ଯାଜପୁର,୯ା୧୧ (ସନ୍ଧାନ ନିୟୁଜ/ମାନସ ରାଉତ ) ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା । ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣାସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗରିବଙ୍କ ମାଗଣା ଚିକିତ୍ସା ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠାରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ହେଲେ ମୃତ୍ୟୁସହ ସଂଗ୍ରାମ କରୁଥିବା ଏହି ଝିଅର ଚିକିତ୍ସା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ।
ଗତ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠ ଗ୍ରାମର ଧୀରେନ୍ଦ୍ର ସ୍ୱାଇଁ ନିଜ ଝିଅକୁ ମୋଟରସାଇକେଲ ଯୋଗେ ଗୀତ ଶିଖାଇବା ପାଇଁ ନିକଟସ୍ଥ ବାରକଣା ଗାଁକୁ ନେଉଥିଲେ । ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ବାଘୁଆ ନିକଟରେ ମୋଟରସାଇକେଲ ଅଟକାଇ ରାସ୍ତା କଡରେ ଠିଆ କରାଇ ମୋବାଇଲରେ କଥା ହେଉଥିବାବେଳେ ଅଚାନକ ଏକ ଟ୍ରକ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ଏହାପରେ ଗୁରୁତର ଆହତ ଝିଅ ଅଭଲିିପ୍ସା ପ୍ରୀୟଦର୍ଶିନୀଙ୍କୁ ଅଶ୍ୱନୀ ହସ୍ପିଟାଲର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାସ୍ଥଳରେ ଅଭିଲିପ୍ସାଙ୍କର ମୁଣ୍ଡର ଉପର ଭାଗର ଚୁଟି ସହ ଚମଡା ପଡିଥିବାବେଳେ ମୁଣ୍ଡରେ ଗୁରୁତର ଅସ୍ତ୍ରୋପଚାର ହୋଇଛି । ଅଭିଲିପ୍ସାଙ୍କର ଡାହାଣଗୋଡ ଓ ଡାହାଣ ହାତବି ଭାଙ୍ଗିଯାଇଛି । ଆଇ.ସି.ୟୁରୁ ବାହାରି ଏବେ ଅଶ୍ୱନୀରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ ଅର୍ଥ ବଡ ବାଧକ ହୋଇଛି । ବାପା ନଥିବା ବେଳେ ଅଭିଲିପ୍ସାଙ୍କ ପରିବାର ନିହାତି ଗରିବ । ସେଥିପାଇଁ କେତେକ ଲୋକ ପରସ୍ପର ଭିତରେ ଚାନ୍ଦା କରି ଏହି ଦଃୁଖୀ ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ହେଲେ ଏଥିନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଏବେ ଅଭିଲିପ୍ସାଙ୍କ ପାଇଁ ବଡ ସଙ୍କଟ ହୋଇପଡିଛି ।
ଏହି ଦୁଃଖଦଘଟଣାରେ ଝିଅଟିର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଆଜି ପ୍ରଣବ ଅଶ୍ୱନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଝିଅଟିକୁ ଦେଖିବାକୁ ଯାଇଥିଲେ । ପରିବାର ସହ ଆଲୋଚନା କରି ଝିଅଟିର ମାଗଣା ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି । ଖୁବଶୀଘ୍ର ଝିଅକୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।