବେଆଇନ ନିର୍ମାଣ ଓ ସୁରକ୍ଷା ମାନକୁ ଅଣଦେଖାକୁ ନେଇ ଲଖନଉ ବିକାଶ ପ୍ରାଧିକରଣ ଏବଂ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ଲେଭାନା ହୋଟେଲ ଅଗ୍ନିକାଣ୍ଡ ମାମଲାରେ ଦୋଷୀ କୁହାଯାଉଛି । ଏହା ପରେ ସରକାର ଅନେକ ବଡ଼ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।
ଲଖନଉ ପୁଲିସ କମିଶନର ଏସ୍ବି ଶିରୋଦକର ଏବଂ କମିଶନର ରୋଶନ ଜ୍ୟାକବଙ୍କ ରିପୋର୍ଟ ଆସିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି । ୧୯ ଜଣଙ୍କ ମଧ୍ୟରୁ ୨ ଜଣ ଅବସର ନେଇସାରିଛନ୍ତି, ଯାହାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାର ୧୭ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଛନ୍ତି । ଏଥିରେ ସିଏଫଓ, ତତ୍କାଳୀନ ଅବକାରୀ ଅଧିକାରୀ, ତତ୍କାଳୀନ ବିହିତ ଅଧିକାର ସମେତ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି ।
ଲଖନଉର ବର୍ତ୍ତମାନ ସିଏଫଓ ବିଜୟ କୁମାର ସିଂହ ଏବଂ ଅଗ୍ନିଶମ ଅଧିକାରୀ ଯୋଗେନ୍ଦ୍ର ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି । ବିଦ୍ୟୁତ ବିଭାଗର ୩ ଅଧିକାରୀ ସହାୟକ ନିର୍ଦ୍ଦେଶକ ବିଦ୍ୟୁତ ସୁରକ୍ଷା ବିଜୟ କୁମାର ରାଓ, ଅବର ଯନ୍ତ୍ରୀ ଆଶୀଷ ମିଶ୍ରା ଓ ଉପଖଣ୍ଡ ଅଧିକାରୀ ରାଜେଶ ମିଶ୍ରାଙ୍କୁ ନିଲମ୍ବନ କରାଯାଇଛି । ସେହିପରି ଏଲଡିଏରେ ମୁତୟନ ତତ୍କାଳୀନ ଅଧିକାରୀ ମହେନ୍ଦ୍ର ମିଶ୍ରା ମଧ୍ୟ ନିଲମ୍ବିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଲଖନଉରେ ନିକଟରେ ଏକ ହୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୦ ଜଣ ଆହତ ହୋଇଥିଲେ । ଲଖନଉ ବିକାଶ ପ୍ରାଧିକରଣ କିଛି ଦିନ ପୂର୍ବରୁ ହୋଟେଲ ଲେଭାନାକୁ ନୋଟିସ ଜାରି କିରଥିଲା । ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ତଦନ୍ତ ପାଇଁ ଯୁଗ୍ମ ଟିମ ଗଠନ କରିବାକୁ ଆଦେଶ ଦେଇଥିଲେ । Sandhannews.com