ହାଇଦ୍ରାବାଦ ୧୬/୩ (ସନ୍ଧାନ ନିୟୁଜ) : ଅନେକ ସମୟରେ ନିଜେ ଜିତିବା ପାଇଁ ଆଉ ପ୍ରତୀଦ୍ୱନ୍ଦୀକୁ ହରାଇବା ପାଇଁ ଲୋକେ ହିଂସା ପରାୟଣ ହୋଇଯାଆନ୍ତି। ବିଶେଷ କରି ରାଜନୀତି କ୍ଷେତ୍ରରେ ଏଭଳି ଶତ୍ରୁତାର ଉଦାହରଣ ଅନେକ ଦେଖିବାକୁ ମିଳିଛି। କାରଣ ରାଜନୈତିକ ଶତ୍ରୁତା ପାଇଁ ନେତାଙ୍କୁ ହତ୍ୟା କରାଯାଇଥିବା ଖବର ବହୁ ମସୟରେ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କଡପ୍ପା ଜିଲ୍ଲାର ପୁଲିଭେନ୍ଦୁଲା ହେଉଛି ବିବେକାନନ୍ଦ ରେଡ୍ଡିଙ୍କ ଜନ୍ମ ମାଟି । ଆଉ ସେହି ସ୍ଥାନରୁ ଆଗାମୀ ନିର୍ବାନରେ ବିଧାନସଭା ଆସନ ପାଇଁ ୱାଇଏସଆର କଂଗ୍ରେସର ଟିକେଟ ଆଶାୟୀ ଥିଲେ । ଏଥିପାଇଁ ରାଜନୈତିକ ଶତ୍ରୁତା ରଖି ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ଗୁରୁବାର ବିଳମ୍ବିତ ରାତିରେ ବାଥରୁମ୍ ଭିତରେ ବିବେକାନନ୍ଦଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ଶରୀରର ୭ଟି ସ୍ଥାନରେ କ୍ଷତ ଚିହ୍ନ ଥିବା ସୂଚନା ରହିଛି । ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ୱାଇଏସଆର କଂଗ୍ରେସ ପାରମ୍ପରିକ ପ୍ରତୀଦ୍ୱନ୍ଦୀ । ସେଥିପାଇଁ ବିବେକାନନ୍ଦଙ୍କ ପରିବାର ଲୋକେ ରାଜନୈତିକ ଶତ୍ରୁତା ରଖି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ମୁଖ୍ୟତଃ ଟିଡିପିର ଲୋକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ପରିବାର ଲୋକ ପ୍ରମାଣ ନଷ୍ଟ କରିଛନ୍ତି ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।