ସୁନ୍ଦରଗଡ଼, ୨୩/୯/୨୦୨୬(ସନ୍ଧାନ ନ୍ୟୁଜ) ପ୍ରକୃତି ସହ ଆଦିବାସୀ ସମାଜର ନିବିଡ଼ ସମ୍ପର୍କ ଓ ପାରମ୍ପରିକ ଆସ୍ଥାର ପ୍ରତୀକ ‘ରାଜି କାରାମ ପୂଜା’ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅଲାପକା ପଞ୍ଚାୟତ ହାଣ୍ଡିପାନି ଗାଁରେ ପାଳିତ ହୋଇଛି। କୁଡୁଖ ଓରାମ ସମାଜ ପକ୍ଷରୁ ଆୟୋଜିତ ଏହି ପାରମ୍ପରିକ ପୂଜା-ପର୍ବରେ ୪୦ଟି ଗାଁର ଲୋକେ ଯୋଗଦେଇଥିଲେ। ଭାଦ୍ରବ ଏକାଦଶୀ ତିଥିରେ ଆଦି ଧାରାମ ପାଡ଼ହା ମାଣ୍ଡା ଓ ଆତଖା ପାଡ଼ହା ପରମ୍ପରା ଅନୁସାରେ ଏହି ପୂଜା ପାଳିତ ହୋଇଥିଲା। କରମା ଜଙ୍ଗଲରୁ କରମା ଡାଳ ଆଣି ପ୍ରଥମେ ଗାଁ ଗୌନ୍ତିଆଙ୍କ ଘରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏହାକୁ ପୂଜା ମଣ୍ଡପରେ ସ୍ଥାପନ କରି ପାରମ୍ପରିକ ବିଧିବିଧାନ ଅନୁସାରେ ପୂଜା କରାଯାଇଥିଲା। ପୂଜା ସମୟରେ ପ୍ରକୃତିର ସନ୍ତୁଳନ, ସମାଜର ମଙ୍ଗଳ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ପୂଜା ପରେ ଢୋଲ, ମାଦଳର ତାଳେ ତାଳେ ପାରମ୍ପରିକ ନାଚଗୀତର ଆସର ଜମିଥିଲା। ରାତି ତମାମ ଚାଲିଥିବା ଏହି ନାଚଗୀତରେ ଲୋକେ ଉତ୍ସବମୁଖର ହୋଇଥିଲେ।
ଏହି ଅବସରରେ ମୂଳି ପାଡ଼ହା ମୁଖ୍ୟ ମନୋରଞ୍ଜନ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦେୱାନ ନେହେରୁ କୁଜୁର, କେନ୍ଦ୍ର ଯୁବ ସଂଘ ସଭାପତି ରାମଚନ୍ଦ୍ର ଖାଲଖୋଙ୍କ ସମେତ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପାରମ୍ପରିକ ପୂଜା ଓ ନାଚଗୀତ ମାଧ୍ୟମରେ ଓରାମ ସମାଜର ପ୍ରକୃତି ପ୍ରତି ଆସ୍ଥା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା।
ରାଜି କାରାମ ପୂଜା-ପର୍ବରେ ପ୍ରକୃତି ପ୍ରତି ଆସ୍ଥାର ଝଲକ, ୪୦ଟି ଗାଁର ଲୋକଙ୍କ ସମାଗମ
|
September 23, 2026 |



