ରକ୍ତଦାନରେ ଜୀବନର ସ୍ପନ୍ଦନ, ଅଙ୍ଗଦାନରେ ମାନବିକତାର ଅମର ସନ୍ଦେଶ

Spread the love

କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ଅଙ୍ଗଦାନ ପାଇଁ ବହୁ ବ୍ୟକ୍ତିଙ୍କ ସମ୍ମତି

ଜେନାପୁର /୧୬/୮(ସନ୍ଧାନ ନ୍ୟୁଜ ): ରକ୍ତର ଗୋଟିଏ ୟୁନିଟ୍ କାହାର ଜୀବନରେ ଆଶାର ଆଲୋକ ଜଳାଇପାରେ। ଆଉ ଅଙ୍ଗଦାନ ମୃତ୍ୟୁ ପରେ ମଧ୍ୟ ଅନ୍ୟ ଜୀବନରେ ନୂଆ ପ୍ରଭାତ ଆଣିବାର ଏକ ମହତ୍ ସଂକଳ୍ପ। ଏହି ମହାନ ମାନବିକ ଚିନ୍ତାଧାରାକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରକ୍ତଦାନ ଓ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଉତ୍ସାହ, ସେବାଭାବ ଓ ମାନବିକତାର ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

କବାଟବନ୍ଧ ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର  ଏବଂ ‘ସଚେତନ ନାଗରିକ ମଞ୍ଚ ଯାଜପୁର ଓ ଆମ ଓଡ଼ିଶା ପରିବାର’ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଅଞ୍ଚଳର ବହୁ ରକ୍ତଦାତା, ସମାଜସେବୀ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ସାମିଲ ହୋଇ ସେବା ଓ ସହଯୋଗର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ।

କାର୍ଯ୍ୟକ୍ରମରେ ୬୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ, ଅନେକ ବ୍ୟକ୍ତି ଅଙ୍ଗଦାନ ପାଇଁ ନିଜର ଆଗ୍ରହ ଓ ସମ୍ମତି ପ୍ରକାଶ କରିଥିଲେ। ଫଳରେ ଏହି ଆୟୋଜନ କେବଳ ରକ୍ତ ସଂଗ୍ରହର ଏକ କାର୍ଯ୍ୟକ୍ରମ ହୋଇ ରହିନଥାଇ ରକ୍ତଦାନ ସହିତ ଅଙ୍ଗଦାନର ଆବଶ୍ୟକତା ଓ ମହତ୍ତ୍ୱ ସମ୍ପର୍କରେ ସମାଜରେ ଏକ ନୂଆ ସଚେତନତାର ସୃଷ୍ଟି କରିଛି।

ଏହି ଅବସରରେ ଧର୍ମଶାଳା ଭାଇସ୍ ଚେୟାରମ୍ୟାନ୍ ଶ୍ରୀମତୀ ବିଶ୍ୱବିଜୟିନୀ ମିଶ୍ର, ସମାଜସେବୀ ମନୋଜ କୁମାର ଧୀର, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା, ମାଢୁଆଳି ୟୁବମଞ୍ଚ, କଟକର ପ୍ରେସିଡେଣ୍ଟ ବିକାଶ ଶର୍ମା, କର୍ମକର୍ତ୍ତା କିଶୋର କୁମାର ଆଚାର୍ଯ୍ୟ, ସୁରଜ ଲାଡେହାନିଆ, ବିନୟ ଅଗ୍ରୱାଲ, ସାମ୍ବାଦିକ ବସନ୍ତ କୁମାର ମଲିକ, ଅସିତ କୁମାର ନାୟକ, ସମାଜସେବୀକା ସାଗରିକା ଦଳାଇ ଏବଂ ସାମ୍ବାଦିକ ତଥା ସମାଜସେବୀ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଯୋଗଦେଇ ରକ୍ତଦାତା ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ‘ସଚେତନ ନାଗରିକ ମଞ୍ଚ ଯାଜପୁର ’ ପକ୍ଷରୁ ସାମ୍ବାଦିକ ପରମାନନ୍ଦ ସାହୁ, ଶକ୍ତି ପ୍ରସାଦ ସାମନ୍ତ, ତପନ କୁମାର ଦଳେଇ, ମନୋଜ ପ୍ରଧାନ. ସୁଶାନ୍ତ ସାହୁ.ପଙ୍କଜ କୁମାର ମଲ୍ଲ, କବାଟବନ୍ଧ ମେଡିକାଲର ସମସ୍ତ କର୍ମଚାରୀ, ମନୋଜ ପ୍ରଧାନ, ଶ୍ରୀଧର ତ୍ରିପାଠୀ, ପ୍ରଦୀପ ସାମଲ, ରବୀନ୍ଦ୍ର ମିଶ୍ର, ଅଭ୍ୟରଞ୍ଜନ ପାଣି, ସୂର୍ଯ୍ୟକାନ୍ତ ସାହୁ, ସତ୍ୟରଞ୍ଜନ ମଲ୍ଲିକ, ସରୋଜ ସ୍ୱାଇଁ, ଶିବାନନ୍ଦ ପଣ୍ଡା, ମନୋଜ ପାତ୍ର, ସିଦ୍ଧାର୍ଥ ମହାପାତ୍ର ଓ ପ୍ରିୟଙ୍କା ପାଢ଼ୀ ପ୍ରମୁଖଙ୍କ ସକ୍ରିୟ ସହଯୋଗ କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଥିଲା।

ରକ୍ତଦାନ କରିଥିବା ପ୍ରତ୍ୟେକ ରକ୍ତଦାତାଙ୍କୁ ସେମାନଙ୍କ ମହତ୍ ଅବଦାନ ପାଇଁ ସାର୍ଟିଫିକେଟ୍, ଗଛ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଶେଷକରି ରକ୍ତଦାତାଙ୍କୁ ଗଛ ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମକୁ ଏକ ଭିନ୍ନ ମାତ୍ରା ଦେଇଥିଲା। ଏହା ମାଧ୍ୟମରେ ‘ଗୋଟିଏ ରକ୍ତଦାନ ଗୋଟିଏ ଜୀବନର ସୁରକ୍ଷା, ଗୋଟିଏ ଗଛ ଭବିଷ୍ୟତ ପିଢ଼ିର ସୁରକ୍ଷା’ ଭଳି ମହତ୍ ସନ୍ଦେଶ ସମାଜକୁ ଦିଆଯାଇଥିଲା।

ଉପସ୍ଥିତ ଅତିଥି ଓ ଆୟୋଜକମାନେ ମତ ପ୍ରକାଶ କରି କହିଥିଲେ ଯେ, ରକ୍ତଦାନ ହେଉଛି ଜଣେ ଅଜଣା ମଣିଷରଜୀବନ ପାଇଁ ଆଶାର ହାତ ବଢ଼ାଇବା। ଅନ୍ୟପକ୍ଷରେ ଅଙ୍ଗଦାନ ହେଉଛି ନିଜ ଜୀବନର ଅନ୍ତିମ ଅଧ୍ୟାୟ ପରେ ମଧ୍ୟ ଅନ୍ୟ କାହାରୋ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାର ଅମୂଲ୍ୟ ସୁଯୋଗ।

କବାଟବନ୍ଧରେ ଆୟୋଜିତ ଏହି ମାନବିକ ପଦକ୍ଷେପ ଅଞ୍ଚଳବାସୀଙ୍କ ମନରେ ରକ୍ତଦାନ ଓ ଅଙ୍ଗଦାନ ପ୍ରତି ଏକ ନୂଆ ଚେତନା ସୃଷ୍ଟି କରିଛି। ଜୀବନ ବଞ୍ଚାଇବାର ଏହି ଅଭିଯାନ ‘ମଣିଷ ପାଇଁ ମଣିଷ’ର ମହାନ ଆଦର୍ଶକୁ ଆହୁରି ଦୃଢ଼ କରିବା ସହ ସମାଜକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି—ମାନବିକତାର ସବୁଠାରୁ ବଡ଼ ପରିଚୟ ହେଉଛି, ନିଜ ସୁଖକୁ ଭୁଲି ଅନ୍ୟର ଜୀବନ ପାଇଁ କିଛି କରିବା।

ଏପରି ଜନକଲ୍ୟାଣମୂଳକ ପ୍ରୟାସ ନିରନ୍ତର ଜାରି ରହିଲେ ଆଗାମୀ ଦିନରେ ରକ୍ତଦାନ ଓ ଅଙ୍ଗଦାନକୁ ନେଇ ସମାଜରେ ଆହୁରି ବ୍ୟାପକ ସଚେତନତା ସୃଷ୍ଟି ହେବ ବୋଲି କବାଟବନ୍ଧ ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର ଆଶାବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment