ଯାଜପୁର,୩୧/୭(ସନ୍ଧାନ ନିୟୁଜ/ମାନସ ରାଉତ)-ମଙ୍ଗଳବାର ଯାଜପୁର ଭିଜିଲାନ୍ସ ଟିମ ଯାଜପୁର ଜିଲ୍ଲା ଦର୍ପଣ ତହସିଲର ଦର୍ପଣ ରାଜସ୍ୱ ନିରୀକ୍ଷକ ଦେବ ପ୍ରସାଦ ନାୟକଙ୍କୁ ୮ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଛନ୍ତି ।ଶ୍ରୀ ନାୟକ ଖଣ୍ଡିଆବନ୍ଦୀ ମୌଜାର ଅର୍ଜୁନ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରାଇଦେବା ନାମରେ ଦିନ ୧ଟା ବେଳେ ଦର୍ପଣ ବଜାରର ଏକ ଦୋକାନ ନିକଟରେ ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଯାଜପୁର ଭିଜିଲାନ୍ସ ଡି.ଏସ.ପି. ଅନୁସୁୟା ସେନାପତି ଓ ତାଙ୍କର ୨ ଜଣିଆ ଟିମ ଶ୍ରୀ ନାୟକଙ୍କୁ କାବୁ କରାଇ ନେବା ସହିତ ଟଙ୍କାକୁ ଜବତ କରିଥିଲେ । ପୂର୍ବରୁ ଶ୍ରୀ ନାୟକଙ୍କ ନାମରେ ବହୁ ଲୋକଙ୍କ ଠାରୁ ଲାଂଚ ନେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିଲା । ଦର୍ପଣି ମୌଜାର ବହୁ ଅନାବାଦୀ ଓ ଜଙ୍ଗଲ ଜମିକୁ ଘରବାଡି ପଟ୍ଟା କରାଇଦେବା ନାଁରେ ବହୁ ଲୋକଙ୍କ ଠାରୁ ଅର୍ଥ ନେଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିଲା । ପୂର୍ବରୁ ଏହି ତହସିଲ ଅଧିନରେ ଥିବା ଖଇରା ରାଜସ୍ୱ ନିରୀକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଓ ଛତିଆ ସର୍କଲର ରାଜସ୍ୱ ନିରୀକ୍ଷକ ସ୍ମିତାଞ୍ଜଳି ମହାନ୍ତି ଲାଂଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇଥିଲେ ।
ଯାଜପୁର: ଦର୍ପଣ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ
|
August 1, 2018 |