ରାଫେଲ୍‌ ପରେ ବୁଲେଟ୍‌ ଟ୍ରେନ୍‌

Spread the love

ନୂଆଦିଲ୍ଲୀ 26/7(ସନ୍ଧାନ ନିୟୁଜ) : ରାଫେଲ୍‌ ବିମାନ ଚୁକ୍ତି ଓ ଭିଡ଼ହିଂସା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ଏବେ ବିରୋଧୀ ଦଳ ବୁଲେଟ୍‌ ଟ୍ରେନ୍‌କୁ ମୁଖ୍ୟ ଅସ୍ତ୍ର କରିଛନ୍ତି। ଆଜି ସଂସଦରେ ଏହାକୁ ନେଇ ହଙ୍ଗାମା ହୋଇଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ମୂଲ୍ୟ ଆବଶ୍ୟକତାଠାରୁ ଅତ୍ୟଧିକ ହୋଇଯାଉଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି ପୂର୍ବ ସରକାରରେ ‘ସଂକୀର୍ଣ୍ଣ ରାଜନୈତିକ ଫାଇଦା’ ପାଇଁ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସେଭଳି କିଛି ଘଟିନାହିଁ।

ଆଜି ଲୋକସଭାର ପ୍ରଶ୍ନକାଳରେ ବୁଲେଟ୍‌ ଟ୍ରେନ୍‌କୁ ନେଇ ହଟ୍ଟଗୋଳ ହୋଇଥିଲା। ଖଡ଼ଗେ ଦର୍ଶାଇଥିଲେ, ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ମୂଲ୍ୟ ଏବେ ୧.୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହା ଢେର୍‌ ଅଧିକ ହୋଇଯାଉଛି। ଏହି ଅର୍ଥ ଖର୍ଚ୍ଚ କରାଯାଇ ହଜାର ହଜାର କିଲୋମିଟରର ରେଳଧାରଣା ନିର୍ମାଣ କରାଯାଇ ପାରିଥାନ୍ତା। ଅନେକ ରେଳ ଧାରଣାର ଦୋହରାକରଣ ହୋଇପାରିଥାନ୍ତା। ଏମିତି କି ନୂଆ ଡିଭିଜନ୍‌ ବି ଖୋଲାଯାଇ ପାରିଥାନ୍ତା। କିନ୍ତୁ ସରକାର ସେ କଥା ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। ଏହାର ଜବାବ ଦେଇ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଲେ ପୂର୍ବ ସରକାରରେ ରେଳବାଇର ଆର୍ଥିକ ସ୍ଥିତି କଥା ଚିନ୍ତା ନ କରି ରେଳମନ୍ତ୍ରୀମାନେ ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀ ପାଇଁ ଅଯାଚିତ ଟ୍ରେନ୍‌ ବ୍ୟବସ୍ଥା କରୁଥିଲେ। ଅନ୍ୟମାନେ ଭକୁଆଙ୍କ ଭଳି ଚାହିଥିଲେ। ଏହାଦ୍ୱାରା ରେଳବାଇ ସ୍ଥିତି ରସାତଳଗାମୀ ହୋଇଯାଇଛି। ଏବର ସରକାର ବିଭିନ୍ନ ବିକଳ୍ପ କଥା ଚିନ୍ତା କରି ରେଳବାଇର ଆର୍ଥିକ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି। ଗୋଏଲ୍‌ ଆହୁରି କହିଛନ୍ତି ଯେ ଏବେ ଜାପାନ ସରକାରଙ୍କ ପକ୍ଷରୁ ଏକ ୫୦ ବର୍ଷିଆ ଅବଧି ବିଶିଷ୍ଟ ଋଣ ମଞ୍ଜୁର କରାଯାଇଛି, ଯେଉଁଥିରେ ସୁଧ ହାର ମାତ୍ର ୦.୧% ରହିଛି। ଏମିତି କି ୧୫ ବର୍ଷ ପରେ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସହମତି ହୋଇଛି। ଏହା ଭାରତ ପାଇଁ ଏକ ସୁଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ ପୂର୍ବର କଂଗ୍ରେସ ସରକାରଙ୍କ ଦ୍ୱାରା ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ହେଁ, ୪୦ ବର୍ଷ ପରେ ବି ତାହା ବାସ୍ତବ ରୂପ ନେଇପାରି ନାହିଁ। ଗୋଏଲଙ୍କ ଏଭଳି ମନ୍ତବ୍ୟ ପରେ ଗୃହ ମଧ୍ୟରେ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିଥିଲେ। କିନ୍ତୁ ବିଜେପିର ସାଂସଦମାନେ ମଧ୍ୟ ଅନୁରୂପ ଭାବେ ସେମାନଙ୍କର କଡ଼ା ଜବାବ ରଖିଥିଲେ।

ଏହାପରେ ଶୂନ୍ୟକାଳରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପଶ୍ଚିମବଙ୍ଗରେ ୪ ଜଣ ମହିଳାଙ୍କ ଉପରେ ହୋଇଥିବା ଭିଡ଼ ଆକ୍ରମଣକୁ ନେଇ ଟିଏମ୍‌ସି ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଘେରିଥିଲା। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍‌ ପାଇଁ ଅର୍ଥାତ୍‌ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସେପଟେ ରାଜ୍ୟସଭାରେ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ସାଂସଦ ଭି ବିଜୟସାଇ ରେଡ୍ଡୀ ଗୃହରେ ତାଙ୍କ ପୂର୍ବ କାର୍ଯ୍ୟକଳାପ ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ଅନାସ୍ଥା ବିତର୍କ ବେଳେ ତାଙ୍କୁ ଅଧିକ ସମୟ କହିବାକୁ ଦିଆଯାଇ ନ ଥିବାରୁ ସେ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିଲେ।

Related Posts

About The Author

Add Comment