ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା

Spread the love

ଜେନାପୁର ୪/୯(ସନ୍ଧାନ ନ୍ୟୁଜ ): ଜୀବନ ବଞ୍ଚାଇବା ପାଇଁ ରକ୍ତଦାନରୁ ଆରମ୍ଭ ହୋଇଥିବା ସେବାର ପରିସର ଏବେ ପ୍ରକୃତି ସୁରକ୍ଷା ପର୍ଯ୍ୟନ୍ତ ପହଞ୍ଚିଛି। ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଅନେକ ଜୀବନରେ ଆଶା ସଞ୍ଚାର କରୁଥିବା ‘ରକ୍ତବନ୍ଧୁ ଯାଜପୁର’ ଏବେ ତାଳଚାରା ରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ନୂଆ ଅଧ୍ୟାୟ ଆରମ୍ଭ କରିଛି।

ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଏବଂ ବଜ୍ରପାତଜନିତ ମୃତ୍ୟୁ ରୋକିବାରେ ତାଳଗଛର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ କବାଟବନ୍ଧ ଅଞ୍ଚଳରେ ଆରମ୍ଭ ହୋଇଛି ଏହି ଅଭିଯାନ।

ରକ୍ତବନ୍ଧୁ ଯାଜପୁରର ଆବାହକ ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମଲ୍ଲିକଙ୍କ ସହଯୋଗ ଓ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟମାନେ ରାସ୍ତାକଡ଼, ଖାଲି ସ୍ଥାନ ଏବଂ ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନରେ ତାଳଚାରା ରୋପଣ କରୁଛନ୍ତି। ଏହା କେବଳ ଚାରା ରୋପଣ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ଭବିଷ୍ୟତ ଗଢ଼ିବାର ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠାନର ଉପଦେଷ୍ଟା ଅନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଳଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ଶରତ ବଳ, ସୁକାନ୍ତ ବେହେରା, ଯୁବ ସାମ୍ବାଦିକ ଅସିତ କୁମାର ନାୟକ, ମାନସ ଦାସ, ରାଜେଶ କୁମାର ମଲ୍ଲିକ, ସ୍ମୃତିରଞ୍ଜନ ଧୀର, ଦିବ୍ୟରଞ୍ଜନ ବାରିକ, ମାୟାଧର ଦାସ, ରାଜକିଶୋର ମଲ୍ଲିକ, ମନୋଜ ବେହେରା, ଦେବୀ ପ୍ରସାଦ ଧୀର, ଓମ ପ୍ରକାଶ ସ୍ୱାଇଁ, ଓମ ପ୍ରକାଶ ମଲ୍ଲିକ, ପିଙ୍କୁ ମଲ୍ଲିକ, ପିଙ୍କୁନ ସାହୁ, ଜଗବନ୍ଧୁ ମଲ୍ଲିକ, ସଞ୍ଜୟ ରାଉତ, ଟୁନା ଲେଙ୍କା, ସନ୍ତୋଷ ସାହୁ, କଲ୍ୟାଣୀ ରାଉତ ଓ କୃଷ୍ଣପ୍ରିୟା ଧୀରଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।

ରକ୍ତବନ୍ଧୁ ଯାଜପୁର ଦୀର୍ଘଦିନ ଧରି ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଣ କରି ଆସୁଥିବା ବେଳେ ଏବେ ବୃକ୍ଷରୋପଣ ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକୁ ନିଜର ସେବା ଅଭିଯାନର ଅଂଶ କରିଛି। ଗୋଟିଏ ପଟେ ମଣିଷର ଜୀବନ ରକ୍ଷା ପାଇଁ ରକ୍ତଦାନ, ଅନ୍ୟପଟେ ପ୍ରକୃତିର ସୁରକ୍ଷା ପାଇଁ ତାଳଗଛ ଏହି ଦୁଇମୁଖୀ ସେବା ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସ୍ମୃତିରଞ୍ଜନ ଧୀରଙ୍କ ସୂଚନା ଅନୁଯାୟୀ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ କରାଯାଇଛି। ସେହିପରି ରେଖିଦେଇପୁରଠାରୁ କନ୍ତପଡ଼ା ମୁକୁନ୍ଦପାତ୍ର କଲେଜ ପର୍ଯ୍ୟନ୍ତ ରାସ୍ତାକଡ଼ ସମେତ ବିଭିନ୍ନ ଖାଲି ସ୍ଥାନରେ ଚାରା ରୋପଣ କରାଯାଇଥିବା ଆବାହକ ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ମାଟିରେ ରୋପା ଯାଉଥିବା ଏହି ଛୋଟ ଚାରାଗୁଡ଼ିକ ଦିନେ ଦିନେ ବଢ଼ି ଆଗାମୀ ପିଢ଼ିକୁ ଛାଇ, ଶୁଦ୍ଧ ପରିବେଶ ଓ ସୁରକ୍ଷାର ଆଶ୍ୱାସନ ଦେବ। ରକ୍ତବନ୍ଧୁ ଯାଜପୁରର ଏହି ପ୍ରୟାସ ତେଣୁ କେବଳ ବୃକ୍ଷରୋପଣ ନୁହେଁ ଏହା ପ୍ରକୃତି ପ୍ରତି ଏକ ସାମାଜିକ ଦାୟିତ୍ୱର ଦୃଢ଼ ସଂକଳ୍ପ।

Related Posts

About The Author

Add Comment