- ଲକ୍ଷାଧିକ ଟଙ୍କାର ମାଟି ବିକ୍ରୀ ଅଭିଯୋଗ
ରସୁଲପୁର, ୪/୬(ସନ୍ଧାନ ନିୟୁଜ୍/ଗିତାଞ୍ଜଳୀ ପତି) ରସୁଲପୁର ବ୍ଲକ ସୁଆଁସାହି ଗ୍ରାମର ଏକ ମଠ ଅଧିନରେ ଥିବା ଘରବାରି ଜମି ଉପରେ ଜଳ ବିଭାଜିକା ବିଭାଗ ପକ୍ଷରୁ ପୋଖରୀ ଖନନ କରାଯାଉଛି । ଏଠାରେ ପୋଖରୀ ଖୋଳାକୁ ପୂର୍ବରୁ ଗ୍ରାମବାସୀ ବିରୋଧ କରିଥିଲେ । ପୋଖରୀ ଖୋଳିବାରେ ଚଂଚକତା ଅବଲମ୍ବନ କରି ବିଭାଗ ପୁଣି ବିବାଦ ଭିତରକୁ ଟାଣି ହୋଇଛି । ବିଭାଗ ପକ୍ଷରୁ ବ୍ଲକ ଅଂଚଳରେ ନାନା ବେଆଇନ କାର୍ଯ୍ୟ କରୁଛି । ଯାହାକୁ ନେଇ ବିବାଦ ବିଭାଗର ପିଛା ଛାଡୁନଥିବା ଜଣାପଡିଛି । ହେଲେ ବିଭାଗୀୟ ଅଧିକାରୀ ଏ ନେଇ ବେଫିକର ଅଛନ୍ତି । ତାଙ୍କ ବିରଦ୍ଧରେ ଯେତେ ଅଭିଯୋଗ ହେଲେ କିଛି ହେବ ନାହିଁ ବୋଲି ବାହାସ୍ପୋଟ ମାରୁଛନ୍ତି । ଏଠାରେ ବିଭାଗୀୟ ଅଧିକାରୀଙ୍କ ଏକ ବେଆଇନ କାର୍ଯ୍ୟକୁ ନେଇ ଗ୍ରାମବାସି ଦ୍ୱିତୀୟବାର ରସୁଲପୁର ତହସିଲଦାରଙ୍କୁ ଭେଟିଛନ୍ତି । ଅଭିଯୋଗ ପାଇବାପରେ ତହସିଲଦାର ଘଟଣାସ୍ଥଳରେ ପହଁଚି ପୋଖରୀ ଖନନକୁ ବନ୍ଦ କରିଛନ୍ତି । ମାତ୍ର ପୋଖରୀ ଖୋଳାରେ ବ୍ୟବହୃତ ଜେସିବି ମେସିନ୍ ଓ ମାଟି ବୋହିବାରେ ବ୍ୟବହୃତ ଟ୍ରାକ୍ଟରକୁ ତହସିଲଦାର ଜବତ ନକରି ଛାଡି ଦେଇଛନ୍ତି । ତହସିଲଦାରଙ୍କ ନିଷେଧକୁ ଜଳ ବିଭାଜିକା ବିଭାଗ ଓ ଠିକାଦାରମାନେ ଅବମାନନା କରିଛନ୍ତି । ଏହୋସତ୍ୱେ ବି ସେମାନଙ୍କ ବିରୁଦ୍ଧରେ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି । ପ୍ରଶାସନ ପକ୍ଷରୁ ଠିକାଦାରଙ୍କ ପ୍ରତି କୋହଳ ମନୋଭାବ ପୋଷଣକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ଅଭିଯୋଗରୁ ପ୍ରକାଶ ବିଭାଗ ପକ୍ଷରୁ ସୁଆଁସାହି ରାଜସ୍ୱ ଗ୍ରାମ ଖାତା ନଂ-୪୬୬, ପ୍ଲଟ ନଂ-୧୫୬୨ ଓ ୬୩ରେ ପୋଖରୀ ଖନନ କରାଯାଉଛି । ଚାଷୀଙ୍କ ପାଇଁ ପାଣି ଯୋଗାଇବା ଉଦେଶ୍ୟରେ ଏହି ପୋଖରୀ ଉଦିଷ୍ଟ ବୋଲି ବିଭାଗ କହୁଛି । ପୋଖରୀ ଖନନ କାର୍ଯ୍ୟକୁ ଜଳ ବିଭାଜିକା ନାଁରେ ଥିôବା ଏକ କମିଟି ତଦାରଖ କରୁଛି । ଜନ ବସତି ମଧ୍ୟରେ ପୋଖରୀ ଖୋଳା ଯାଉଛି । ଏଠାରେ ପୋଖରୀ ଖୋଳା ହେଲେ କୌଣସି ଚାଷ ଜମିକୁ ପାଣି ଯୋଗାଇବା ସମ୍ଭବ ନୁହେଁ । ପୋଖରୀ ଖନନ ହେଉଥିବା ସ୍ଥଳରେ ବିଭାଗ ପକ୍ଷରୁ ନାମଫଳକ ଲଗାଯାଇ ନାହିଁ । ଜନସାଧାରଣଙ୍କୁ ଅନ୍ଧାରରେ ରଖିବା ପାଇଁ ଏଭଳି କରାଯାଉଛି ବୋଲି ଅଭିଯୋଗକାରୀ ସୁଆଁସାହି ଗ୍ରାମବାସୀ ଆଦିତ୍ୟ ରଞ୍ଜନ ଜେନା, ସରୋଜ ମଲିକ, ନଟବର ମଲିକ, କେଦାର ମଲିକ, ଦୁର୍ଗାମାଧବ ମଲିକ ସୁଶାନ୍ତ ମଲିକ, ମତୁ୍ୟଞ୍ଜୟ ଜେନାଙ୍କ ସମେତ ବହୁ ଗ୍ରାମବାସୀ ପୋଖରୀ ଖୋଳାକୁ ବିରୋଧ କରି ଯୁକ୍ତି ବାଢିଛନ୍ତି । ପ୍ରକାଶ ଥାଉ କି ପୂର୍ବରୁ ଏଠାରେ ପୋଖରୀ ଖୋଳାକୁ ଗ୍ରାମବାସୀ ବିରୋଧ କରିଥିଲେ । ସେତେବେଳ ତହସିଲଦାର ବେଆଇନ ପୋଖରୀ ଖୋଳାକୁ ବନ୍ଦ କିରିଥିଲେ । ପରେ ଗାଁ ଲୋକେ କୋଡି, କୋଦାଳ ଧରି ଅଧା ଖୋଳା ପୋଖରୀ ପୋତିବାକୁ ପ୍ରୟାସ କରିଥିଲେ । ଠିକାଦାରମାନେ କିଛି ମାସ ନୀରବ ରହି ଯାଇଥିଲେ । ଏହା ମଧ୍ୟରେ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ ଭିତିରି ବୁଝାବଣା ହୋଇଥିôଲା । ମୌସୁମୀ ବର୍ଷା ଆସିବା ପୂର୍ବରୁ ପୋଖରୀ ଖୋଳି ଅର୍ଥ ହଡପ୍ କରିବା ପାଇଁ କରିଥିବା ଯୋଜନାକୁ ସଫଳ କରିବାକୁ ଉଦ୍ୟମ କରାଯାଇଛି । ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ଘୋର ବିରୋଧ କରାଯାଉଛି । ତହସିଲଦାର ଲୋକ ଦେଖାଣିଆ ପୋଖରୀ ଖନନକୁ ବନ୍ଦ କରିଛନ୍ତି । ହେଲେ ମାଟି ଖୋଳିବା ଓ ବୋହିବାରେ ବ୍ୟବହୃତ ଗାଡି ମାଲିକଙ୍କ ପ୍ରତି ତହସିଲ ପକ୍ଷରୁ କୋହଳ ମନୋଭାବ ପୋଷଣକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏ ନେଇ ନରସିଂହପୁର ରାଜସ୍ୱ ନିରୀକ୍ଷକ ଦୁର୍ଜେୟ ଷଢଙ୍ଗୀଙ୍କୁ ପଚାରିବାରୁ ସେ ତହସିଲଦାରଙ୍କ ସହ ଘଟଣାସ୍ଥଳକୁ ଯାଇଥିବାକୁ ସ୍ୱିକାର କରଛନ୍ତି । ଏଠାରେ ପୋଖରୀ ଖୋଳିବାକୁ ନେଇ କାହାରିକୁ ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ପ୍ରକଳ୍ପ ଅଧିକାରୀ ଧୃବଚରଣ ପଣ୍ଡାଙ୍କ ମତରେ କମିଟି ପକ୍ଷରୁ ପୋଖରୀ ଖୋଳା ଯାଉଛି । ତାଙ୍କ ନିକଟରେ କର୍ମଚାରୀ ଅଭାବ ଅଛନ୍ତି । ସେଠି କଣ ହେଉଛି ସେ ଦେଖି ପାରିବେ ନାହିଁ ବୋଲି କହି ବିରକ୍ତି ପ୍ରକାଶ କରିଛନ୍ତି ।
ରସୁଲପୁର ବ୍ଲକ ଜଳ ବିଭାଜିକା ବିଭାଗର ବିବାଦ ପିଛା ଛାଡୁନି ତହସିଲ ପ୍ରଶାସନର ବାରଣ ସତ୍ୱେ ପୋଖରୀ ଖୋଳିଲା ବିଭାଗ,
|
June 6, 2018 |